ସରିଲା ଯାଞ୍ଚ, ୩୫୪ ପ୍ରାର୍ଥିପତ୍ର କାଏମ୍‌

୧୯ ୱାର୍ଡରେ କଂଗ୍ରେସର ପ୍ରାର୍ଥୀ ନାହାନ୍ତି

ଭୁବନେଶ୍ବର: ୨୪ ତାରିଖରେ ହେବାକୁ ଥିବା ବିଏମ୍‌ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ଆଜି ଶେଷ ହୋଇଛି। ଯାଞ୍ଚ ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପ୍ରାର୍ଥୀଙ୍କ ଚିହ୍ନ ସହ ବୈଧ ତାଲିକା ପ୍ରକାଶ ପାଇବ। ମେୟର ପଦ ପାଇଁ ମୋଟ ୧୨ ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ସମସ୍ତ ପ୍ରାର୍ଥିପତ୍ର କାଏମ୍‌ ରହିଛି। ସେହିଭଳି କର୍ପୋରେଟର ପଦ ପାଇଁ ୩୪୨ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବା ସହ ୧୪ରେ ହିଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଏହା ପରେ ଯାଇ କେତେ ପ୍ରାର୍ଥୀ ମଇଦାନରେ ରହିବେ ତାହା ସ୍ପଷ୍ଟ ହେବ।
ଯାଞ୍ଚ ପରେ ମିଳିଥିବା ତଥ୍ୟ ମୁତାବକ, ବିଜେଡି ଓ ବିଜେପି ସମସ୍ତ ୬୭ ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର ୪୮ଟିରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଛି। ସିପିଆଇରୁ ୨ ଜଣ ରହିଥିବା ବେଳେ ସିପିଏମ୍‌ରୁ ୫ ଜଣ ରହିଛନ୍ତି। ସ୍ବାଧୀନ ଭାବେ ୧୪୭ ଜଣଙ୍କର ପ୍ରାର୍ଥିପତ୍ର କାଏମ୍‌ ରହିଛି। ବାକି ୬ ଜଣ ଆପ୍‌, ବିଏସ୍‌ପି, ବସ୍ତି ସୁରକ୍ଷା ମଞ୍ଚ ପ୍ରଭୃତି ଅନ୍ୟାନ୍ୟ ଦଳରୁ ରହିଛନ୍ତି।

୫ ଆଦର୍ଶ ବୁଥ୍‌, ୫ ପିଙ୍କ୍‌ ବୁଥ୍‌

ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ନିର୍ବାଚନରେ ୫ଟି ଆଦର୍ଶ ଓ ୫ଟି ପିଙ୍କ୍‌ ବୁଥ୍‌ ହେବାକୁ ନିଷ୍ପତ୍ତି ହୋଇଛି। ଆଦର୍ଶ ବୁଥ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ଅସ୍ଥାୟୀ ପ୍ରତୀକ୍ଷାଗୃହ ସହ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ୍‌ ଚେୟାର ବ୍ୟବସ୍ଥା ହେବ। ତା’ ସହ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ସେହିଭଳି ପିଙ୍କ୍‌ ବୁଥ୍‌ଗୁଡ଼ିକରେ ସମସ୍ତ କର୍ମଚାରୀ ମହିଳା ରହିବେ। ପୁଲିସ ମଧ୍ୟ ମହିଳା କର୍ମଚାରୀ ରହିବେ। ତା ଛଡ଼ା ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ ହେବାକୁ ଥିବା ‘କୁରାଢ଼ୀ’ ଚିହ୍ନକୁ ଏଥର ହଟାଇ ଦିଆଯାଇଛି। ଏହା ଏକ ମାରଣାସ୍ତ୍ର ହୋଇଥିବାରୁ ଏହାକୁ ହଟାଇ ଦିଆଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର