ପିଏନ୍‌ବି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ: ମହିଳା ଏସ୍ଏଚ୍‌ଜିଙ୍କ ପାଇଁ ସ୍ବତନ୍ତ୍ର ଋଣ ଶିବିର

ହିତାଧିକାରୀଙ୍କ ଲାଗି ୩୪.୮ କୋଟିର ଋଣ ମଞ୍ଜୁର, ମହିଳା କର୍ମଚାରୀଙ୍କୁ ଆଚିଭର୍ସ ଆୱାର୍ଡ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଆଜି ଆନ୍ତର୍ଜାତିକ ମହିଳା ଦିବସକୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଥିବା ସମସ୍ତ ଶାଖା ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକ ଲାଗି ସ୍ବତନ୍ତ୍ର ଋଣ ଶିବିର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପ୍ରାୟୋଜିତ ୫୮୦ଟି ପ୍ରସ୍ତାବକୁ ଏଥିରେ ମଞ୍ଜୁର କରି ୩୪.୮୦ କୋଟି ଟଙ୍କା ମୂଲ୍ୟର ଋଣ ମହିଳା ହିତାଧିକାରୀଙ୍କୁ ମଞ୍ଜୁର କରାଯାଇଛି। ପୁରୀର ଗୋପୀନାଥପୁରରେ ଆୟୋଜିତ ଏକ ଶିବିର ପରିଦର୍ଶନ କରି ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଅଶ୍ବିନୀ କୁମାର ୧୮୫ ଏସ୍‌ଏଚ୍‌ଜିକୁ ଋଣ ମଞ୍ଜୁର ପତ୍ର ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ବ୍ୟାଙ୍କ ତରଫରୁ ୯.୧୨ ଲକ୍ଷ ଟଙ୍କାର ଏମ୍ଏସ୍‌ଏମ୍‌ଇ ଋଣ, ୫୭ ଲକ୍ଷ ଟଙ୍କାର ରିଟେଲ୍‌ ଋଣ, ୫ ଲକ୍ଷ ଟଙ୍କାର କୃଷି ଋଣ ଓ ୧.୫ କୋଟି ଟଙ୍କାର ଗୃହ ଋଣ ମଞ୍ଜୁର କରାଯାଇଛି। ଏସ୍‌ଏଚ୍‌ଜିଗୁଡ଼ିକର ସଞ୍ଚୟ ଖାତାରେ ବ୍ୟାଙ୍କ ତରଫରୁ ୮.୭୦ କୋଟି ଟଙ୍କା ଜମା କରାଯାଇଛି। ଅପରାହ୍ନରେ ଶ୍ରୀ କୁମାର ପାତ୍ରପଡ଼ାସ୍ଥିତ ଦିବ୍ୟଜ୍ୟୋତି ଫାଉଣ୍ଡେସନ ପରିଦର୍ଶନ କରି ସ୍କୁଲ ବ୍ୟାଗ୍ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ବ୍ୟାଙ୍କର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡସନର ଅନ୍ତୋବାସୀଙ୍କ ପାଇଁ ଏହି ସହାୟତା ଦିଆଯାଇଛି।

ସନ୍ଧ୍ୟାରେ ପିଏନ୍‌ବିର କଟକ ଓ ଭୁବନେଶ୍ବର ସର୍କଲ୍‌ରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ଖାରବେଳନଗର ସ୍ଥିତ ହୋଟେଲ୍‌ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜିଏମ୍‌ ସୋନାଲି ଦାସ ମୁଖ୍ୟ ଅତିଥି ଓ ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷା ନମ୍ରତା ଚଢ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବ୍ୟାଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏଗ୍ରି ସେଗ୍‌ମେଣ୍ଟ୍ ମୁଖ୍ୟ ରାଜଶ୍ରୀ ଆଚାର୍ଯ୍ୟ, କଟକ ସର୍କଲ୍‌ର ବାଲିକୁଦାର ବିଓ ରଶ୍ମି ସିହ୍ନା, ଚନ୍ଦକା ଶିଳ୍ପାଞ୍ଚଳର ବିଓ ମଧୁସ୍ମିତା ରଣା, ଓଡ଼ିଶା ବିଧାନସଭାର ବିଓ ନିବେଦିତା ଓଝା, ଚନ୍ଦ୍ରଶେଖରପୁରର ବିଓ ପ୍ରଜ୍ଞା ପ୍ରଣମିତା ଓ ଛତାବରର ବିଓ ସୁସ୍ମିତା ନାୟକଙ୍କୁ ଆଚିଭର୍ସ ଆୱାର୍ଡ ପ୍ରଦାନ କରାଯାଇଛି। ମାଧ୍ୟମ ଏନ୍‌ଜିଓ ସହାୟତାରେ ପରିଚାଳିତ ଦିବ୍ୟଜ୍ୟୋତି ଫାଉଣ୍ଡେସନର ମିନାକ୍ଷୀ ମିଶ୍ର ଓ ଉଦ୍ୟୋଗୀ ଦିପ୍ତୀମୟୀ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଜୋନାଲ୍ ଅଡିଟ୍ କାର୍ଯ୍ୟାଳୟର ଜିଏମ୍‌ ମୁକ୍ତି ରାୟ, ଭୁବନେଶ୍ବର ସର୍କଲ୍ ମୁଖ୍ୟ ପରେଶ ଦାଶ ଓ କଟକ ସର୍କଲ୍ ମୁଖ୍ୟ ଶିବାନନ୍ଦ ଭଞ୍ଜ ଉପସ୍ଥିତ ଥିଲେ। ଡେପୁଟି ଜୋନାଲ୍‌ ହେଡ୍‌ ଜନ୍ମେଜୟ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର