ଚୋରି, ସିନ୍ଧିଚୋରି, ଲୁଟ୍‌ରେ ସମ୍ପୃକ୍ତ
ହାତରେ ନିଶା କାରବାର ଓ ବନ୍ଧୁକ ବେପାରର ମଙ୍ଗ
ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଅଞ୍ଚଳର ସର୍ବାଧିକ
ଆଗକୁ ବଢ଼ିପାରେ ବିପଦ, ପୁଲିସ ପାଖରେ ରହୁନି ସୂଚନା

Advertisment

ଭୁବନେଶ୍ବର : ରାଜଧାନୀରେ ଡେରା ପକାଇଛନ୍ତି ମାଳମାଳ ଅନ୍ତଃରାଜ୍ୟ ଲୁଟେରା। ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ଲୁଟେରା ଏବେ ଭୁବନେଶ୍ବରକୁ ସେମାନଙ୍କ କର୍ମସ୍ଥଳୀ ଭାବେ ବାଛି ନେଇଛନ୍ତି। ଫେରିବାଲା ବେଶରେ ରାଜଧାନୀର ଗଳିକନ୍ଦିରେ ଘୂରି ବୁଲୁଥିବା ଏହି ଲୁଟେରା ଦଳ ସିନ୍ଧିଚୋରି, ଚୋରି, ଛିନ୍‌ତାଇ ଭଳି କାଣ୍ଡ କରୁଛନ୍ତି। ଉଠାଦୋକାନୀ, ଫେରିବାଲା ଓ ଶ୍ରମିକ ବେଶରେ ଏମାନେ ବୁଲିବୁଲି ଠିକଣା କରିବା ପରେ ସୁଯୋଗ ଦେଖି ଲୁଟ୍‌ପାଟ୍‌ କରୁଛନ୍ତି। ଗତକାଲି ଲକ୍ଷ୍ମୀସାଗର ଥାନା ପୁଲିସ ହାତରେ ଝାଡ଼ଖଣ୍ଡର ୩ କୁଖ୍ୟାତ ଲୁଟେରା ଗିରଫ ହେବା ପରେ ଏପରି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଏହି ଲୁଟେରାମାନେ ଲକ୍‌ଡାଉନ୍‌ ପରଠାରୁ ଏ ପର୍ଯ୍ୟନ୍ତ ରାଜଧାନୀରୁ ପ୍ରାୟ ୨୦୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ଲୁଟିଛନ୍ତି। ତେବେ ଏହି ଗ୍ୟାଙ୍ଗ୍‌ରୁ ମାତ୍ର ତିନିଜଣ ଧରା ପଡ଼ିଛନ୍ତି ଓ ଆହୁରି ଅନେକ ସଦସ୍ୟ ଫେରାର୍‌ ଅଛନ୍ତି।

ସୂଚନାନୁସାରେ, ଏହି ଲୁଟେରା ଗ୍ୟାଙ୍ଗ୍‌ ଚୋରି, ସିନ୍ଧିଚୋରି, ଛିନ୍‌ତାଇ ଓ ଲୁଟ୍‌ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନିକଟରେ ଶୀତବସ୍ତ୍ର ଚୋରି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ମେଦିନାପୁରର ଥିଲା। ଗତ ନଭେମ୍ବର ମାସରେ କ୍ୟୁଏଟି ଓ କ୍ୟାପିଟାଲ ଥାନା ପୁଲିସ ହାତରେ ଗିରଫ ହୋଇଥିଲା ପଶ୍ଚିମବଙ୍ଗ ମାଲ୍‌ଦାର ମହମ୍ମଦ ଅଖ୍‌ତର ହୁସେନ୍‌। ଭୁବନେଶ୍ବରରୁ କୋଲକାତା ଯାଉଥିବା ଏକ ବସ୍‌ରେ ଚଢ଼ଉ କରି କ୍ୟୁଏଟି ହୁସେନ୍‌କୁ ଗିରଫ କରିଥିଲା। ତା’ଠାରୁ ୫୩ଟି ସ୍ମାର୍ଟଫୋନ୍‌ ଜବତ କରାଯାଇଥିଲା। ସେହିଭଳି ଗତବର୍ଷ ରାଜଧାନୀରୁ ୩୦ରୁ ଅଧିକ ଅଣଓଡ଼ିଆ ଲୁଟେରା ଗିରଫ ହୋଇଛନ୍ତି। ଚାଞ୍ଚଲ୍ୟକର କଥାଟି ହେଲା, କମିସନରେଟ୍‌ ପୁଲିସ ଏମାନଙ୍କୁ ଚିହ୍ନଟ କରିପାରୁ ନଥିବାରୁ ଏହି ଅପରାଧୀମାନେ ସହଜରେ ରାଜଧାନୀରେ ନିଜ ଗ୍ୟାଙ୍ଗ୍‌ ଗଢ଼ିଛନ୍ତି। ନିଜ ନିଜ ଅଞ୍ଚଳର ସହଯୋଗୀମାନଙ୍କୁ ଡାକି ଏଠାରେ ଗ୍ୟାଙ୍ଗ୍‌କୁ ବଢ଼ାଇ ଚାଲିଛନ୍ତି। ଗତକାଲି ଧରା ପଡ଼ିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ତିନି ଜଣଙ୍କ ଘର ଝାଡ଼ଖଣ୍ଡର ଗୋଟିଏ ଗାଁରେ। ତିନିପହର ନାମକ ଗାଁରେ ୯୦ ପ୍ରତିଶତ ଯୁବକ ଚୋରି ଓ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଜଣାଶୁଣା। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରାଜ୍ୟ ବାହାରର ଅପରାଧୀମାନେ ଭୁବନେଶ୍ବରରେ ମେଳି କରି ସାରିଛନ୍ତି। କିନ୍ତୁ ପୁଲିସ ପାଖରେ ଏ ନେଇ କୌଣସି ସୂଚନା ରହୁ ନାହିଁ କିମ୍ବା ଏମାନଙ୍କ ସମ୍ପର୍କରେ ଯାଞ୍ଚ କରାଯାଉ ନଥିବାରୁ ଆଗକୁ ଏହା ରାଜଧାନୀ ପାଇଁ ବଡ଼ଧରଣର ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି। ଖବର ଅନୁସା‌ରେ, ଲକ୍‌ଡାଉନ୍ ପରେ ରାଜଧାନୀରେ ଅଣଓଡ଼ିଆ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ି ଯାଇଛି। ଏହି ମଉକାରେ କିଛି ଅପରାଧୀ ନିଜ ଅଞ୍ଚଳର ପୁଲିସ ନଜରରୁ ବର୍ତ୍ତିବା ପାଇଁ ଭୁବନେଶ୍ବରକୁ ଚାଲି ଆସିଛନ୍ତି। ନିଜ ରାଜ୍ୟରେ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବାରୁ ଏଠାରେ ଆତ୍ମଗୋପନ କରିବା ସେମାନଙ୍କ ପାଇଁ ସହଜ ହୋଇଛି। ସେହିଭଳି ଏଠିକାର ବାସିନ୍ଦା ହୋଇ ନଥିବାରୁ ଓଡ଼ିଶା ପୁଲିସ ମଧ୍ୟ ସେମାନଙ୍କୁ ଚିହ୍ନଟ କରିପାରୁନାହିଁ।

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଶହ ଶହ ସଂଖ୍ୟାରେ ଏଭଳି ଦୁର୍ବୃତ୍ତମାନେ ଆସି ରାଜଧାନୀରେ ଡେରା ପକାଇଛନ୍ତି। ପୁରୁଣା ଭୁବନେଶ୍ବର, ବଡ଼ଗଡ଼, ଲକ୍ଷ୍ମୀସାଗର, ବମିଖାଲ, ମଞ୍ଚେଶ୍ବର, କଟକ ରୋଡ୍‌, କ୍ୟାପିଟାଲ ଥାନା ଅଞ୍ଚଳ, ଖଣ୍ଡଗିରି, ତମାଣ୍ଡୋ, ଇନ୍‌ଫୋସିଟି ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଅଞ୍ଚଳରେ ସର୍ବାଧିକ ସଂଖ୍ୟାରେ ରହୁଛନ୍ତି। ରାସ୍ତାକଡ଼ରେ ବାଦାମ, ଚଣା, ଅଣ୍ଡା ବିକିବା ସହ ଆଉ କେତେକ ଶ୍ରମିକ ଓ ଫେରିବାଲା ସାଜିଛନ୍ତି। ସେହିଭଳି ଝାଡ଼ଖଣ୍ଡ ଓ ଛତିଶଗଡ଼ର କେତେକ ଛାତ୍ର ବନ୍ଧୁକ କାରବାରରେ ମଧ୍ୟ ସକ୍ରିୟ ରହିଛନ୍ତି। ପୂର୍ବରୁ କମିସନରେଟ୍‌ ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବନ୍ଧୁକ କାରବାରରେ ଅଣଓଡ଼ିଆ ଛାତ୍ର ଗିରଫ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବନ୍ଧୁକ କାରବାର ସହ ସେମାନେ ଗଞ୍ଜେଇ ଓ ବ୍ରାଉନସୁଗାର କାରବାରରେ ମଧ୍ୟ ସକ୍ରିୟ ରହିଛନ୍ତି।

ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ଝାଡ଼ଖଣ୍ଡର ଉକ୍ତ ତିନିପହର ଗାଁର ଆଉ କେତେ ଯୁବକ ରାଜଧାନୀରେ ରହୁଛନ୍ତି? ସେମାନେ କେଉଁ କେଉଁ ଅଞ୍ଚଳରେ ଆତ୍ମଗୋପନ କରିଛନ୍ତି? ଅପରପକ୍ଷେ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ରାଜଧାନୀ ଭୁବନେଶ୍ବରକୁ ପଢ଼ିବାକୁ ଆସୁଥିବା ଛାତ୍ର ଓ ଯୁବକମାନେ କେତେ ସଂଖ୍ୟାରେ ବନ୍ଧୁକ ଏବଂ ବ୍ରାଉନସୁଗାର ବେପାରରେ ଲିପ୍ତ ରହିଛନ୍ତି? ଅଣଓଡ଼ିଆ ମାନଙ୍କର ଏକ ଡାଟାବେସ୍ ତିଆରି କରିବ କି କମିସନରେଟ ପୁଲିସ?

publive-image

ଲମ୍ବୁଛି ଅନ୍ତଃରାଜ୍ୟ ଲୁଟେରାଙ୍କ ଅପରାଧ ତାଲିକା
ଜାନୁଆରି ୨, ୨୦୨୧: ନକଲି ଲୋକ ପାଇଲଟ ସାଜି ଭୁବନେଶ୍ବର ରେଳ ଷ୍ଟେସନରେ ଲୋକଙ୍କଠାରୁ ଟଙ୍କା ଲୁଟୁଥୁବା ଝାଡ଼ଖଣ୍ଡର ସୂରଜ କୁମାର ରାମ ଜିଆରପି ହାତରେ ଗିରଫ।
ଜାନୁଆରି ୩, ୨୦୨୧: ଝାଡ଼ଖଣ୍ଡର ୩ କୁଖ୍ୟାତ ମୋବାଇଲ ଫୋନ୍ ଲୁଟେରା ଗିରଫ, ୧୦୩ ମୋବାଇଲ ଫୋନ୍ ଜବତ
ଅକ୍ଟୋବର ୧୧, ୨୦୨୦: ଇନଫୋସିଟି ଥାନା ପଟିଆ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଏଟିଏମ୍ କାଉଣ୍ଟରକୁ ଗ୍ୟାସ୍‌ କଟରରେ କାଟି ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଦୁଇ ଜଣ ଅନ୍ତରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି।
ଫେବ୍ରୁଆରି ୧୧, ୨୦୨୦: ବନ୍ଧୁକ କାରବାର ଘଟଣାରେ ଭୁବନେଶ୍ବରର ଏକ ଘରୋଇ କଲେଜରେ ବିବିଏ ପଢୁଥିବା ଝାଡ଼ଖଣ୍ଡର ଛାତ୍ର ସାନୁ ପୋଦ୍ଦାର ସମେତ ୨ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍। ୩ ଅତ୍ୟାଧୁନିକ ବନ୍ଧୁକ ଓ ୨୧ ରାଉଣ୍ଡ ଗୁଳି ଜବତ।
ଜାନୁଆରି ୧୭, ୨୦୨୦: ବ୍ରାଉନସୁଗାର କାରବାର ମାମଲାରେ ଖଣ୍ଡଗିରି ପଞ୍ଚସଖାନଗର ଅଞ୍ଚଳରୁ ଝାଡ଼ଖଣ୍ଡ ହଜାରିବାଗର ବିଶାଲ ସିଂ ଏସଟିଏଫ୍ ହାତରେ ଗିରଫ। ସେ ୨୦୧୮ରୁ ରାଜଧାନୀରେ ରହି ବ୍ରାଉନସୁଗାର କାରବାର କରୁଥିବା ଜଣାପଡ଼ିଥିଲା।

publive-image Dinalipi

ଭଡ଼ାଟିଆଙ୍କ ତଥ୍ୟ ପାଇଁ ଘର ମାଲିକଙ୍କୁ ଡିସିପିଙ୍କ ଅନୁରୋଧ
ରାଜଧାନୀରେ ଅଣଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଅଣଓଡ଼ିଆ ଅପରାଧୀମାନେ ଆତ୍ମଗୋପନ କରି ରହୁଛନ୍ତି। ଝାଡ଼ଖଣ୍ଡର ତିନି ମୋବାଇଲ ଲୁଟେରା ଭଡ଼ା ରହୁଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଘର ମାଲିକ ଲକ୍ଷ୍ମୀସାଗର ଥାନାରେ କୌଣସି ତଥ୍ୟ ଦେଇ ନଥିଲେ। ଭଡ଼ାଟିଆଙ୍କ ତଥ୍ୟ ଦେବା ନିୟମକୁ ଘର ମାଲିକ ଖିଲାପ କରି ଚାଲିଥିବା ବେଳେ ପୁଲିସର କୌଣସି ତାଗିଦ୍ ରହୁନାହିଁ। ଅଣଓଡ଼ିଆ ଭଡ଼ାଟିଆ ଓ ଅନ୍ୟ ଭଡ଼ାଟିଆଙ୍କ ସମ୍ପର୍କରେ ସ୍ଥାନୀୟ ଥାନାରେ ତଥ୍ୟ ଦେବା ପାଇଁ ଡିସିପି ଉମାଶଙ୍କର ଦାଶ ଘର ମାଲିକମାନଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଅଣଓଡ଼ିଆଙ୍କ ସମ୍ପର୍କରେ ପୁଲିସ ତଥ୍ୟ ହାସଲ କରି ଏହାର ଡାଟାବେସ୍ ତିଆରି କରିବ ବୋଲି ସୂଚନା ମିଳିଛି।

ଛଦ୍ମବେଶରେ ଜମତରା ଗ୍ୟାଙ୍ଗ ସଦସ୍ୟ!
ସାଇବର ଠକେଇର ପାଠଶାଳା କୁହାଯାଉଥିବା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ ଶାଖା ମେଲାଇଛି। ଦେଶର ୬ଟି ରାଜ୍ୟର ପ୍ରାୟ ୧୦ଟି ସହରରେ ଶାଖା ମେଲାଇଥିବା ଜମତରା ଗ୍ୟାଙ୍ଗ ରାଜଧାନୀ ଭୁବନେଶ୍ବରରେ ସକ୍ରିୟ ରହିଥିବା କୁହାଯାଉଛି। ଏହି ଗ୍ୟାଙ୍ଗର ସଦସ୍ୟ ଛଦ୍ମବେଶରେ ରହି ଲୋକଙ୍କ ବ୍ୟାଙ୍କ ଓ ଅନ୍ୟ କାଗଜପତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ନାମୀ ମଦ ଦୋକାନ, ରେସ୍ତୋରାଁ ନାଁରେ ହୋଇଥିବା କୋଟି କୋଟି ଟଙ୍କାର ଠକେଇ, ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ଫେସବୁକ ଆକାଉଣ୍ଟ ହ୍ୟାକିଂ ଓ ଜାଲ୍ ପଛରେ ଜମତରା ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରାଯାଉଛି। ଜମତରା ଗ୍ୟାଙ୍ଗ ଠକଙ୍କଠାରୁ ସତର୍କ ରହିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ଅଡିଓ ଟେପ୍‌ ଜାରି କରାଯାଇଥିଲା।