ଭୁବନେଶ୍ବର: ଏଟିଏମ୍ରୁ ଟଙ୍କା ଉଠାଇବାରେ ସାହାଯ୍ୟ କରିବା ଆଳରେ ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଉଥିବା ଜଣେ ଧୂର୍ତ୍ତକୁ କମିସନରେଟ୍ ପୁଲିସ୍ର ସ୍ପେସାଲ ସ୍କ୍ବାଡ୍ ଆଜି ଗିରଫ କରିଛି। ସେ ହେଲା, ଯାଜପୁର କୃଷ୍ଣପୁର ଶାସନର ସମ୍ଭବ ଆଚାର୍ଯ୍ୟ। କାନନବିହାର ଅଞ୍ଚଳରେ ଥିବା ତା’ ଘରୁ ଆଜି ତାକୁ ଗିରଫ କରାଯାଇଛି। ତା’ଠାରୁ ନଗଦ ୪୨ ହଜାର ଟଙ୍କା, ୩ଟି ମୋବାଇଲ୍ ଓ ୬ଟି ଏଟିଏମ୍ କାର୍ଡ ଜବତ ହୋଇଛି। ଇନ୍ଫୋସିଟି ଥାନା ପୁଲିସ ତାକୁ ଆଜି କୋର୍ଟ ଚାଲାଣ କରିଛି।
ସମ୍ଭବ ନାଁରେ କଟକ, ଭୁବନେଶ୍ୱର ସମେତ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ମୋଟ ୩୦ରୁ ଊର୍ଧ୍ବ ଠକେଇ ମାମଲା ରହିଛି। କେବଳ ଦ୍ବୈତନଗରୀର ୮ଟି ଥାନାରେ ତା’ ନାମରେ ୧୯ ମାମଲା ରହିଛି। କମିସନରେଟ୍ ପୁଲିସ ତାକୁ ୧୦ଥର ଗିରଫ କରି ଜେଲ୍ ପଠାଇଥିବା ବେଳେ ପ୍ରତିଥର ସେ ଜାମିନ୍ରେ ଆସି ଏଭଳି କାଣ୍ଡ ଭିଆଉଛି। ସେହିପରି ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ତା’ ନାମରେ ୧୧ଟି ମାମଲା ରହିଛି। ଦୁଇଟି ମାମଲାରେ ମହାରାଷ୍ଟ୍ର ପୁଲିସ ତାକୁ ଖୋଜୁଛି। ଆଜି ସମ୍ଭବ ଗିରଫ ହେବା ପରେ ମହାରାଷ୍ଟ୍ର ପୁଲିସକୁ ଅବଗତ କରାଯାଇଛି। ତେବେ ଆଉ କେଉଁ କେଉଁ ଠକେଇରେ ସେ ସାମିଲ ଅଛି, ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ପୁଲିସ୍ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୦ ତାରିଖ ଦିନ ପଟିଆ ଏସ୍ବିଆଇ ଏଟିଏମ୍ରୁ ପଟିଆର ଫଡିନାମ୍ ତିର୍କୀ ଟଙ୍କା ଉଠାଇବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସମ୍ଭବ ପଛପଟେ ଛିଡ଼ା ହୋଇ ପିନ୍ ନମ୍ବର ନୋଟ୍ କରିବା ସହ ସାହାଯ୍ୟ କରିବା ପାଇଁ କହିଥିଲା। ଏଟିଏମ୍ କାର୍ଡକୁ ମେସିନ୍ ଭିତରେ ପୂରାଇ ବାହାର କରିବା ଭିତରେ ସମ୍ଭବ ଚତୁରତାର ସହ ଫଡିନାମ୍ଙ୍କ କାର୍ଡଟିକୁ ନେଇ ତାଙ୍କୁ ନକଲି କାର୍ଡ ଧରାଇ ଦେଇଥିଲା। ପରେ ମେସିନ୍ ଖରାପ ଅଛି କହି ସେଠାରୁ ଚାଲି ଯାଇଥିଲା। ଏହାର ଘଣ୍ଟାଏ ପରେ ଫଡିନାମ୍ଙ୍କ ଆକାଉଣ୍ଟରୁ କଟକ ରଘୁନାଥପୁର ଶାଖା ଏଟିଏମ୍ରୁ ୨୦ ହଜାର ଓ ଚୌଧୁରୀ ବଜାର ଏଟିଏମ୍ରୁ ୭ହଜାର ଟଙ୍କା ଉଠାଣ ହୋଇଥିବା ମେସେଜ୍ ଆସିଥିଲା। ଫଡିନାମ୍ ତାଙ୍କର ଏଟିଏମ୍ କାର୍ଡ ଯାଞ୍ଚ କରିବାରୁ ତାହା ନକଲି ବୋଲି ଦେଖିବା ପରେ ତାଙ୍କ ମୁଣ୍ଡ ଘୂରି ଯାଇଥିଲା। ଏନେଇ ସେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ରୁ ସମ୍ଭବକୁ ଚିହ୍ନଟ କରାଯିବା ପରେ ତାକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ହେଲେ ସେବେଠାରୁ ସେ ଫେରାର୍ ହୋଇଯାଇଥିଲା। ଗତକାଲି ସେ ଘରେ ଥିବା ଖବର ପାଇ ସ୍ପେସାଲ ସ୍କ୍ବାଡ୍ ଚଢ଼ଉ କରି ତାକୁ ଗିରଫ କରିଥିଲା।
ମାଟ୍ରିକ୍ ପାସ୍ କରିଥିବା ସମ୍ଭବ ଏଭଳି କାମରେ ବେଶ୍ ଧୂରନ୍ଦର ଥିଲା। ତାକୁ ପଚରାଉଚରା ବେଳେ ଜଣା ପଡ଼ିଥିଲା ଯେ ଓଡ଼ିଶାରୁ ଲୁଟପାଟ୍ କରିବା ପରେ ସେ ମହାରାଷ୍ଟ୍ର ଚାଲି ଯାଉଥିଲା। ସେଠାରେ କାର୍ ଭଡ଼ା କରି ଏଟିଏମ୍ରୁ ଏଟିଏମ୍ ଘୂରି ବୁଲୁଥିଲା। ଏହିଭଳି ଢଙ୍ଗରେ ଲୋକଙ୍କୁ ଲୁଟିବା ପରେ ପୁଣି ଓଡ଼ିଶା ଫେରି ଆସୁଥିଲା। ଗତ ମେ’ ମାସରେ ସାକିନାକା ପୁଲିସ ତାକୁ ଗିରଫ କରିଥିଲା। ତା’ ନାମରେ ବାନ୍ଦ୍ରା, ସାନ୍ତାକ୍ରୁଜ୍, ବୋରିଭାଲି, ଅନ୍ଧେରୀ ପ୍ରଭୃତି ଥାନାରେ ଏକାଧିକ ମାମଲା ରହିଛି। ସେହିଭଳି କଟକ ପୁରୀଘାଟ ଥାନାରେ ୫ଟି, କ୍ୟାପିଟାଲ ଥାନାରେ ୭ଟି, ଖାରବେଳ ନଗର ଥାନାରେ ୨ଟି, ନୂଆପଲ୍ଲୀ, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ଓ ବଡ଼ଗଡ଼ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। କମିସନରେଟ୍ ପୁଲିସ ତାକୁ ୧୦ଥର ଗିରଫ କରିଥିବା ବେଳେ ଶେଷଥର ୨୦୧୭ ମସିହାରେ ଗିରଫ କରିଥିଲା।