ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ୫୦ରୁ ଊର୍ଧ୍ବ ମହିଳା କାର୍‌, ଜିପ୍‌, ଟ୍ରକ୍‌, ଟାକ୍ଟର୍‌ ଚଳାଇ ମହିଳା ସଶକ୍ତୀକରଣର ବାର୍ତ୍ତା ନେଇ ସହର ପରିଭ୍ରମଣ କରିବେ। ‘ମହିଳାମାନେ ଯେ ଭଲ ଗାଡ଼ି ଚାଳକ ନୁହନ୍ତି’ ଏ ଧାରଣାକୁ ଭୁଲ୍‌ ପ୍ରମାଣିତ କରିବେ। ଆସନ୍ତା ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ସେବା ପ୍ରୟାସ ଫାଉ‌ଣ୍ଡେସନ୍‌’ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ‘ମହିଳା କାର୍‌ ଶୋଭାଯାତ୍ରା’। ନାରୀମାନଙ୍କ ସ୍ବତନ୍ତ୍ରତାକୁ ଏକ ଉତ୍ସବ ଭଳି ପାଳନ କରିବା ତଥା ସେମାନଙ୍କ କୃତିତ୍ବକୁ ପ୍ରଦର୍ଶିତ କରିବା ଓ ସମାଜ ଆଗରେ ନିଜର ଦାୟିତ୍ବକୁ ଠିକ୍‌ ଭାବେ ତୁଲାଉଥିବା ସଫଳତାକୁ ଦର୍ଶାଇବା ପାଇଁ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରା ସ୍ୟାଣ୍ଡିଜ୍‌ ଟାୱାର୍‌ ପାର୍ଶ୍ବ ରାସ୍ତାରୁ ବାହାରି ଜୟଦେବବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାମ ମନ୍ଦିର, ସୈନିକ ସ୍କୁଲ ଛକ, କଳିଙ୍ଗ ହସ୍ପିଟାଲ ଛକ ଆଦି ପରିକ୍ରମା କରି କିଟ୍‌ ଛକଠା‌‌ରେ ଶେଷ ହେବ। ପରେ କିସ୍‌ କ୍ୟାମ୍ପସ୍‌-୧ ପଡ଼ିଆରେ ଏକ ପୁରସ୍କାର ପ୍ରଦାନ ଉତ୍ସବ ପାଳିତ ହେବ। ସେଥିରେ କାର୍‌ ଶୋଭାଯାତ୍ରାର ବିଜୟିନୀଙ୍କୁ ପୁରସ୍କୃତ କରାଯିବ। ଏହି ଅବସରରେ ବିଭିନ୍ନ କୃତିତ୍ବ ପାଇଁ ମହିଳାମାନଙ୍କୁ ‘ବୀରାଙ୍ଗନା’ ପୁରସ୍କାର ଓ ‘କଳିଙ୍ଗ ବୀରାଙ୍ଗନା ସମ୍ମାନ’ ପ୍ରଦାନ କରାଯିବ।

Advertisment

ଏହି କାର୍‌ ଶୋଭାଯାତ୍ରାରେ ୪ ଓ ତଦୂର୍ଧ୍ବ ଚକିଆ ଯାନ ଚଲାଇବାର ଅନୁମତି ରହିଛି। ମହିଳାମାନେ ନିଜ ଇଚ୍ଛାମୁତାବକ ଯାନ ଚଲାଇପାରିବେ। କନ୍ୟାଭ୍ରୂଣ ହତ୍ୟା, ଶିଶୁ କନ୍ୟା ଶିକ୍ଷା, ଘରୋଇ ହିଂସା, ମହିଳାଙ୍କ ସହଭାଗିତା ଆଦି ନାରୀ ସଶକ୍ତୀକରଣର ବିଭିନ୍ନ ବିଷୟବସ୍ତୁକୁ ନେଇ ମହିଳାମାନେ ନିଜ ଗାଡ଼ି ସଜାଇ ପାରିବେ। ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଇଚ୍ଛୁକ ମହିଳାମାନେ ମାର୍ଚ୍ଚ ୧ ତାରିଖରୁ ଅନ୍‌ଲାଇନ୍‌ରେ ନିଜ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ବାବଦକୁ ୫୦୦ ଟଙ୍କାର ଅର୍ଥରାଶି ଦେବା‌କୁ ପଡ଼ିବ। ଏହା କୌଣସି ‌ରେସ୍‌ ନୁହେଁ, ଏକ ସୁଖଦ ଶୋଭାଯାତ୍ରା ବୋଲି ଆଜି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ଲିଙ୍କନ ସୁବୁଦ୍ଧି କହିଛନ୍ତି। ପ୍ରତିଯୋଗୀମାନେ https://form.jotform.com/200538883626058 ରେ ନିଜ ନାମ ପଞ୍ଜୀକରଣ କରାଇ ପାରିବେ ବୋଲି ଫାଉଣ୍ଡେସନ୍‌ର ନିର୍ଦ୍ଦେଶିକା ନମ୍ରତା ଚଢ଼ା କହିଛନ୍ତି।