ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟାର କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଛି। ତେଣୁ ହତ୍ୟାକାରୀ ଖୁବଶୀଘ୍ର ଗିରଫ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଆଜି ପୁଲିସ ଉନ୍ମୟଙ୍କ ବଡ଼ଭାଇ, ଉନ୍ମୟଙ୍କ ଦ୍ୱାରା ପୀଡ଼ିତା ଯୁବତୀ, ତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୪ଜଣଙ୍କୁ ପଚରାଉଚରା କରିଛି। ପୁଲିସର ତିନିଟି ଟିମ୍ ୪ଜଣଙ୍କୁ ଅଲଗା ଅଲଗା କରି ବିଭିନ୍ନ ଦିଗ ଉପରେ ଜେରା କରିଥିଲେ। ତେବେ ଜେରା ବେଳେ ସମସ୍ତଙ୍କ ବୟାନ ଭିନ୍ନ ଥିଲା। କାହାର ବୟାନ କାହା ସହ ତାଳମେଳ ଖାଇ ନଥିଲା। ତେବେ ଉନ୍ମୟଙ୍କ ମୋବାଇଲ୍ ନମ୍ବର, ଲାପ୍ଟପ୍କୁ ଆଧାର କରି ଖୋଳତାଡ଼ ଆରମ୍ଭ ପରେ ବହୁ ପୁଲିସ ହତ୍ୟାକାରୀର ନିକଟତର ହେବାରେ ଲାଗିଛି। ଏବେ ପୁଲିସର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଉଛି।
ସେହିପରି ଉନ୍ମୟ ଓ ଯୁବତୀ ରାତି ବିତାଇଥିବା ଖାରବେଳନଗରସ୍ଥିତ ଏକ ହୋଟେଲ୍ର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଛି। ହୋଟେଲ୍ କର୍ମଚାରୀଙ୍କୁ ମଧ୍ୟ ପୁଲିସ ସେହିଦିନ ଘଟଣା ଉପରେ ପଚରାଉଚରା କରିଥିଲା। ସେମାନେ ହୋଟେଲ୍କୁ କେତେବେଳେ ଆସିଥିଲେ ? କେତେବେଳେ ଯାଇଥିଲେ? ଉଭୟ ହୋଟେଲ୍ରେ ଥିବା ସମୟରେ ଆଉ କେହି ସେମାନଙ୍କୁ ଭେଟିବା ପାଇଁ ଆସିଥିଲା କି? ସେ ଦିନ ହେଟେଲ୍ରେ ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା କି? ଆଦି ବିଭିନ୍ନ ଦିଗ ଉପରେ ପଚରାଉଚରା କରିଥିଲା। ଏଣେ ସଂପୃକ୍ତ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ ବିତାଇଲାବେଳେ ଉନ୍ମୟ ସୁଟିଂ କରିଥିବା ଅଶ୍ଳୀଳ ଭିଡିଓ ଏବେ ମଧ୍ୟ ମୋବାଇଲରୁ ମୋବାଇଲକୁ ଡେଇଁ ଭାଇରାଲ୍ ହେବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ଭିଡିଓ ମାର୍କେଟକୁ ଆସୁଥିବାରୁ ପୁଲିସ ଏହାକୁ ରୋକିବାକୁ ବିଫଳ ହୋଇଛି। ଏହି ଭାଇରାଲ ଭିଡିଓ ଯୋଗୁଁ ଉନ୍ମୟକୁ ହତ୍ୟା କରାଯାଇଛି ବୋଲି କୁହାଯାଉଥିବାବେଳେ କମିସନରେଟ ପୁଲିସ ପକ୍ଷରୁ ଗଠନ କରାଯାଇଥିବା ୩ଟି ସ୍ୱତନ୍ତ୍ର ଟିମ ହତ୍ୟାକାଣ୍ଡ ବିଷୟରେ ଖୋଳତାଡ଼ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/tapas-viral-video.jpg)