ଭୁବନେଶ୍ବର: କେତେବେଳେ ପ୍ରଚାରରେ ସମର୍ଥକ ବା ଶୋଭାଯାତ୍ରା ମୁହାଁମୁହିଁ ଓ ଠେଲାପେଲା ତ କେତେବେଳେ ଖଣ୍ଡା ଭୁଜାଲିରେ ଆକ୍ରମଣ ପ୍ରତିଆକ୍ରମଣ। ପୁଣି କେତେବେଳେ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼। ମତଦାନ ପୂର୍ବରୁ ରାଜଧାନୀର ନିର୍ବାଚନୀ ହିଂସା ଏମିତି ବଢ଼ି ଯାଉଛି ଯେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଲାଣି। ଏହାର ପ୍ରଭାବ ମତଦାନର ହାର ଉପରେ ପଡ଼ିପାରେ ବୋଲି ଲୋକେ ଆଶଙ୍କା କଲେଣି। ଗତ ସପ୍ତାହକ ମଧ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳମଧ୍ୟରେ ତିନି ତିନି ଥର ମୁହାଁମୁହିଁ ହେବା ଏହାର କାରଣ। ଏହାକୁ ନେଇ କମିସନରେଟ୍‌ ପୁଲିସର ଚିନ୍ତା ମଧ୍ୟ ବଢ଼ିଗଲାଣି।

Advertisment

ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୧୨ଟା ବେଳେ ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍‌ ସମ୍ମୁଖରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଯଦିଓ ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି, ହେଲେ ଗୋଟିଏ ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେଣୁ କ୍ଷୟକ୍ଷତି ବଢ଼ିବାର ସବୁ ଆଶଙ୍କା ଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏବେ ବି ସେଠାରେ ଛକାପଞ୍ଝା ସ୍ଥିତି ଲାଗି ରହିଛି। ଏନେଇ ଏକ ପକ୍ଷର ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ଘଟଣାର ତନାଘନା ଜାରି ରଖିଛି। ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚକରି ୩ଜଣଙ୍କୁ ଚିହ୍ନଟ ହିଁ କରା ଯାଇଛି। କାହାକୁ ଗିରଫ କରା ଯାଇନାହିଁ। ତେବେ ଦୁଇ ପ୍ରମୁଖ ଦଳର ଶୋଭାଯାତ୍ରାରୁ ଏହି ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା ବୋଲି ଚର୍ଚ୍ଚା ହେଉଛି। ବୋମାମାଡ଼ ଘଟଣାର ଠିକ୍‌ ଦିନକ ପୂର୍ବରୁ କ୍ୟାପିଟାଲ୍‌ ଥାନା ୟୁନିଟ୍‌-୬ ଅଞ୍ଚଳରେ ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥକ ମୁହାଁମୁହିଁ ହେବାରୁ ଉତ୍ତେଜନା ଦେଖାଦେଇଥିଲା ପ୍ରତିବାଦରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ଓ ତାଙ୍କ ସମର୍ଥକ କ୍ୟାପିଟାଲ୍‌ ଥାନା ଘେରାଉ କରିଥିଲେ। ଗତ ସୋମବାର ଦିନ ମଧ୍ୟ ପ୍ରଚାର ସମୟରେ ସମାନ ସ୍ଥିତି ଉପୁଜିଥିଲା ମଧ୍ୟ ନିର୍ବାଚନମଣ୍ଡଳୀର ନୂଆପଲ୍ଲୀ ଥାନା ତ୍ରିନାଥ ବସ୍ତି ବାଲିତୋଟା ସାହି ଅଞ୍ଚଳରେ। ପ୍ରଚାର ସମୟ ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା। ଅବଶ୍ୟ ତିନିଟି ଯାକ ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଥିବା ବେଳେ ବିଶେଷ କରି ୫ଟି ନିର୍ବାଚନମଣ୍ଡଳୀରେ ଥିବା ୧୧୧୭ ବୁଥରୁ ୧୪୯ଟି ସମ୍ବେଦନଶୀଳ ବୁଥ ଉପରେ କମିସନରେଟ୍‌ ପୁଲିସ ତୀକ୍ଷ୍ଣ ନଜର ରଖିଛି। ମତଦାନ ପୂର୍ବରୁ ଓ ସମୟରେ କିଭଳି ଗଣ୍ଡଗୋଳକାରୀଙ୍କୁ ନିୟନ୍ତ୍ରଣ କରାଯିବ, କଳାଟଙ୍କା ଓ ଚୋରାବନ୍ଧୁକ କାରବାର ଠାରୁ ନିଶାକାରବାରରେ ରୋକ୍‌ ଲାଗିବ, ସେଥିପାଇଁ ବିଭିନ୍ନ ସ୍ଥାନରେ ଚେକିଂ, ବ୍ଲକିଂକୁ କଡ଼ାକଡ଼ି କରିବା ସହ ଥାନାଗୁଡ଼ିକ ନିଜ ଅଞ୍ଚଳରେ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ହେଲେ ହାତାହାତିରୁ ଏବେ ବୋମାମାଡ଼ ଭଳି ହିଂସା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ପ୍ରମୁଖ କାରଣ ହେଉଛି, ରାଜନୈତିକ ହିଂସାକାଣ୍ଡରେ ଯଦିଓ ବେଳେବେଳେ ପେସାଦାର ଅପରାଧୀଙ୍କର ହାତ ଥାଏ, କିନ୍ତୁ ଅନେକ ସମୟରେ ଅତି ଉତ୍ସାହିତ ସମର୍ଥକମାନେ ଏଥିରେ ସଂପୃକ୍ତ ହୋଇ ଯାଆନ୍ତି। ଆପରାଧିକ ଇତିହାସ ଥିବା ଲୋକଙ୍କ ଉପରେ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ସେମାନଙ୍କୁ ରାଜନୈତିକ କାର୍ଯ୍ୟକଳାପଠାରୁ ଦୂରରେ ରଖିହେବ। କିନ୍ତୁ ସାଧାରଣ ସମର୍ଥକଙ୍କ ସଂପୃକ୍ତିକୁ ନିୟନ୍ତ୍ରଣ କରିବା ଅସମ୍ଭବ। ଯଦି ରାଜଧାନୀରେ ଆରମ୍ଭ ହୋଇ ସାରିଥିବା ନିର୍ବାଚନୀ ହିଂସା ସାଧାରଣ ଭାବେ ହିଁ ଆଗେଇବ, ତେବେ ମତଦାନର ସମୟ ବେଳକୁ ତାହା ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଥିବ। ତା’କୁ ସମୟପୂର୍ବରୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଏକ ବିରାଟ ଆହ୍ବାନ।