ଅଭିନୟରେ ସେ ଯେତିକି ଚର୍ଚିତ, ଯୁକ୍ତି ବାଢ଼ିବାରେ ସେତିକି ପାରଙ୍ଗମ। ସିନେ ପରଦାର ହସଲୁହର ଗୋଲକ ଧନ୍ଦା ଭିତରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଆଉ ତତାଇଛନ୍ତି। ଦୁଇ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ପାରଦର୍ଶିତା ଦେଖାଇ ଆସିଥିବା କୁନା ତ୍ରିପାଠୀ ଏବେ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଦାୟିତ୍ୱ ଦିଆଯାଇଛି। ଏହି ବିଭାଗର ଦାୟିତ୍ୱ ସ୍ୱାଗତଯୋଗ୍ୟ। ନୂଆ ଚଉକି ହାସଲ ପରେ ତାଙ୍କ ସହ ଆଳାପରୁ କିଛି..

Advertisment

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) କେବଳ ସାଇନ୍‌ବୋର୍ଡରେ ସୀମିତ ରହିଥିବା ଅଭିଯୋଗ ହୁଏ। ଏମିତି ଏକ ବିଭାଗର ମୁଖିଆ ହେବା ପରେ ମୁଖ୍ୟ ଦାୟିତ୍ୱ କ’ଣ ରହିବ ?
ପ୍ରଥମେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାରକୁ ପ୍ରାଥମିକତା ଦେବି। ଓଏଫ୍‌ଡିସି ବିଲ୍‌ଡିଂର ସ୍ଥିତି ମଧ୍ୟ ବହୁତ ଖରାପ। ପ୍ରଯୋଜକଙ୍କୁ ପ୍ରୋତ୍ସାହନ ପାଇଁ ଋଣ ଓ ସବ୍‌ସିଡିର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବି। ଫିଲ୍ମ ହେଉଛି ଗ୍ଲାମର୍ସ ଦୁନିଆର କଥା। ତେଣୁ ଏହି ବିଲ୍‌ଡିଂ କିଭଳି ଭଲ ଦିଶିବ ସେ ଦିଗରେ ମଧ୍ୟ ପଦକ୍ଷେପ ନେବି।

ସିନେମା ହଲ୍‌ ସଂଖ୍ୟା ୮୧କୁ ଖସି ଆସିଛି। ଓଡ଼ିଆ ସିନେମା ଜଗତ ପ୍ରଭାବିତ ହେବାର ଏହା ଆଉ ଏକ ପ୍ରମୁଖ କାରଣ ବୋଲି ବାରମ୍ବାର ଅଭିଯୋଗ ଉଠିଛି, ଏ ସମ୍ପର୍କରେ କ’ଣ ଚିନ୍ତା କରିଛନ୍ତି ?
ମୁଖ୍ୟମନ୍ତ୍ରୀଙ୍କ କାନରେ ନିଶ୍ଚିତ ଏକଥା ପକାଯିବ। ପ୍ରତି ପଞ୍ଚାୟତରେ ସିନେମା ହଲ୍‌ ହେବା ନେଇ ପୂର୍ବରୁ ଘୋଷଣା କରାଯାଇଛି। ତେଣୁ ଏ ଦିଗରେ ମଧ୍ୟ ମନଯୋଗ ଦେବି।

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପୁଣି ଲୟକୁ ଫେରିବ କି ?
ମୁଁ ବ୍ୟକ୍ତିଗତ ଭାବେ ଶହେରୁ ଶହେ ଆଶାବାଦୀ। ଦର୍ଶକ ଆମ ସିନେମାକୁ ଫେରିବେ। ଆମ ଶୈଳୀର କାହାଣୀକୁ ନେଇ ସିନେମା ହେବ।

ଚଳଚ୍ଚିତ୍ର ନୀତି ସମ୍ପର୍କରେ ଘୋଷଣା ହୋଇଥିଲେ ବି ହୋଇପାରିନି, କ’ଣ କହିବେ ?
ଚଳଚ୍ଚିତ୍ର ସହ ସଂପୃକ୍ତ ସମସ୍ତ ସଂଘର ପରାମର୍ଶ ନେବି। ଅନ୍ୟ ରାଜ୍ୟରେର ଯେଉଁ ରାଜ୍ୟ ଚଳଚ୍ଚିତ୍ର ନୀତି ଅଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତାକୁ ଦେଖିବା ପରେ ଚଳଚ୍ଚିତ୍ର ନୀତି ନେଇ ଆଲୋଚନା କରିବି।