ରମାଦେବୀରେ ଆନ୍ତର୍ଜାତିକ ମହିଳା ଦିବସ, ଦୃଷ୍ଟିବାଧିତ ସଫଳ ଛାତ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। କୁଳପତି ଫ୍ରଫେସର୍‌ ପଦ୍ମଜା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଚିବ ଜୟନ୍ତୀ ରଥ, ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି, ସ୍ନାତକୋତ୍ତର ପରିଷଦର ଅଧକ୍ଷା ସରିତା ସୂପକାର, ଡ. ଶିଖା ସିଂ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶ୍ରୀମତୀ ରଥ କହିଥିଲେ, ସମୟ ସହ ତାଳ ଦେଇ ନାରୀ ଅନେକ ଅଗ୍ରଗତି କରିଥିଲେ ମଧ୍ୟ ଏବେ ବି ବିଭିନ୍ନ ଅଧିକାରରୁ ବଞ୍ଚିତ। ଏଥିରେ ପରିବର୍ତ୍ତନ ନ ଆସିଲେ, ସମାଜର ସାମଗ୍ରିକ ବିକାଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ। କୁଳପତି ଶ୍ରୀମତୀ ମିଶ୍ର କହିଥିଲେ, ଛାତ୍ରୀମାନେ ଶିକ୍ଷିତ ହୋଇ ଅନ୍ୟାୟ, ଅତ୍ୟାଚାର, ଅସମାନତା ବିରୋଧରେ ଲଢ଼ିବାକୁ ସକ୍ଷମ ହେଲେ ସମାଜର ଅଗ୍ରଗତି ହୋଇପାରିବ। ଲିଙ୍କନ ସୁବୁଦ୍ଧି ନିଜ ସଂଘର୍ଷର କାହାଣୀ ବଖାଣିବା ସହ ଆତ୍ମବିଶ୍ବାସ ବଳରେ ମଣିଷ ସବୁ ଜୟ କରିପାରିବ ବୋଲି କହିଥିଲେ। ଏହି ଅବସରରେ ପୂର୍ବ ଆ‌‌‌ୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ରାଜନୀତି ବିଜ୍ଞାନର ଦୃଷ୍ଟିବାଧିତ ଛାତ୍ରୀ ତପସ୍ବିନୀ ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ଛାତ୍ରୀମାନଙ୍କ ଦ୍ବାରା ନାଟକ ‘ଅତୁଳନୀୟ ମୁଁ’ ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର