ବିନା ଅଭ୍ୟାସରେ ଗୁରୁଜୀଙ୍କ ସହ ଗୀତଗୋବିନ୍ଦରେ ନାଚିଥିଲି : ହେମାମାଳିନୀ

ଡ୍ରିମ୍‌ ଗର୍ଲ.. ଡ୍ରିମ୍‌ ଗର୍ଲ.. କିସି ସାୟର କି ଗଜଲ… ଗୀତ ଏବେ ବି ବାଜିଲେ ମନେ ପଡ଼ିଯାଆନ୍ତି ୭୦ ଦଶକର ସ୍ୱପ୍ନ ସୁନ୍ଦରୀ ହେମାମାଳିନୀ। ଆକର୍ଷଣୀୟ ଚେହେରା, ଅଭିନୟର ପରାକାଷ୍ଠା ଓ ବେଧଡ଼କ ନୃତ୍ୟ ଯୋଗୁଁ ୫୦ ବର୍ଷ ଧରି ବଲିଉଡ୍‌ରେ ସେ ନିଜ ଦବ୍‌ଦବା ଜାରି ରଖିଛନ୍ତି। ‘ସୀତା ଔର ଗୀତା’ରେ ଦୁଇ ବିପରୀତ ଚରିତ୍ର ହେଉ କି ‘ସୋଲେ’ର ବସନ୍ତୀ ଚରିତ୍ର। ତାଙ୍କ ନିଖୁଣ ଅଭିନୟ ଓ ଅପରୂପ ସୌନ୍ଦର୍ଯ୍ୟ ତାଙ୍କୁ ଦେଇଛି ‘ଡ୍ରିମ୍‌ ଗର୍ଲ’ର ପରିଚୟ। ଅଭିନୟ ସାଙ୍ଗକୁ ନିର୍ଦେଶନା, ପ୍ରଯୋଜନା, ନୃତ୍ୟ, ସଂଳାପ ରଚନା, ରାଜନୀତି ଓ ସମାଜସେବା। ପ୍ରତିଟି କ୍ଷେତ୍ରରେ ସଫଳତାକୁ ସ୍ପର୍ଶ କରିଥିବା ହେମା ମାଳିନୀ ଆଜି ଭୁବନେଶ୍ୱର ଆସିଥିବା ଅବସରରେ ତାଙ୍କ ସହ ‘ସମ୍ବାଦ’ର ସାକ୍ଷାତକାର। ପ୍ରସ୍ତୁତି :
ସସ୍ମିତା ସାହୁ

ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଆପଣ କେମିତି ମନେ ପକାନ୍ତି?
ଜଣେ ଗୁରୁ ହିସାବରେ ସେ ମୋ ହୃଦୟ ଓ ମାନସପଟରେ ସବୁବେଳେ ଉଜ୍ଜୀବିତ। ଭୁବନେଶ୍ୱରକୁ ମୁଁ ଯେବେ ବି ଆସେ ଏଠାର ମାଟି ସ୍ପର୍ଶ କରୁକରୁ ଗୁରୁ କେଳୁଚରଣଙ୍କ ସ୍ମୃତି ତାଜା ହୋଇଯାଏ। ସେ ଥିବା ସମୟରେ ମୁଁ ଏଠାକୁ ୨ ଥର ଆସିଛି। ସେ ମତେ ପ୍ରଥମେ ଘରକୁ ନେଇ ସେଠାରେ ଠାକୁର ଘରେ ପୂଜା କରନ୍ତି। ଏହା ପରେ ସୁସ୍ୱାଦୁ ଖାଦ୍ୟ ପରସି ଦେବା ସହ ନୃତ୍ୟର ବହୁ ଦିଗ ବିଷୟରେ ମୋ ଜ୍ଞାନକୁ ପରିବ୍ୟାପ୍ତ କରାଉଥିଲେ।

