ସ୍ମାର୍ଟ ସିଟିରେ ପୁଞ୍ଜିନିବେଶ, ପିପିପି ପ୍ରକଳ୍ପ ଏସ୍‌ପିଭି ପଙ୍ଗୁ: ରାଞ୍ଚି ଡାକି ପାରୁଛି, ଭୁବନେଶ୍ୱର ପାରୁନି

କେମିତି ଡାକିବେ, କ’ଣ କରିବେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି

ଭୁବନେଶ୍ୱର : ଭୁବନେଶ୍ୱରକୁ ସ୍ମାର୍ଟ ସିଟି ମାନ୍ୟତା ଦେବା ପାଇଁ ବିଏମ୍‌ସି ଓ ବିଡିଏର ବାବୁମାନେ ଲମ୍ବା ଚଉଡ଼ା ଯୋଜନା କରିଦେଲେ। ଏପରିକି ଯେତିକି ଟଙ୍କା ସରକାରୀ ସୂତ୍ରରୁ ମିଳିବ ବୋଲି କୁହାଯାଇଥିଲା ତା’ର ତିନିଗୁଣା ଟଙ୍କା ଖୋଲା ବଜାରରୁ ଉଠାଇବାକୁ ବାବୁମାନେ ଯୋଜନା କରିଦେଲେ। ଏଥିପାଇଁ ଗୋଟିଏ ଅନ୍ତଃରାଷ୍ଟ୍ରୀୟ କମ୍ପାନି ଏବଂ କିଛି ଚାଟାର୍ଡ ଆକାଉଟାଣ୍ଟକୁ ଲଗାଇ ସମ୍ଭାବ୍ୟ ବାଲାନ୍ସ ସିଟ୍ ପ୍ରସ୍ତୁତ କରିଦେଲେ। କ’ଣ କରିପାରିବେ ତାହା ଭାବିଲେନି। କ’ଣ ଦେଖାଇପାରିବେ ସେହି ଯୋଜନାରେ ରହିଲେ। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଆଗରେ ଏମିତି ଡକୁମେଣ୍ଟ ଉପସ୍ଥାପନ କଲେ ଯେ, ଡକୁମେଣ୍ଟ ଯାଞ୍ଚ କରୁଥିବା ଟିମ୍‌ର ଆଖି ତରାଟି ହୋଇଗଲା। ଭୁବନେଶ୍ବର ଭଳି ସହରରେ ପିପିପି ପ୍ରକଳ୍ପରେ ଅଢେଇ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ, ବ୍ୟାଙ୍କ ଏବଂ ଅନ୍ୟ ସ୍ଥାନରୁ ପ୍ରାୟ ୪୦୦କୋଟି ଟଙ୍କାର ଋଣ ମିଳିବାର ପ୍ରତିଶ୍ରୁତି ଦେଖି କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରକୁ ହାତ ଖୋଲା ମାର୍କ ଦେଇ ଚାଲିଲେ। ଭୁବନେଶ୍ୱର ବି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କଲା। ହେଲେ ବିଏମ୍‌ସି ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଯେ ଏକ ଜୁମ୍‌ଲା ଥିଲା ତାହା ଏବେ ଜଣାପଡ଼ୁଛି। ଯେଉଁ ବାବୁମାନେ ଯୋଜନା ପ୍ରସ୍ତୁତ କରିଥିଲେ ସେମାନେ ତ ଦାୟିତ୍ବରେ ନାହାନ୍ତି, ଯିଏ ଏବେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ସେମାନେ ଭାବୁଛନ୍ତି ଏମିତି ଡକୁମେଣ୍ଟ କେମିତି ପ୍ରସ୍ତୁତ ହେଲା। ଯେଉଁଠୁ ଟଙ୍କା ଆଣିବାକୁ କୁହାଯାଇଥିଲା ସେମାନେ ତ ଟଙ୍କାଟିଏ ଦେଉନାହାନ୍ତି!

ଏହିଭଳି ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପିପିପି ପ୍ରକଳ୍ପଗୁଡ଼ିକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ବର ପାଇଁ ଯେଉଁ ୪୫୩୭କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା ସେଥିରୁ ମାତ୍ର ୭୮୪କୋଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଛି। ହେଲେ ପିପିପି ମୋଡରେ ପୁଞ୍ଜିନିବେଶ ହେବାକୁ ଥିବା ୨୫୬୨.୮୦କୋଟି ଟଙ୍କାରୁ ଟଙ୍କାଟିଏ ବି ମିଳିଲାନି। ଅଢେଇ ହଜାର କୋଟି ଟଙ୍କା ଖୋଲା ବଜାରରୁ ଉଠାଇବାକୁ ଯୋଜନା କରିଥିବା ବାବୁମାନେ ବି ଏଥିପାଇଁ ଟଙ୍କା କେମିତି ଆସିବ ଚିନ୍ତା କରୁନାହାନ୍ତି। ବହୁ ସ୍ମାର୍ଟ ସିଟି ପିପିପି ମୋଡରେ ଏକାଧିକ ପ୍ରକଳ୍ପ କରୁଥିବାବେଳେ ନିକଟରେ ରାଞ୍ଚି ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଭୁବନେଶ୍ବର ଆସି ତାଙ୍କ ସହରରେ ପୁଞ୍ଜିନିବେଶ ପାଇଁ ଆହ୍ବାନ ଦେଇଛନ୍ତି। ଏପରିକି ରାଜ୍ୟର କିଛି ଉଦ୍ୟୋଗପତିଙ୍କୁ ଭେଟି ସେମାନେ ଯୋଗାଇବାକୁ ଥିବା ସୁବିଧା ସୁଯୋଗ ବିଷୟରେ ବୁଝାଇବା ସହ ପୁଞ୍ଜିନିବେଶ ପାଇଁ ରାଜି କରାଇଛନ୍ତି। ସ୍ମାର୍ଟ ସିଟି ରାଞ୍ଚିରେ ଏରିଆ ବେସ୍‌ଡ ଡେଭଲପମେଣ୍ଟ ପାଇଁ ୬୫୬ଏକର ଜାଗା ଚିହ୍ନଟ କରାଯାଇଥିବାବେଳେ ସେଠାରେ ଅଢେଇ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ବିଭିନ୍ନ ସହର ବୁଲୁଛନ୍ତି। ଭୁବନେଶ୍ବର ଶିକ୍ଷା ହବ୍‌ ହୋଇଥିବାରୁ ଏଠାକାର ଉଦ୍ୟୋଗପତି ସେଠାରେ ଶିକ୍ଷାନୁଷ୍ଠାନ ଖୋଲିଲେ କ’ଣ ସୁବିଧା ସୁଯୋଗ ଯୋଗାଇବେ ସେନେଇ ପ୍ରତିଶ୍ରୁତି ଦେଉଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ରାଞ୍ଚି ଭଳି ଭୁବନେଶ୍ବରରେ ଅଢେଇ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଯୋଜନା ହୋଇଥିଲେ ବି ଆମର ବାବୁମାନଙ୍କର ଏନେଇ ନିଘା ନାହିଁ। ଭୁବନେଶ୍ବରରେ ପୁଞ୍ଜିନିବେଶ ହେଉ କି ନହେଉ ସେମାନଙ୍କର ଯେମିତି କିଛି ଯାଏ ଆସେ ନାହିଁ। ‌ପଦବିରୁ ଗଲା ପରେ ଯୋଜନା କିପରି ବାଟବଣା ହେଉଛି ଓ ଭୁବନେଶ୍ବର ଅନ୍ୟ ସହର ତୁଳନାରେ କେତେ ବର୍ଷ ପଛକୁ ପଳାଉଛି ସେନେଇ ବି କେହି ଭାବୁନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଲା ଭୁବନେଶ୍ବର ରେଳଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍‌ଟିମୋଡାଲ୍ ହବ୍ ଏବଂ ଭୁବନେଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପ। ଏଥିପାଇଁ ପିପିପି ମୋଡରେ ପ୍ରାୟ ୮୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯୋଜନା ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍କାଳୀନ ବିଡିଏ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଏସ୍‌ପିଭି ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ବଜାର ସର୍ଭେ କରିବା, ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତ କରିବା, ଟେଣ୍ଡର କରିବା, ପୁଞ୍ଜିନିବେଶ ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ସହ ଆଲୋଚନା କରି ମନେଇବା। ହେଲେ ଏହି ଏସ୍‌ପିଭି ଏଥିରୁ ଗୋଟିଏ ବି କା‌ମ କଲାନି। ବରଂ ଯିଏ ଏସ୍‌ପିଭି ଗଠନ କରିଥିଲେ ଏବଂ ଯିଏ ଏସ୍‌ପିଭିରେ ଥିଲେ ସେମାନେ ନୂଆ ଦାୟିତ୍ବ ପାଇବା ପରେ ଏହି ଯୋଜନା ବାଟବଣା ହୋଇଗଲା। ଏହିପରି ଭୁବନେଶ୍ବର ସ୍ମାର୍ଟ ସିଟିର ବହୁ ପ୍ରକଳ୍ପ ଯଥା ପିପିପି ମୋଡରେ ପ୍ରାୟ ୮୨୫କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ସୁଲଭ ଗୃହ ନିର୍ମାଣ ଭଳି ଜନପଥ ରିଡେଭଲପମେଣ୍ଟ ପ୍ରକଳ୍ପ, ସତ୍ୟନଗର ଇନଷ୍ଟିଚ୍ୟୁସନାଲ୍ କୋର୍‌ ଆଦି ବହୁ ବଡ଼ ପ୍ରକଳ୍ପ। କେବଳ ପିପିପି ମୋଡରେ ନୁହେଁ। ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କରୁ ୨୧୦କୋଟି ଟଙ୍କା ଋଣ, ହୁଡ୍‌କୋରୁ ବାଣିଜ୍ୟିକ ଋଣ ବାବଦକୁ ୩୦କୋଟି ଓ ଅନ୍ୟାନ୍ୟ ସହାୟତା ବାବଦରେ ୧୮୩.୯୫ଟଙ୍କା ଆସିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ଟଙ୍କାଟିଏ କେହି ଦେଲେନି। ଯାହାର ଫଳ ହେଲା ବିଏସ୍‌ସିଏଲ୍‌ ୮୧ଟି ପ୍ରକଳ୍ପ ଯୋଜନା କରିଥିଲା, ହେଲା ୨୮ଟି।

 

ଏବେ ପ୍ରଶ୍ନ ଉଠୁଛି ଯଦି ରାଞ୍ଚି ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏବେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସହର ବୁଲି ପୁଞ୍ଜିପତିଙ୍କୁ ଭେଟୁଛନ୍ତି ତେବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ କାହିଁକି ଏହା କରୁନାହାନ୍ତି।

ସମ୍ବନ୍ଧିତ ଖବର