ଅନ୍ତର୍ଜାତୀୟ ମହିଳା ଦିବସ: ୧୧ ବର୍ଷ ଧରି ମାର୍ବଲ ମିସ୍ତ୍ରି ପେସାରେ ବାସନ୍ତୀ

ମାର୍ବଲ ମିସ୍ତ୍ରୀ…। ନାଁଟି ଶୁଣୁଶୁଣୁ ମନକୁ ଛାଏଁ ଚାଲିଆସେ ପ୍ୟାଣ୍ଟସାର୍ଟ ପିନ୍ଧା ଜଣେ ପୁରୁଷଙ୍କ ଚେହେରା। କିନ୍ତୁ ଦୀର୍ଘ ୧୧ ବର୍ଷ ଧରି ପୁରୁଷ ପ୍ରାଧାନ୍ୟ ଏହି ପେସାରେ ନିଜକୁ ବେଶ୍ ସଫଳତାର ସହ ଢାଳି ଦେଇଛନ୍ତି ବାସନ୍ତୀ ସ୍ବାଇଁ। ସ୍ବାମୀଠୁ ଧୋକା ଖାଇଥିଲେ ବି ନିଜକୁ ସ୍ବାବଲମ୍ବୀ କରିବା ସହ ନିଜ କୁନିପୁଅକୁ ପରିଚୟ ଦେବା ଉଦ୍ଦେଶ୍ୟରେ ସବୁ ଦୁଃଖକଷ୍ଟକୁ ଭୁଲି ମା୍ର୍ବଲ ମିସ୍ତ୍ରି କାମ ଆରମ୍ଭ କରିଥିଲେ ବାସନ୍ତୀ। ଆଉ ଆଜି ନିଜକୁ ସଶକ୍ତ କରିବା ସହ ପୁଅକୁ ବି ଭଲ ଶିକ୍ଷା ଦେବାରେ ସମର୍ଥ ହୋଇପାରିଛନ୍ତି ସେ।

ବାସନ୍ତୀ ସ୍ବାଇଁ। ବୟସ ପ୍ରାୟ ୪୦ ହେବ। ଭୁବନେଶ୍ବର ସ୍ଥିତ ସୁଭାଷନଗର ବସ୍ତି‌ରେ ଘର। ବିବାହକୁ ବର୍ଷେ ବି ହୋଇନଥିଲା; ଗର୍ଭରେ ଥିଲା ପୁଅ। ସ୍ବାମୀ ଅନ୍ୟ ଜଣେ ମହିଳାଙ୍କୁ ଭଲ ପାଇ ତାଙ୍କ ସହିତ ରହିବା ପାଇଁ କୁଆଡ଼େ ଚାଲିଗଲେ ଯେ ଆଉ ଫେରିଲେ ନାହିଁ। ଏହାପରେ ନିଜ ମା, ବାପା, ଭାଇଙ୍କ ପାଖରେ ଆଶ୍ରା ନେଇଥିଲେ ବାସନ୍ତୀ। କିନ୍ତୁ ପୁଅକୁ ଅଢ଼େଇ ବର୍ଷ ହେବା ବେଳକୁ ଅନୁଭବ ହୋଇସାରିଥିଲା ଯେ ନିଜେ ସ୍ବାବଲମ୍ବୀ ନ ହେଲେ ପୁଅକୁ ସମାଜରେ ସଫଳ ମଣିଷଟିଏ କରି ହେବନି। ତେଣୁ ରୋଜଗାର ପାଇଁ ନୟାଗଡ଼ର ଗହରାମାଡ ଗାଁରୁ ଅଜଣା ସହର ଭୁବନେଶ୍ବର ଆସିଲେ। ଆଉ ଏଠାକୁ ଆସି ବାଛିନେଲେ ପୁରୁଷଙ୍କ ପ୍ରାଧାନ୍ୟ ଥିବା ମାର୍ବଲ ମିସ୍ତ୍ରି କାମ। ଜଣେ ସଫଳ ମାର୍ବଲ ମିସ୍ତ୍ରି ଭାବେ ପରିଚୟ ସୃଷ୍ଟି କରିବା ପାଇଁ କମ୍ ପରିଶ୍ରମ କରିନାହାନ୍ତି ବାସନ୍ତୀ। ଏହି ୧୧ ବର୍ଷ ଭିତରେ ଅନେକ ଝାଳବୁହା ସଂଘର୍ଷ କରିଛନ୍ତି। ଟାହିଟାପରା, ଲାଞ୍ଛନା ସହିଛନ୍ତି। ଏପରିକି ଦିନେଦିନେ ତାଙ୍କୁ ଭୋକରେ ବି ରହିବାକୁ ପଡ଼ିଛି। ରାଜଧାନୀ ଆସିବାର ପ୍ରଥମ କିଛି ବର୍ଷ ଯେଉଁଭଳି ଆହ୍ବାନପୂର୍ଣ୍ଣ ଥିଲା, ଗତବର୍ଷ ଲକ‌୍‌ଡାଉନ୍‌ ପୁଣିଥରେ ସେହିଭଳି ଅବସ୍ଥା ନେଇ ଆସିଥିଲା। କିନ୍ତୁ ଏକ ସାଧାରଣ ମହିଳା ହୋଇ ମଧ୍ୟ ବାସନ୍ତୀ ଅସଧାରଣ ସାହସ ଓ ଧୈର୍ଯ୍ୟର ସହିତ ଏହି ଦୁର୍ଦ୍ଦିନଗୁଡ଼ିକୁ ସାମ୍ନା କରିଥିବା କହନ୍ତି ବାସନ୍ତୀଙ୍କ ପଡ଼ୋଶୀ ।

ବାସନ୍ତୀ କହନ୍ତି, ସମସ୍ତଙ୍କ ଭଳି ସେ ବି ବିବାହ କରି ସ୍ବାମୀ, ସନ୍ତାନ, ଶାଶୂ, ଶ୍ବଶୁରଙ୍କୁ ନେଇ ଏକ ସୁଖୀ ପରିବାରର ସ୍ବପ୍ନ ଦେଖିଥିଲେ। କିନ୍ତୁ ବିବାହର ବର୍ଷେ ନ ପୁରୁଣୁ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ଚାଲିଯିବା ଏଭଳି ଦାରୁଣ ଧକ୍କା ଦେଇଥିଲା ଯେ ସେ କଥା ଭାବିଲେ ୧୯ ବର୍ଷ ପରେ ବି ମନରେ କୋହ, ଆଖିରେ ଲୁହ ଚାଲିଆସେ। ସ୍ବାମୀ ଚାଲିଯିବା ପରେ ଶାଶୂ, ଶ୍ବଶୁରଙ୍କ ସହିତ ରହିବା ସହଜ ନ ଥିଲା। ନିଜ ମା, ବାପାଙ୍କ ପାଖକୁ ଚାଲିଗଲେ। ଏଠାରେ ପୁଅକୁ ଜନ୍ମ ଦେଲେ। ମା’, ବାପା ସ୍ନେହ ଦେବାରେ ଅବହେଳା କରିନଥିଲେ। କିନ୍ତୁ ଭାଇ, ଭାଉଜଙ୍କ ଉପରେ ବୋଝି ହୋଇ ସବୁଦିନ ରହିବାକୁ ଚାହି ନ ଥିଲେ। ପୁଅକୁ ୨ ବର୍ଷ ହେଲା ବେଳକୁ ନିଜ ସ୍ଥିତି ବୁଝିଯାଇ ରୋଜଗାର ଖୋଜିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଭୁବନେଶ୍ବରରେ ଦିନ ମଜୁରିଆ କାର୍ଯ୍ୟ କରୁଥିବା ଜଣେ ମହିଳା ଖୁଚୁରା ଖୋଜିବା ପାଇଁ ତାଙ୍କ ଗାଁକୁ ଯାଇଥିଲେ। ତାଙ୍କ ସହିତ ସେ ରାଜଧାନୀ ଚାଲିଆସିଲେ। ଏଠାରେ ସୁଭାଷ ନଗର ବସ୍ତିରେ ରହିବା ବ୍ୟବସ୍ଥା କଲେ। ମଜୁରି କାର୍ଯ୍ୟରେ ମିଳୁଥିବା ଟଙ୍କା ବାସନ୍ତୀଙ୍କ ପାଇଁ ଯଥେଷ୍ଟ ନଥିଲା। ତେଣୁ ମାର୍ବଲ ମିସ୍ତ୍ରି ଭାବେ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କଲେ। କୌଣସି ମହିଳା ଏହି ବୃତ୍ତିରେ ନ ଥିଲେ ବି ସେ କିନ୍ତୁ କିଛି ମାସ ମଧ୍ୟରେ ମେସିନ ଚଲାଇବା ଶିଖିଗଲେ। ପ୍ରଥମ କିଛି ବର୍ଷ ସହଯୋଗୀ ଭାବରେ କାମ କରୁଥିଲେ, ବର୍ତ୍ତମାନ ସେ ଏକୁଟିଆ କରିପାରୁଛନ୍ତି। ପୂର୍ବରୁ ଘରେ ମୋଜାଇକ ଫିନିସିଂ କରୁଥିଲେ। ବର୍ତ୍ତମାନ ସେ ମାର୍ବଲ ଫିନିସିଂ କରନ୍ତି। ଏଥିପାଇଁ ପ୍ରତିଦିନ ଅଢେଇ କ୍ବିଣ୍ଟାଲର ମେସିନ ଚଲାନ୍ତି। ଦେହରେ କଷ୍ଟ ବି ହୁଏ। କିନ୍ତୁ ଦାରିଦ୍ର୍ୟ ସବୁ କିଛି ଶିଖାଇ ଦିଏ ବୋଲି କହନ୍ତି ବାସନ୍ତୀ।

ସମ୍ବନ୍ଧିତ ଖବର