ଗୁରୁଙ୍କ ସହ ଆପଣଙ୍କର କିଛି ଅଭୁଲା ସ୍ମୃତି ସମ୍ପର୍କରେ କହିବେ?
ଗୁରୁ କେଳୁଚରଣଙ୍କ ସହ ସମସ୍ତ ସ୍ମୃତି ଅବିସ୍ମରଣୀୟ। କିନ୍ତୁ ମୁଁ ଏଭଳି ଏକ ମହାନ୍‌ ନୃତ୍ୟଶିଳ୍ପୀଙ୍କ ସହ ମଞ୍ଚ ଉପରେ ନୃତ୍ୟ କରିବାର ସୁଯୋଗକୁ କେବେ ଭୁଲିବିନି। ମୁମ୍ବାଇରେ ଥରେ ବିନା ଅଭ୍ୟାସରେ ଗୁରୁଜୀଙ୍କ ସହ ଓଡ଼ିଶୀ ନୃତ୍ୟରେ ଗୀତଗୋବିନ୍ଦ କରିବାର ସୁଯୋଗ ପାଇଥିଲି। ଶେଷ ଯାଏଁ ତାହା ମୋର ମନେ ରହିବ।

ହେମାମାଳିନୀ ଜଣେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଓ ରାଜନେତା? କେଉଁ ରୂପରେ ନିଜକୁ ନିଜେ ଆପଣ ଗ୍ରହଣ କରିବାକୁ ଚାହାନ୍ତି?
ହେମାମାଳିନୀ- ଦ ଡ୍ରିମ୍‌ ଗର୍ଲ। ଏହି ନାମରେ ମୁଁ ଭାରତର କୋଣ ଅନୁକୋଣରେ ପ୍ରସିଦ୍ଧ। ଦର୍ଶକ ମତେ ଏହି ରୂପରେ ଚିହ୍ନନ୍ତି ଓ ଗ୍ରହଣ କରିଛନ୍ତି। ତେଣୁ ଜୀବନ ଥିଲା ଯାଏଁ ହେମାମାଳିନୀ ନିଜକୁ ଅଭିନେତ୍ରୀ ଭାବେ ଦେଖିବାକୁ ଚାହେଁ।

ଓଡ଼ିଶୀକୁ କିପରି ନିଜର କରିପାରିଛନ୍ତି?
ଗୁରୁ କେଳୁଚରଣଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ ମଧ୍ୟ ଓଡ଼ିଶୀରେ ବେଶି କିଛି କରି ପାରି ନଥିବାରୁ ମୁଁ ଦୁଃଖିତ। କିନ୍ତୁ ମୋର ଓଡ଼ିଶୀ ନୃତ୍ୟ ଶିଖିିବାର ସ୍ୱପ୍ନ ମୋ ଦ୍ୱିତୀୟ ଝିଅ ଆହାନା ପୂରଣ କରୁଛି। ଗୁରୁଙ୍କ ଦ୍ୱାରା ପୂର୍ବରୁ ମୁମ୍ବାଇରେ ଆୟୋଜିତ ହେଉଥିବା କର୍ମଶାଳାରୁ ଆହାନା ଓଡ଼ିଶୀ ଶିଖିଥିବା ବେଳେ ଏବେ ଗୁରୁ ସୁଜାତା ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଜାରି ରଖିଛି।

ଚଳଚ୍ଚିତ୍ର ପାଇଁ ନୃତ୍ୟ ଶିଖିବା କେତେ ଜରୁରୀ?
ବର୍ତ୍ତମାନ ସମୟ ବଦଳିଛି। ବିଭିନ୍ନ ନୃତ୍ୟଶୈଳୀ ଆମ ସଂସ୍କୃତିରେ ପ୍ରବେଶ କଲାଣି। ସେ ସବୁକୁ ଆପଣେଇବା କଷ୍ଟ। ତେଣୁ ଶାସ୍ତ୍ରୀୟ ହେଉ ବା ଯେକୌଣସି ପ୍ରକାର ନୃତ୍ୟଶୈଳୀ, ସବୁ ନୃତ୍ୟକୁ ସମ୍ମାନ ଦେବା ଜରୁରି।

ଓଡ଼ିଶାର କେଉଁ ଖାଦ୍ୟ ଆପଣ ପସନ୍ଦ କରନ୍ତି?
ମୁଁ ଯେବେ ବି ଓଡ଼ିଶା ଆସେ ଏଠାକାର ନିରାମିଷ ଥାଳି ଖାଇବାକୁ ପସନ୍ଦ କରେ।

ସମ୍ବନ୍ଧିତ ଖବର