ରାଜଧାନୀରେ ଅନ୍ତଃରାଜ୍ୟ ସିମ୍ ସ୍ୱାପିଂ ଗ୍ୟାଙ୍ଗ୍

୨ଜଣଙ୍କୁ ଗିରଫ କଲା ସ୍ପେସାଲ୍ ସ୍କ୍ବାଡ୍, ୫ଟି ଡିଜିଟାଲ ସ୍ୱାପିଂ ମେସିନ୍ ଜବତ

ଭୁବନେଶ୍ବର : ସିମ୍ ସ୍ୱାପିଂ ବା ସିମ୍ ହାଇଜାକିଂ ବା ପୋର୍ଟ ଆଉଟ୍ ସ୍କାମ୍ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ବରର ସ୍ପେସାଲ୍ ସ୍କ୍ବାଡ୍। ବଡ଼ବଡ଼ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ପ୍ରଭ‌ାବଶାଳୀ ବ୍ୟକ୍ତି ବ୍ୟବହାର କରୁଥିବା ଫ୍ୟାନ୍ସି ଫୋନ୍‌ ନମ୍ବର ବା ଭ୍ୟାନିଟି ନମ୍ବରକୁ ଜାଲିଆତି କରି ଲୋକଙ୍କୁ ବିକ୍ରି କରୁଥିବା ଏହି ଗ୍ୟାଙ୍ଗ୍‌ର ଭୁବନେଶ୍ବର ଦାୟିତ୍ବରେ ଥିବା ଦୁଇଜଣ ଟିମ୍ ମୁଖିଆଙ୍କୁ କଟକ ବଡ଼ମ୍ବାରୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସମିଆ ଗାଁର କେଶବ ଚନ୍ଦ୍ର ଧୀର ଓ ରସୁଲଗଡ଼ ନୂଆସାହିର ସଂଜିତ କୁମାର ପଣ୍ଡା। ସ୍ପେସାଲ୍ ସ୍କ୍ବାଡ୍ ଦୁଇଜଣଙ୍କ ପାଖରୁ ୫ଟି ଡିଜିଟାଲ୍ ସ୍ବାପିଂ ମେସିନ୍ ଜବତ କରିଛି। ଏ ନେଇ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଉଭୟଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସାରା ଦେଶରେ ଏଭଳି ଠକଙ୍କ ଏକ ବଡ଼ ରୢାକେଟ୍ କାମ କରୁଥିବା ପୁଲିସ କହିଛି।

ସୂଚନା ମୁତାବକ, କିଛିଦିନ ତଳେ ଇନ୍‌ଫୋସିଟି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଫ୍ୟାନ୍ସି ନମ୍ବର ହଠାତ୍ ଅଚଳ ହୋଇଯାଇଥିଲା। ସେ ଫୋନ୍ କରି ସିମ୍ କଷ୍ଟମର୍ କେୟାର ନମ୍ବରରେ ଅଭିଯୋଗ କରିବାରୁ ଏଭଳି କୌଣସି ଫ୍ୟାନ୍ସି ନମ୍ବର ତାଙ୍କ କମ୍ପାନି ତରଫରୁ ଦିଆଯାଇ ନାହିଁ ବୋଲି କୁହାଯାଇଥିଲା। ଏହା ପରେ ବ୍ୟବସାୟୀ ଜଣକ ବାଧ୍ୟ ହୋଇ ଇନ୍‌ଫୋସିଟି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ବାରମ୍ବାର ଥାନାକୁ ଦୌଡ଼ିବା ପରେ ବି ପୁଲିସ ଏହାର କୂଳକିନାରା ପାଇ ନ ଥିଲା। ତେବେ ଏହା ପଛରେ ଏକ ସିମ୍ ହାଇଜାକ୍ ଗ୍ୟାଙ୍ଗ୍‌କୁ କାମ କରୁଛି ବୋଲି ସ୍ପଷ୍ଟ ହେବାରୁ ଏହି ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ସ୍ପେସାଲ୍ ସ୍କ୍ବାଡ୍ ଏହାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରୁ ଜଣା ପଡ଼ିଥିଲା ଯେ କେଶବ ଓ ସଂଜିତ ନାମକ ଦୁଇ ଯୁବକ ଉକ୍ତ ମୋବାଇଲ ସିମ୍ କମ୍ପାନିରେ କିଛି ମାସ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଯୁକ୍ତ ଥିଲେ। ଉଭୟ ସ୍ଥାନୀୟ ଲୋକଙ୍କ ନମ୍ବର ରିଚାର୍ଜଠୁ ଆରମ୍ଭ କରି ସିମ୍ ଆକ୍ଟିଭେଟ୍ କରିବା, ଡିଜିଟାଲ୍ ସିମ୍ ସ୍ବାପ୍ କରିବା, ଫ୍ୟାନ୍ସି ନମ୍ବର ଦେବା ଆଦି କାମ କରୁଥିଲେ। ଆଉ ଏଥିପାଇଁ ସିମ୍ କମ୍ପାନି ପକ୍ଷରୁ ଏକ ଲାପୁ(ଲୋକାଲ୍ ଏରିଆ ପେମେଣ୍ଟ ୟୁନିଟ୍) ନମ୍ବର ମଧ୍ୟ ଦିଆଯାଉଥିଲା। ଲାପୁ ନମ୍ବରରେ ଡିଜିଟାଲ୍ ସିମ୍ ସ୍ବାପିଂ କରାଯାଉଥିବାରୁ ଏମାନେ ସାଧାରଣ ଲୋକ ବ୍ୟବହାର କରୁଥିବା ନମ୍ବର ସହିତ ଫ୍ୟାନ୍ସି ନମ୍ବର ବ୍ୟବହାର କରୁଥିବା ଲୋକଙ୍କ ନମ୍ବରକୁ ପ୍ରଥମେ ଟାର୍ଗେଟ୍ କରୁଥିଲେ। ଫ୍ୟାନ୍ସି ନମ୍ବରର ଚାହିଦା ମାର୍କେଟ୍‌ରେ ଭଲ ଥିବାରୁ ଫ୍ୟାନ୍ସି ନମ୍ବର ବ୍ୟବହାର କରୁଥିବ ଲୋକଙ୍କ ନମ୍ବରକୁ ପ୍ରଥମେ ସିମ୍ ସ୍ବାପ୍ କରି ହାଇଜାକ୍ କରୁଥିଲେ। ଆଉ ତା’ପରେ ସାଙ୍ଗେ ସାଙ୍ଗେ ଉକ୍ତ ନମ୍ବରକୁ ଅନ୍ୟ ନେଟଵର୍କକୁ ବଦଳାଇ ଦେଉଥିଲେ। ଫଳରେ ସିମ୍ ଅଚଳ ହେବା ପରେ କଷ୍ଟମର୍ କେୟାର୍‌କୁ ଫୋନ୍ କରି ଅଭିଯୋଗ କରୁଥିବା ଲୋକେ କୌଣସି ସୁଫଳ ପାଉନଥିଲେ। କାରଣ ନମ୍ବର ପୋର୍ଟାବିଲିଟି କାରଣରୁ କମ୍ପାନି ପାଖରେ ଉକ୍ତ ନମ୍ବରର କୌଣସି ତଥ୍ୟ ରହୁନଥିଲା। ତେଣୁ ଏହା କମ୍ପାନି ନମ୍ବର ନୁହେଁ ବୋଲି କର୍ମଚାରୀମାନେ କହୁଥିଲେ। ଏହି ଭଳି ଦୁଇ ଠକ ୩୬ଟି ଫ୍ୟାନ୍ସି ନମ୍ବର ହାଇଜାକ୍ କରି ମିଥ୍ୟା ଆଧାର କାର୍ଡ, ପ୍ୟାନ, ଡିଏଲ୍, ନକଲି ଲୋକଙ୍କ ଫଟୋ ଦ୍ବାରା ଉକ୍ତ ନମ୍ବରକୁ ଆକ୍ଟିଭେଟ୍ କରିଥିଲେ ଏବଂ ପରେ ଚଢ଼ା ଦରରେ ଭାରତର ବିଭିନ୍ନ ରାଜ୍ୟର ଲୋକଙ୍କୁ ଫ୍ୟାନ୍ସି ନମ୍ବର ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଫ୍ୟାନ୍ସି ନମ୍ବର ଟାର୍ଗେଟ ବ୍ୟତୀତ ବ୍ୟାଙ୍କ୍‌ରୁ ଟଙ୍କା ଲୁଟିବା ପାଇଁ ମଧ୍ୟ ଏହି ଗ୍ୟାଙ୍ଗ୍‌ ସିମ୍ ସ୍ବାପ୍ କରୁଥିବା ପୁଲିସ କହିଛି। ଆଉ ଏହି ସିମ୍ ହାଇଜାକ୍ ଗ୍ୟାଙ୍ଗ୍‌ର ମାତ୍ର ୨ଜଣ ସଦସ୍ୟ ଧରାପଡ଼ିଥିବା ବେଳେ ଆହୁରି ଅନେକ ଠକ ଲୁଚିଥିବା ପୁଲିସ ସୂଚନା ଦେଇଛି। ଏମାନଙ୍କ ଚେର ସାରା ଦେଶରେ ଲମ୍ବିଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ସିମ୍ ହାଇଜାକ୍ କେମିତି ହୁଏ?
ସାଧାରଣତଃ ଭାରତରେ ହେଉଥିବା ଏହି ସିମ୍ ହାଇଜାକ୍ ବା ସିମ୍ ସ୍ବାପିଂ ବିଶେଷତଃ ବ୍ୟାଙ୍କ୍‌ରୁ ଟଙ୍କା ହଡ଼ପ ପାଇଁ ବ୍ୟବହାର କରାଯାଏ। ଆଉ ଏଥିପାଇଁ ସାଇବର ଠକ ପ୍ରଥମେ ସୋସିଆଲ୍ ଇଂଜିନିୟରିଂ ପଦ୍ଧତିରେ ସାଧାରଣ ଲୋକଙ୍କୁ ଜାଲରେ ପକାନ୍ତି। ଏହି ପଦ୍ଧତିରେ ଆପଣ ବ୍ୟବହାର କରୁଥିବା ସିମ୍‌ର ଶେଷ ୫ଟି ରିଚାର୍ଜ କେବେ ହୋଇଥିଲା; କେଉଁ ନମ୍ବର ସହିତ ଆପଣ ଯୋଗାଯୋଗ କରିଛନ୍ତି; କେଉଁ ଦିନ କେତେ ଡାଟା ଆପଣ ବ୍ୟବହାର କରିଛନ୍ତି; ଏହା ସହିତ ଆପଣଙ୍କ ଜନ୍ମଦିନ ଓ ପରିଚୟପତ୍ର ଆଦି ବିଷୟରେ ତଥ୍ୟ ସଂଗ୍ରହ କରେ ଠକ। ଆଉ ଏହା ପରେ ଫୋନ୍ କରି ଆପଣଙ୍କ ସିମ୍ ଆଉ କିଛି ଘଣ୍ଟା ମଧ୍ୟରେ ଅଚଳ ହେବ ବୋଲି ଡରାଇଥାଏ। ଆପଣ ଏହାକୁ ବିଶ୍ବାସ ନ କଲେ ଠକ ସିମ୍‌ ସମ୍ବନ୍ଧରେ ସଂଗ୍ରହ ହୋଇଥିବା ତଥ୍ୟ ଓ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେଇ ଆପଣଙ୍କ ମନରେ ବିଶ୍ବାସ ଜନ୍ମାଇଥାଏ।

ଏହା ପରେ ମୋବାଇଲ୍‌କୁ ଏକ କୋଡ୍ ପଠାଇ ସେଥିରେ ଅନ୍ୟ ଏକ ଦେବାକୁ କୁହେ। ଉକ୍ତ ନମ୍ବର ଦେବା ପରେ ଓଟିପି ମାଗି ସିମ୍ ହାଇଜାକ୍ କରେ। ସିମ୍ ହାଇଜାକ୍ ହେବା ପରେ ଆପଣଙ୍କ ସିମ୍‌ ସହିତ ଜଡ଼ିତ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍‌ର ତଥ୍ୟ ବାହାର କରି ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ୍ ଜରିଆରେ ଟଙ୍କା ଲୁଟ୍ କରେ। ଏହି ଗ୍ୟାଙ୍ଗ ବିଶେଷତଃ ରାଜସ୍ଥାନର ଭରତପୁରରେ ରହି ଦେଶ ସାରା ନେଟଓ୍ୱର୍କ ଚଳାଇଥାନ୍ତି।

ସମ୍ବନ୍ଧିତ ଖବର