ଗୃହଶୂନ୍ୟଙ୍କୁ ଆଶ୍ରୟ, ଭିକ୍ଷାବୃତ୍ତି ହଟାଅ…

ଅନ୍ତର୍ଜାତୀୟ ଯୁବ ଦିବସ‌ରେ ଅଭିନବ ଶୋଭାଯତ୍ରା

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୁବ ଦିବସକୁ ଆଜି ନିଆରା ଢଙ୍ଗରେ ପାଳନ କରିଥିଲା ‘ଓଡ଼ିଶା ପତିତା ଉଦ୍ଧାର ସମିତି’। ଯୁବକମାନଙ୍କୁ ଏକାଠି କରି ଗୃହଶୂନ୍ୟ ନିରାଶ୍ରିତ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ଆଣିବା ସହ ଏନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଆଜି ରେଳ ପ୍ଲାଟ୍‌ଫର୍ମରେ ସମିତି ପକ୍ଷରୁ ଯୁବକମାନେ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରିଥିଲେ। ଏଥିସହ କିଛି ଯୁବ ସ୍ବେଚ୍ଛସେବୀମାନେ ଲିଫ୍‌ଲେଟ୍‌ ବାଣ୍ଟିବା ସହ ଗୃହଶୂନ୍ୟ ଲୋକଙ୍କୁ ବାଟରେ ଘାଟରେ ପଡ଼ିଥିବା ଦେଖିଲେ ସେମାନଙ୍କୁ ଆଶ୍ରୟସ୍ଥଳୀ ପଠାଇବା ନେଇ ସଚେତନ କରିଥିଲେ। ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ତାଙ୍କ କହିବା ମୁତାବକ, ଗୃହଶୂନ୍ୟତା, ଭିକ୍ଷାବୃତ୍ତି ନିରବରେ ଆମ ସହରର ଶୋଭାକୁ ନଷ୍ଟ କରୁଛି। ନିରାଶ୍ରିତଙ୍କ ପାଇଁ ଆଶ୍ରୟସ୍ଥଳୀ ଥିବାରୁ ନିରାଶ୍ରିତମାନେ ଏଣେ ତେଣେ ପଡ଼ି ରହିବା ମଧ୍ୟ ଆବଶ୍ୟକ ନାହିଁ। ତେବେ ସାଧାରଣ ଜନତାଙ୍କୁ ଏଇ ଧାରା ସହ ଯୋଡ଼ିବା ଆଭିମୁଖ୍ୟ ନେଇ ଏଇଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। ‌ମହାନଗର ନିଗମର ସିଏମ୍‌ଏମ୍‌ୟୁ ପ୍ରବନ୍ଧକ ଦେବାଶିଷ ମହାପାତ୍ର, ସୁଡାର ଏସ୍‌ଏମ୍‌ଏମ୍‌ୟୁ ପ୍ରବନ୍ଧକ ସନ୍ତୋଷ ମହାପାତ୍ର ସହଯୋଗ ଯୋଗାଇ ଦେଇଥିଲେ। ମାତୃମୟୀ ପ୍ରିୟଦର୍ଶିନୀ, ଲୋପା, ସୌମ୍ୟ, ସୁବ୍ରତ, ଅନନ୍ତ ପ୍ରମୁଖ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର