ଅନିଶ୍ଚିତତାରେ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌, ୨୪ ମାସରେ ସାରିବା ଲକ୍ଷ୍ୟ, ୨ମାସ ପରେ ବି କିଛି ହୋଇନି

ଏମିତି ରକେଟ୍‌ ବେଗରେ ଯାଉଛି ସାଧାରଣ ପ୍ରଶାସନ ବିଭାଗରେ ଫାଇଲ୍‌

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର କେତେ ତତ୍ପର ଅଛନ୍ତି, ତାହା ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟକଳାପରୁ ଜଣାପଡ଼ୁଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଦାୟିତ୍ବ ନେ‌ବା ଦିନ କହିଥିଲେ ଯେ ଏଣିକି ରକେଟ୍‌ ବେଗରେ ଫାଇଲ୍‌ ଯିବ। ହେଲେ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଖଣ୍ଡଗିରିବାରିରେ ଆବଶ୍ୟକ ଜମି ଯୋଗାଇ ଦେବା ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ବିଡିଏ ସାଧାରଣ ପ୍ରଶାସନ ବିଭାଗକୁ ୫ ମାସ ହେଲା ଚିଠି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆ ଯାଇପାରୁନି। ମୁଖ୍ୟ ଶାସନ ସଚିବଙ୍କ ଅଧୀନ‌ରେ ଥିବା ବିଭାଗରେ ଫାଇଲ୍‌ ରକେଟ୍‌ ବେଗରେ ଯିବା ଦୂର କଥା, ରିକ୍ସା ଗତିରେ ବି ଯାଇପାରୁନି ବୋଲି ଏବେ ସରକାରୀ ଅଧିକାରୀମାନେ କହିଲେଣି। ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହେବା ପରେ ପ୍ରାୟ ଦୁଇ ମାସ କ୍ୟାବିନେଟ୍ ଅନୁମୋଦନ ପାଇବା‌ ପାଇଁ ଏହା ନଗର ଉନ୍ନୟନ ବିଭାଗରେ ପଡ଼ି ରହିବା ପରେ ସେପ୍ଟେମ୍ବର ୨୬ରେ କ୍ୟାବିନେଟ୍ ଅନୁମୋଦନ ମିଳିଲା। ଏହାପରେ ରାଜ୍ୟ ସରକାର ବଡ଼ ଦମ୍ଭରେ କହିଲେ, ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ପାଇଁ ସବୁ ପ୍ରତିବନ୍ଧକ ହଟିଲା। ଏଥର କାମ ଆଗେଇବ। କିନ୍ତୁ ପୂର୍ବରୁ ଯାହା ଥିଲା, ଏବେ ସେୟା। ଯେଉଁଠିକୁ ବସଷ୍ଟାଣ୍ଡ ଯିବ, ସେଠାରେ ଜମି ଜବରଦଖଲରେ ଥିବାରୁ ବସଷ୍ଟାଣ୍ଡ ସ୍ଥାନାନ୍ତର ହୋଇପାରୁନି କି ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ‌ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ସାଧାରଣ ପ୍ରଶାସନ ବିଭାଗରୁ କ୍ଲିଅରାନ୍ସ ମିଳୁ ନ ଥିବାରୁ ଏବଂ କୋର୍ଟରେ କିଛି ମଠର ମାମଲା ଥିବାରୁ ବିଡିଏ ବି ଏହାକୁ ଭାଙ୍ଗି ପାରୁନି। ଏପରିକି ଏଠାରେ ଥିବା ବସ୍ତିକୁ ଉଚ୍ଛେଦ କରିବା ଆବଶ୍ୟକ ଥିଲେ ହେଁ ଏନେଇ ବି ସାଧାରଣ ପ୍ରଶାସନ ବିଭାଗ କିଛି ନିଷ୍ପତ୍ତି ନେଉନି।

ବିଭାଗ ବିଡିଏକୁ ଜମି ଦେଉନି କି କାର୍ଯ୍ୟାନୁଷ୍ଠାନ ନେଉନି
ଚିଠି ଲେଖି ବିଡିଏ ଚୁପ୍

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଖଣ୍ଡଗିରି ବାରିରେ ଜମି ଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ କିଛି ପଦକ୍ଷେପ ନେଉନି। ଏପରିକି କୋର୍ଟରେ ଏହି ମାମଲାର କିପରି ଜଲ୍‌ଦି ଶୁଣାଣି ହେବ, ସେନେଇ ମଧ୍ୟ କିଛି ପଦକ୍ଷେପ ନିଆଯାଉନି। ଯେଉଁ ଜମି ଜବରଦଖଲରେ ନାହିଁ ସେଠାରୁ ବି ଜବରଦଖଲ ହଟାଇବାକୁ ଅନୁମତି ଦିଆଯାଉନି। ତେଣୁ ଆମେ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ୨ବର୍ଷରେ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଇତି ମଧ୍ୟରେ ୨ମାସ ବିତିଗଲାଣି। ଇଟା ଖଣ୍ଡେ ବି ପଡ଼ିପାରିଲାନି। ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାରୁ ସେଠାକୁ ବସ୍‌ଷ୍ଟାଣ୍ଡ ଦୁଇ ବର୍ଷ ପାଇଁ ସ୍ଥାନାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହି ୭ଏକରରୁ ଏବେ ୫ଏକର ୫୯୦ ଡେସିମିଲ ଜମି ଜବରଦଖଲ ହୋଇ ରହିଛି। ୭ଟି ମଠ କବ୍‌ଜାରେ ଏହି ୫.୬ ଏକର ଜମି ଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡ କେବେ ସ୍ଥାନାନ୍ତର ହେବ ଏବଂ ଉନ୍ନତୀକରଣ କାମ କେବେ ଆରମ୍ଭ ହେବ ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଏପରିକି ସ୍ଥାନାନ୍ତର ସମସ୍ୟା ଯୋଗୁଁ ଦୁଇ ବର୍ଷର ଅବଧି ଆଉ କିଛି ବର୍ଷକୁ ଘୁଞ୍ଚିଯିବନି ତ ପ୍ରଶ୍ନ ଉଠିଲାଣି।

ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ବାରିରେ ୭ ଏକର ସରକାରୀ ଜମି ଥିବା ବେଳେ ଏହାକୁ ୭ଟି ମଠ ମାଡ଼ି ବସିଛନ୍ତି। ଉଚ୍ଛେଦ କରିବାକୁ ଗଲା ବେଳକୁ କୋର୍ଟଙ୍କ ସ୍ଥଗିତାଦେଶ ଦେଖାଉଛନ୍ତି। ତେଣୁ ଜବରଦଖଲମୁକ୍ତ ହୋଇପାରୁନି। କୋର୍ଟରେ ମାମଲା ଥିବାରୁ ଏନେଇ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖା ଯାଇଛି। ୧୯ ଜୁଲାଇରେ ବିଡିଏର ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ସଚିବ (ଜମି) ଏବଂ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କୁ ଚିଠି ଲେଖିଥିଲେ ହେଁ କିଛି ପଦକ୍ଷେପ ନେଇନାହାନ୍ତି। ଯେତେବେଳେ ରାଜ୍ୟ ସରକାର ଉଚ୍ଛେଦ ପାଇଁ ଅନୁମତି ଦେବେ, ସେତେବେଳେ ଉଚ୍ଛେଦ ହେବ। ଅପରପକ୍ଷେ ମିଳିତ ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ ଜୁଲାଇ ମାସରେ ଦୁଇ ଥର ଖଣ୍ଡଗିରି ବାରିରେ ଉଚ୍ଛେଦ କରାଯାଇଥିବା ବେଳେ ଏହି ସମୟରେ ଥରେ ୪୭୩୦୭ ବର୍ଗଫୁଟ ଏବଂ ଆଉ ଥରେ ୩୪ହଜାର ବର୍ଗଫୁଟ (ପ୍ରାୟ ୦.୭୮୦ ଏକର) ଜମି ଜବରଦଖଲମୁକ୍ତ ହୋଇଛି। ଏପରିକି କିଛି ମଠର ଖାଲି ଅଞ୍ଚଳକୁ ବି ପାଚେରି ବୁଲାଇବାକୁ ଯୋଜନା କରିଛି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସବୁ ମଠ ଉଚ୍ଛେଦ ହୋଇନି, ସେତେଦିନ ପର୍ଯ୍ୟନ୍ତ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥାନାନ୍ତର ହୋଇପାରିବନି।

ସମ୍ବନ୍ଧିତ ଖବର