ଓଡ଼ିଶାର ପ୍ରଥମ ଏଫ୍‌ଏମ୍‌ ଚ୍ୟାନେଲ୍‌ ‘ରେଡିଓ ଚକଲେଟ୍‌’ ଏବଂ କାର୍‌ କମ୍ପାନି ହୁଣ୍ଡାଇ ସହଯୋଗରେ ଆଜି ରାଜଧାନୀର ପ୍ରମୁଖ ଆପାର୍ଟମେଣ୍ଟ୍‌ଗୁଡ଼ିକରେ ମହିଳା ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ହଂସପାଳସ୍ଥିତ ଖୁସି ବସେରା ଆପାର୍ଟମେଣ୍ଟ୍‌, ଗାଡ଼କଣସ୍ଥିତ ନେତାଜୀ ସୁଭାଷ ‌ଏନକ୍ଲେଭ୍‌ ଏବଂ କଳିଙ୍ଗନଗରସ୍ଥିତ ଟ୍ରାଇଡେଣ୍ଟ୍‌ ଗାଲାକ୍ସିରେ ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ବସବାସ କରୁଥିବା ମହିଳାମାନେ ନାଚିବା, ଗାଇବା ଏବଂ ଖେଳିବା ସହିତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି। ନେତାଜୀ ସୁଭାଷ ଆପାର୍ଟମେଣ୍ଟ୍‌ରେ ଉତ୍କଳ ହୁଣ୍ଡାଇ ଏବଂ ଖୁସି ବସେରା ଆପାର୍ଟମେଣ୍ଟ୍‌ ଓ ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟ୍‌ରେ ଆଦିତ୍ୟ ହୁଣ୍ଡାଇ ସହଯୋଗ କରିଥିଲେ।

Advertisment

ଖୁସି ବସେରା ଆପାର୍ଟମେଣ୍ଟ୍‌
ଭୁବନେଶ୍ବର: ହଂସପାଳସ୍ଥିତ ଖୁସି ବସେରା ଆପାର୍ଟମେଣ୍ଟ୍‌ରେ ଆଡ଼ମ୍ବର ସହକାରେ ମହିଳାମାନେ ମହିଳା ଦିବସ ପାଳନ କରିଛନ୍ତି। ନାଚ, ଗୀତ, କବିତା ପା‌ଠ, ମ୍ୟୁଜିକ୍‌ ଚେୟାର, ଫ୍ୟାସନ ସୋ’ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅତିଥିଭାବେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଅସୀମା ପାତ୍ର ଯୋଗଦେଇ ମହିଳାମାନଙ୍କୁ ସ୍ବାସ୍ଥ୍ୟ ଯତ୍ନ ସଂପର୍କରେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ସେହିଭଳି ଅନ୍ୟତମ ଅତିଥିଭାବେ କରାଟେକା ଚିନ୍ମୟୀ ଭୂୟାଁ ଯୋଗଦେଇ ମହିଳାମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆପାମେଣ୍ଟ୍‌ର ମହିଳା ଅନ୍ତେବାସୀ କୀର୍ତ୍ତି, ପୁଷ୍ପାଞ୍ଜଳି, ଲିପିକା, ନବନୀତା, ରଶ୍ମିତା, ପ୍ରଜ୍ଞା ଓ ମୋନିକା ଆଦିଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଆର୍‌ଜେ କୋମଲ୍‌ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ନେତାଜୀ ସୁଭାଷ ଏନକ୍ଲେଭ୍‌
ଚନ୍ଦ୍ରଶେଖରପୁର: ଗାଡ଼କଣସ୍ଥିତ ନେତାଜୀ ସୁଭାଷ ଏନକ୍ଲେଭ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଏକାଠି ହୋଇ ବିଭିନ୍ନ ଖେଳ, ନାଚ, ଗୀତ ଆଦି ଓ କ୍ବିଜ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ମଜାଳିଆ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବାସ୍କେଟ ବଲ୍‌ ଓ ମ୍ୟୁଜିକ୍‌ ଚେୟାର ଆଦି ଖେଳରେ ଆପାର୍ଟମେଣ୍ଟର ବାସିନ୍ଦାମାନେ ଭାଗ ନେଇଥିଲେ। ହୁଣ୍ଡାଇ କାର୍‌ର ସ୍ବତନ୍ତ୍ରତା ବିଷୟରେ ‌ସେମାନଙ୍କୁ ସୂଚନା ଦିଆଯାଇଥିଲା। ଉତ୍କଳ ହଣ୍ଡାଇର ସିଇଓ ଭୂଷଣ ଗିରି, ସେଲସ୍ ମ୍ୟାନେଜର ସମୀର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ରେଡିଓ ଚକଲେଟ୍‌‌ର କର୍ମକର୍ତାମାନେ ‌କାର୍ଯ୍ୟକ୍ରମକୁ ମନୋରଞ୍ଜନାତ୍ମକ କରି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।  

ଟ୍ରାଇଡେଣ୍ଟ ଗାଲାକ୍ସି

ଖଣ୍ଡଗିରି: ଟ୍ରାଇଡେଣ୍ଟ ଗାଲାକ୍ସିରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସରେ ୩ଶହରୁ ଅଧିକ ଅନ୍ତେବାସୀ ଭାଗ ନେଇଥିଲେ। ଆପାର୍ଟମେଣ୍ଟର ଆମ୍ପିଥିଏଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଂଧ୍ୟା ସାଢ଼େ ୫ରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା‌। ଏଥ‌ିରେ ଗାଲାକ୍ସିର ୪୦ରୁ ଅଧିକ ଛୋଟ ପିଲା ବିଭିନ୍ନ ସଙ୍ଗୀତରେ ନିଜର କଳା ପ୍ରଦର୍ଶନ କରିଥିଲେ। ଏହାସହ ମହିଳାମାନେ ନୃତ୍ୟ, ଗୀତ, କ୍ବିଜ୍‌, ମ୍ୟୁଜିକ୍‌ ଚେୟାର, ଡିଜେ ବିଟ୍‌ ଭଳି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆର୍‌ଜେ ମହେଶ ପରିଚାଳନା କରିଥିବା ବେଳେ ଅତିଥିଭାବେ ଟ୍ରାଇଡେଣ୍ଟ ଗାଲାକ୍ସି ଆବାସିକ ସଂଘର ସଭାପତି ଅଜିତ ଚୌଧୁରୀ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ପ୍ରତାପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଆଇସିଏଆଇ
ଭୁବନେଶ୍ୱର: ଆଇସିଏଆଇ ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଶାଖା (ଇଆଇଆର୍‌ସି) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଆଇସିଏଆଇର ମହିଳା ଓ ଯୁବ ସଦସ୍ୟ ଉତ୍କର୍ଷ କମିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଇସିଏଆଇ ଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲେଆନା ଚିତାରିସ୍ତି, ଶ୍ରୀ ମେଡିକାଲର ସିଏମ୍‌ଡି ଶାଲିନୀ କୋଥାକୋଣ୍ଡା, ଏଲ୍‌ଆଇସି ମ୍ୟୁଚୁଆଲ୍ ଫଣ୍ଡ ଏମ୍‌ସିର ସ୍ୱାଧୀନ ନିର୍ଦ୍ଦେଶକ ରିମା ଦୀଡ଼ି ଉପସ୍ଥିତ ଥିଲେ। ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ମହେନ୍ଦ୍ର ସାହୁ ଓ ସିଏ ସଚିବ ପୃଥ୍ବୀ ରଞ୍ଜନ ପାଢ଼ୀ ଯୋଗଦେଇଥିଲେ। ଏହି ଅବସରରେ ବୃତ୍ତିଗତ ଅଭିବୃଦ୍ଧି ଏବଂ ବ୍ୟକ୍ତିଗତ ସଶକ୍ତୀକରଣ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶାଖାର ପୂର୍ବତନ ଅଧ୍ୟକ୍ଷା ଜାହ୍ନଵୀ ଦେଓଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ, ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଲିମିଟେଡ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ ସିଏ ସରିତା ସାହୁଙ୍କ ଦ୍ୱାରା ମହିଳା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ପାଇଁ ବୃତ୍ତିଗତ ସୁଯୋଗ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଶାଖା ଉପାଧ୍ୟକ୍ଷ ଗୌତମ ଲେଙ୍କା, ସିଏ କୋଷାଧ୍ୟକ୍ଷ ସୌମ୍ୟା ସୁନୀଲ ସାହୁ, ସିଏ ଗଗନ ବିହାରୀ ଦାସ, ସିଏ ପ୍ରଣବ କିଶୋର ଦାସ ଓ ସିଏ ଶାଶ୍ବତ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମହିଳା ଦିବସରେ ରକ୍ତଦାନ ଶିବିର
ଚନ୍ଦ୍ରଶେଖରପୁର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଇ-୫ ବିଜିନେସ ସଲ୍ୟୁସନସ୍‌ ଟ୍ରଷ୍ଟ ଓ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର ମିଳିତ ଆନୁକୂଲ୍ୟରେ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ମହିଳା ଯୋଗଦେଇ ରକ୍ତଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବିଶେଷ ଅତିଥି ଭାବେ କାସିନୋଭା କ୍ୟାନ୍ସର୍‌ ହସ୍ପିଟାଲ ଅଧକ୍ଷା ପ୍ରଜ୍ଞା ପାରମିତା ମିଶ୍ର, ସାମ୍ମାନିତ ଅତିଥି ଭାବେ କିମ୍‌ସ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ ଡାକ୍ତର ଏନ. ସାଗରିକା, ରାଜା ମଧୁସୂଦନ ଦେବ ଡିଗ୍ରି କଲେଜ ପ୍ରିନ୍ସିପାଲ ପ୍ରଶାନ୍ତ କୁମାର ରାଉତ, ପ୍ରଫେସର ସ୍ୱାତୀ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସହଯୋଗୀ ସଂସ୍ଥାର ପ୍ରତିଷ୍ଠାତା ସୁଜାତା ପାଢ଼ୀ, ସୁନିତା ପାତ୍ର, ଅପରାଜିତା ସାହୁ, ପ୍ରୀତି ତ୍ରିପାଠୀ, ମଧୁସ୍ମିତା ପରିଜା, ଶ୍ୱେତାଲିନା ବେହେରା, ସସ୍ମିତା ଜେନା, ଶେଲି ଭୁତ, ରଶ୍ମିବାଳା ସ୍ୱାଇଁ, ସୁଭ୍ରତା ପ୍ରଧାନ, ଲିପିକା ପାଢ଼ୀ, ମୃଣାଳିନୀ ଅପରାଜିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଟକ ରେଡକ୍ରସ ବିଭାଗର ଡାକ୍ତର ଅବନୀକାନ୍ତ ସ୍ୱାଇଁ, ସରୋଜ ମହାନ୍ତି, ସନ୍ଦୀପ ସ୍ୱାଇଁ, ଲକ୍ଷ୍ମୀଧର ପୂର୍ତ୍ତି, ରମେଶ ରାଉତ, ସଞ୍ଜୟ ପାତ୍ର ରକ୍ତ ସଂଗ୍ରହ କରିଥିଲେ।

ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳାମାନେ ନ୍ୟାୟ ପାଇବେ
ଭୁବନେଶ୍ୱର: ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଓ ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଆନୁକୂଳରେ ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଫୋରମର ଅଧ୍ୟକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବିଭୁ ପ୍ରସାଦ ତ୍ରିପାଠୀ, କଳ୍ପନା ଭୂଷଣ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲର କଲ୍ୟାଣୀ ପାଣି, ଡ. ରୀତାଞ୍ଜଳି ମିଶ୍ର, ଜସ୍ମିନ୍ ସାହୁ, ସମାଜସେବୀ ସସ୍ମିତା ମଙ୍ଗରାଜ, ନୃତ୍ୟାଙ୍ଗନା ବର୍ଷାରାଣୀ ପଟ୍ଟନାୟକ, ମେଡିକାଲ ଅଫିସର ବିଦିଶା ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମୁରଲି ମନୋହାର ପାତ୍ର, ଜ୍ୟୋତିର୍ମୟୀ ପଣ୍ଡା, ଆଙ୍କାକ୍ଷା କବି, ଅମ୍ରିତା ସାହୁ, ସ୍ବୟଂପ୍ରଭା ବେହେରା, ବିଶ୍ବବନ୍ଦିତା ରାଉତ, ମଧୁସ୍ମିତା ସାହୁ, ନଶିମ ଅଖତ୍ରୀ, କଲ୍ୟାଣୀ ସେନ୍‌ଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ଆଇନଜୀବୀଙ୍କୁ ଶାନ୍ତିପ୍ରିୟା ପଟ୍ଟନାୟଙ୍କ ସ୍ମୃତିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଙ୍କିତା ଗଙ୍ଗଦେବ ସ୍ୱାଗତ ଭାଷଣ ଓ ବିଷ୍ଣୁପ୍ରିୟା ପୃଷ୍ଟି ଧନ୍ୟବାଦ ଦେଇଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ଆତ୍ମପ୍ରକାଶ ମହାନ୍ତି, ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଓକିଲ ସଂଘ ସମ୍ପାଦକ ଦୀପକ ଦାଶ, ନନ୍ଦନନ୍ଦନ ଶତପଥୀ, ସନ୍ତୋଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର ପକ୍ଷରୁ ଶିବ ତାଣ୍ଡବ ନୃତ୍ୟ ଓ କୁନି ପିଲାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।