କ୍ୟାପିଟାଲ ହସ୍ପିଟାଲ ଔଷଧ କିଣାରେ କେଳେଙ୍କାରୀ : ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

ଖୁବଶୀଘ୍ର ଦିଆଯିବ ରିପୋର୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ହୋଇଥିବା କେଳେଙ୍କାରୀ ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ୨ଜଣ ଅଧିକାରୀ ଗତ ସୋମବାର ଏହାର ତଦନ୍ତ କରିଛନ୍ତି। ଚଳିତ ସପ୍ତାହରେ ଏହି ତଦନ୍ତ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଚଳିତମାସ ୧୧ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ହସ୍ପିଟାଲର କିଛି ତଳିଆ କର୍ମଚାରୀ ମନଇଚ୍ଛା ଔଷଧ କିଣି ଏହାର ବିଲ୍‌ ପାସ୍‌ କରାଉଥିବା ସମୟରେ ଏହି ଖବର ପଦାକୁ ଆସିଥିଲା। ବିନା ପରଚେଜ୍‌ ଅର୍ଡର ଓ ନୋଟ୍‌ସିଟ୍‌ରୁ ଔଷଧ କିଣାରେ ଏକ ବଡ଼ କେଳେଙ୍କାରୀ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣା ହସ୍ପିଟାଲର ଉପ-ଅଧୀକ୍ଷକଙ୍କ ନଜରକୁ ଆସିଥିଲା। କେଳେଙ୍କାରୀରେ ସଂପୃକ୍ତ କର୍ମଚାରୀ ଜଣକ ଔଷଧ ପାଇଁ ଥିବା ବିଲ୍‌ରେ ଦସ୍ତଖତ କରିବା ପାଇଁ ଚାପ ପକାଇଥିଲେ। ଏପରିକି ଧମକ ଦେବାକୁ ମଧ୍ୟ ପଛାଇ ନ ଥିଲେ। ପରେ ଏହାକୁ ନେଇ ହସ୍ପିଟାଲରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା।

‘ସମ୍ବାଦ’ରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହାର ତଦନ୍ତ କରାଯିବ ବୋଲି କହିଥିଲେ। ଯେହେତୁ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଏକ ଘଟଣା ନଜରକୁ ଆସିଛି ତେଣୁ ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ସେ କହିଥିଲେ। ଗତ ୧୫ତାରିଖରେ ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ୨ଜଣ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ଏହାର ତଦନ୍ତ କରିଛନ୍ତି। ଏ ସଂପର୍କିତ ରିପୋର୍ଟ ଚଳିତ ସପ୍ତାହରେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ନିର୍ଦେଶକ ଡା.ବି.କେ ବ୍ରହ୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର