ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ ଘଟଣା

ନିର୍ବାଚନ ପରେ ରିମାଣ୍ଡରେ ଆସିବ

ଭୁବନେଶ୍ୱର: ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ସଂଗ୍ରାମ ନାଥ ଓରଫ ବାବୁଲିକୁ ଗିରଫ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେ ବିହାରର ମୁଙ୍ଗେର୍‌ କରୱା ମୈଦାନ୍‌ ଅଞ୍ଚଳରୁ ବନ୍ଧୁକ ଆଣି କଟକ, ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ଅଞ୍ଚଳରେ ଯେଉଁମାନଙ୍କ ସହିତ ବେପାର କରୁଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି ପୁଲିସ। ଏପରିକି ଆଜି ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଗୋଟିଏ ଟିମ୍ ସେହି ସବୁ ଅଞ୍ଚଳକୁ ଯାଇ ଚଢ଼ଉ ମଧ୍ୟ କରିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ଖାଲି ହାତରେ ଫେରି ଆସିଛି। ତେବେ ବାବୁଲିକୁ ରିମାଣ୍ଡରେ ଅଣାଯିବାକୁ ଯୋଜନା ହୋଇଛି। ନିର୍ବାଚନ ଶେଷ ପରେ ତାକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବା ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି। ଇନ୍ସପେକ୍ଟର ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ବାବୁଲି ଦୀର୍ଘ ଦିନ ହେଲା ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଏଠାରେ ଥିବା ଅସାମାଜିକ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲା। ବିହାରରୁ ୧୨ରୁ ୧୪ହଜାର ଟଙ୍କାରେ ବନ୍ଧୁକ କିଣି ଏଠାରେ ୩୦ରୁ ୩୫ହଜାର ଟଙ୍କାରେ ବିକ୍ରି କରୁଥିବା କହିଛି। ୨୦୧୨ମସିହାରେ ସହିଦନଗର ଥାନାର ଏକ ମାମଲାରେ ତା’ଠାରୁ ୬ଟି ଦେଶୀ ବନ୍ଧୁକ ସହ ୯ ରାଉଣ୍ଡ ଗୁଳି ଜବତ ହୋଇଥିଲା। ଚଳିତବର୍ଷ ଜବତ ହୋଇଥିବା ଅନେକ ବନ୍ଧୁକ ବାବୁଲି ଦ୍ବାରା ଯୋଗାଯାଇଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର