ଭୁବନେଶ୍ବର: ଇନ୍ସ୍ୟୁରାନ୍ସ ବୋନସ୍ ଲୋଭରେ ଅବସରପ୍ରାପ୍ତ ସେନା ଅଧିକାରୀ ସୁବାସ ଚନ୍ଦ୍ର ନନ୍ଦ ୯୫ ଲକ୍ଷ ଟଙ୍କା ଠକେଇର ଶିକାର ଘଟଣାରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ସାଇବର ଥାନା। ବ୍ୟକ୍ତିଗତ ଭାବେ ରାଜ୍ୟର ସବୁଠୁ ଏହି ବଡ଼ ଠକେଇ ମାମଲାକୁ କ୍ରାଇମବ୍ରାଞ୍ଚ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛି।
ତଦନ୍ତକାରୀ ଟିମ୍ ବିଭିନ୍ନ ଜାଗାରେ ଚଢ଼ଉ କରି କାଗଜପତ୍ର ସଂଗ୍ରହ କରିଛି। ଏପରିକି ଇନସ୍ୟୁରାନ୍ସ ହୋଇଥିବା ଶାଖାର କେତେକଙ୍କୁ ପଚରାଉଚରା କରାଯିବା ସହ ସେଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରାଯାଇଛି। ତଦନ୍ତକାରୀ ଟିମ୍ ହାତରେ ଠକେଇ ସଂକ୍ରାନ୍ତରେ କିଛି ଠୋସ୍ ସୁରାକ୍ ଲାଗିଥିବା କୁହାଯାଉଛି। ଖୁବଶୀଘ୍ର ଏହି ମାମଲାର ପର୍ଦ୍ଦାଫାସ୍ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଠକ ଧରାପଡ଼ନ୍ତି ତାହେଲେ ଅନେକ ଠକେଇର ଗୁମର ଖୋଲିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୧ରେ ସୁବାସ ୬ ଲକ୍ଷ ଟଙ୍କାର ଏକ ଇନସ୍ୟୁରାନ୍ସ କରିଥିଲେ। ୨୦୧୫ରେ ଏହା ମ୍ୟାଚୁରିଟି ହୋଇଥିଲା। ଏହା ପରେ ସୁବାସଙ୍କ ପାଖକୁ ଅର୍ଥ ମନ୍ତ୍ରଣାଳୟ, ସେବି, ଆୟକର ଏମିତି ବିଭିନ୍ନ ବିଭାଗରୁ ଫୋନ୍ କଲ୍, ଇମେଲ୍ ଆସିଥିଲା। ସେମାନେ ନିଜକୁ ସେହି ବିଭାଗର ଅଧିକାରୀ ବୋଲି ଦର୍ଶାଇଥିଲେ। ବିପୁଳ ପରିମାଣର ବୋନସ୍ ମିଳିବ ବୋଲି ଲୋଭ ଦେଖାଇଥିଲେ। ୨୦୧୫ରୁ ଅଭିଯୋଗ ହେବା ପର୍ଯ୍ୟନ୍ତ ସେମାନେ ସୁବାସଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ୯୫ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ସଂକ୍ରାନ୍ତରେ ସେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଇପିସି ଦଫା-୪୧୯, ୪୨୦, ୪୬୫, ୪୬୮, ୪୭୧, ୧୨୦(ବି), ୩୪ ଏବଂ ଆଇଟି ଆଇନର ଧାରା-୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/30-6.jpg)