ପୁଲିସ ପଞ୍ଝାରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: ବ୍ୟାଙ୍କଫେରନ୍ତା ଗ୍ରାହକଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ପାଟ୍‌ କରୁଥିବା ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ୍‌ ଠାବ କରିଛି। ପୁଲିସ୍‌ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍‌ ହୋଇଯାଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ରାଜଗାଙ୍ଗ ଅଞ୍ଚଳର ବାଦଲ ଗୋୱାଲ (୩୪) ଓ ଅନିକେତ ଦାସ (୨୨)। ସେମାନଙ୍କ ନିକଟରୁ ପୁଲିସ ନଗଦ ୧ଲକ୍ଷ ୫୦ ହଜାର ଟଙ୍କା, ୨ଟି ନକଲି ଭୋଟର୍‌ ଆଇଡି କାର୍ଡ ଓ ୩ଟି ମୋବାଇଲ୍‌ ଜବତ କରିଛି। ଫେରାର୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ତନାଘନା ଚଳାଇଛି। ଏହି ଗ୍ୟାଙ୍ଗ୍‌ର ଚେର ରାଜଧାନୀରୁ ପଶ୍ଚିମବଙ୍ଗ ଯାଏ ଲମ୍ବିଥିବାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ୍‌ ଏହି ୨ ଲୁଟେରାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି।

ସୂଚନାନୁଯାୟୀ, ଏହି ଗ୍ୟାଙ୍ଗ୍‌ର ଲୁଟ୍‌ କରିବାର କୌଶଳ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବିଶେଷକରି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ୍‌ କରୁଥିଲେ। ନମ୍ବର ବିହୀନ ବାଇକ୍‌ରେ ପିଛା କରି ସୁଯୋଗ ଦେଖି ଟଙ୍କା ବ୍ୟାଗ୍‌ ଝାମ୍ପି ନେଉଥିଲେ। ଗତ ୫ରୁ ୧୦ ତାରିଖ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ଘଟିଥିବା ୪ ଲୁଟ୍‌ ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ପୁଲିସ୍‌ କହିଛି। ସବୁ ଲୁଟ୍‌ ମଧ୍ୟରେ ସାମଞ୍ଜସ୍ୟ ରହିଥିଲା। ବ୍ୟାଙ୍କ ଫେରନ୍ତା ଗ୍ରାହକଙ୍କୁ ହିଁ ଏମାନେ ଲୁଟିଥିଲେ। ରାଜଧାନୀରେ ଏପରି ଏକ ଗ୍ୟାଙ୍ଗ୍‌ ସକ୍ରିୟ ଥିବା ଜଣାପଡ଼ିବା ପରେ ସ୍ପେସାଲ ସ୍କ୍ବାଡ୍‌ ଟିମ୍ ସିସିଟିଭିରେ କଏଦ୍‌ ଅପରାଧୀଙ୍କ ଚେହେରା ଏବଂ ଅପରାଧରେ ବ୍ୟବହୃତ ବାଇକ୍‌ ଆଧାରରେ ସେମାନଙ୍କୁ ଧରିଥିଲା। ଏଥିରେ ମୋଟ ୫ଜଣ ଅପରାଧୀ ସମ୍ପୃକ୍ତ ଥିବା ବେଳେ ସେମାନେ ନକଲି ରେଜିଷ୍ଟ୍ରେସନ୍ ନମ୍ବର ବ୍ୟବହାର କରି ଦୁଇଟି ପଲସର୍‌‌ରେ ଅପରାଧ ଘଟାଉଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତମାନଙ୍କ ଘର ବିହାର ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ। ଅଭିଯୁକ୍ତମାନେ ଯାଜପୁର କୁଆଖାଇରୁ ଏକ ଭଡ଼ା କାର୍‌ରେ କୋଲକାତା ଫେରାର୍‌ ହୋଇଯିବାକୁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଏହି ଅପରାଧୀମାନେ ବିହାରର କୋହା ତଥା କାଟିହାରର ସବୁଠାରୁ କୁଖ୍ୟାତ ଏନୟୁଟି ଗ୍ୟାଙ୍ଗର ସଦସ୍ୟ ଓ ଚୋରା ବାଇକ୍ ବ୍ୟବହାର କରି ବିଭିନ୍ନ ରାଜ୍ୟରେ ଅପରାଧ ଘଟାଇଥାନ୍ତି ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଖାଲି ଭୁବନେଶ୍ବରରେ ସେମାନଙ୍କ ନାଁରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ରାଉରକେଲାର ଗୋଟିଏ, ଆସାମରେ ୧୫ଟି, ବିହାରରେ ୭ଟି ଏବଂ ପଶ୍ଚିମବଙ୍ଗରେ ଏକାଧିକ ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ କମିସନରେଟ୍‌ ପୁଲିସ୍‌ ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ପୁଲିସ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର