ମହର୍ଷି କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗର ତଦନ୍ତ କଲେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା

୧୪ଜଣ କର୍ମଚାରୀଙ୍କୁ ପଚରାଉଚରା, ଅଭିଯୋଗ ଭିତ୍ତୀହୀନ ଓ କପୋଳକଳ୍ପିତ: ଅଧ୍ୟକ୍ଷା

ଭୁବନେଶ୍ବର : ମହର୍ଷି କଲେଜ ଅଫ୍‌ ନାଚୁରାଲ୍‌ ଲ’ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହୋଇଛି। ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ସବିତା ହରିଚନ୍ଦନ କଲେଜକୁ ଗସ୍ତ କରିବା ସହ ସମସ୍ତ ପକ୍ଷଙ୍କ ମତ ଶୁଣିଛନ୍ତି। ଅଭିଯୋଗ କରିଥିବା କର୍ମଚାରୀଙ୍କ ସମେତ କଲେଜ ଅଧ୍ୟକ୍ଷାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି କଲେଜର ୧୪ଜଣ କର୍ମଚାରୀଙ୍କୁ ଅଲଗା ଅଲଗା ଡାକି ପଚରାଉଚରା କରି ଫେରିଥିବା ଜଣାପଡ଼ିଛି। ଦିନେ ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ଶ୍ରୀମତୀ ହରିଚନ୍ଦନ କହିଛନ୍ତି।

କଲେଜ ଅଧ୍ୟକ୍ଷା ନଳିନୀପ୍ରଭା ମହାପାତ୍ର କହିଛନ୍ତି ଯେ କଲେଜରେ କାହାକୁ ବି ଖରାପ ବ୍ୟବହାର କରିନାହିଁ। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତୀହୀନ ଓ କପୋଳକଳ୍ପିତ। କଲେଜର କେତେଜଣ ନ୍ୟସ୍ତସ୍ବାର୍ଥ କର୍ମଚାରୀ ମୋତେ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି। ୨୦୨୧ ଅକ୍ଟୋବରରେ କଲେଜର ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଥିଲି। ଅଭିଯୋଗରେ ଯେଉଁ ଅର୍ଥିକ ଦୁର୍ନୀତି କଥା କୁହାଯାଇଛି, ତାହା ମୋ ଦାୟିତ୍ବ ଗ୍ରହଣ କରିବା ପୂର୍ବର। ସେଥିରେ ମୋର କୌଣସି ନେଣ‌ଦେଣ ନାହିଁ। ଅଭିଯୋଗ ଫର୍ଦ୍ଦରେ ଯେଉଁ କର୍ମଚାରୀମାନଙ୍କ ଦସ୍ତଖତ ରହିଛି, ମୁଁ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ୪ରୁ ୫ ଜଣ ଅବସର ଗ୍ରହଣ କରି ସାରିଛନ୍ତି। ସେମାନେ କାହିଁକି ଓ କିଭଳି ଦସ୍ତଖତ କଲେ ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। କଲେଜ ହେଉଛି ମୋ ପରିବାର। ସମସ୍ତଙ୍କ ସହଯୋଗରେ କ୍ୟାମ୍ପସ ବିକାଶ ଦିଗରେ କାର୍ଯ୍ୟ କରୁଛି। ପିଲାଙ୍କ ପାଠପଢ଼ା ମୋର ପ୍ରଥମ କର୍ତ୍ତବ୍ୟ। ଆଗକୁ ମଧ୍ୟ ତାହା ଜାରି ରଖିବି।

ସମ୍ବନ୍ଧିତ ଖବର