ଜୁଲାଇ ୧ରେ ବିଦାୟ ନେବ ଆଇପିସି: ‘ଭାରତୀୟ ନ୍ୟାୟ ସଂହିତା’କୁ ସ୍ବାଗତ

କଟକ: ସଂସଦରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ଭାରତୀୟ ନ୍ୟାୟ ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା-୨୦୨୩ ବିଲ୍ ପାରିତ ହେବା ପରେ ୨୦୨୩, ଡିସେମ୍ବର ୨୫ରେ ରାଷ୍ଟ୍ରପତିଙ୍କ ସମ୍ମତି ମିଳିଥିଲା। କୁହା ଯାଇଥିଲା, ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ସମାଜର ଗରିବ, ଅବହେଳିତ, ବଞ୍ଚିତ, ଦୁର୍ବଳବର୍ଗ, ମହିଳା, ଶିଶୁଙ୍କୁ ଉପଯୁକ୍ତ ସୁରକ୍ଷା ମିଳିବ। ସଂଗଠିତ ଅପରାଧ, ଆତଙ୍କବାଦ ଓ ସେହିଭଳି ଅନ୍ୟାନ୍ୟ ଅପରାଧର ଦୃଢ ମୁକାବିଲା ସହିତ ପୀଡ଼ିତଙ୍କୁ ସୁରକ୍ଷା ପ୍ରଦାନରେ ନୂଆ ଆଇନ‌ ସହାୟକ ହେବ। ଜୁଲାଇ ୧ରୁ ୧୮୬୦ ମସିହାର ଇଣ୍ଡିଆନ ପେନାଲ କୋଡ୍ (ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା, କ୍ରିମିନାଲ ପ୍ରସିଡିଓର କୋଡ୍, ୧୯୭୩ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡେନ୍ସ ଆଇନ,୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ। ଆଇନର ଏହି ନୂଆ ବ୍ୟବସ୍ଥାର ବିଭିନ୍ନ ଦିଗକୁ ଆଇନଜୀବୀମାନେ ସ୍ବାଗତ କରିଛନ୍ତି

 ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ
ନୂଆ ଆଇନରେ ପୂର୍ବ ଆଇନ ଭଳି ହତ୍ୟା ଓ ଅନ୍ୟ କେତେକ ଅପରାଧ ପାଇଁ କଠୋର ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ରହିଛି। ଜରିମାନା ବା ଅର୍ଥ ଦଣ୍ଡ ପରିମାଣ କେତେକ କ୍ଷେତ୍ରରେ ବୃଦ୍ଧି କରାଯାଇଛି। ଛୋଟ ଛୋଟ ଅପରାଧ ସଂପର୍କିତ ମାମଲାର ଯଥା ଶୀଘ୍ର ଶୁଣାଣି ଉପରେ ଗୁରୁତ୍ବାରୋପ କରାଯାଇଛି। ନ୍ୟାୟ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବା ସହିତ ଏହି ପ୍ରସଂଗ ସରଳ କରାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଆତଙ୍କବାଦ, ହାୱାଲା କାରବାର ଓ ଅନ୍ୟ ଅର୍ଥନୈତିକ ଅପରାଧରେ ଉଚିତ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ପେସାଦାର ଅପରାଧୀ ବା ନିୟମିତ ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟ ସଂଗଠିତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ନ୍ୟାୟ ପ୍ରକ୍ରିୟାରେ ନୂତନ ଆଇନ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।
ସୌରଚନ୍ଦ୍ର ମହାପାତ୍ର
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

 ଟ୍ରାଏଲ୍‌ର ସମୟସୀମା ଧାର୍ଯ୍ୟ କରାଯାଇଛି

ନୂଆ ଆଇନରେ ସବୁ ମାମଲାର ଟ୍ରାଏଲର ସମୟସୀମା ଧାର୍ଯ୍ୟ କରାଯାଇଛି। ବହୁ ଅନାବଶ୍ୟକ ଓ ବ୍ୟବହାର ହେଉ ନଥିବା, ଅଚଳ ହୋଇ ପଡ଼ିଥିବା ଦଫାକୁ ବାଦ ଦିଆଯାଇଛି। ନୂଆ ଆଇନରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। କମ୍ୟୁନିଟି ସର୍ଭିସକୁ ପ୍ରାଧାନ୍ୟ ଦିଆଯାଇଛି। ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ କମ୍ୟୁନିଟି ସର୍ଭିସ ପାଇଁ ତାଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇ ପାରିବେ। ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ମବ୍ ଲିଚିଂ (ସାମୂହିକ ଅପରାଧ, ହିଂସାକାଣ୍ଡ), ହିଟ୍ ଆଣ୍ଡ ରନ୍ ଅପରାଧରେ କଠୋର ଆଇନ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ଗିରଫଦାରୀ ପାଇଁ କଟକଣା ରହିଛି। ଡିଏସପି ପାହ୍ୟାର ଅଧିକାରୀଙ୍କ ଅନୁମତି ଓ ମତାମତ ନେଇ ତଦନ୍ତକାରୀ ଅଧିକାରୀ ଏହି ପ୍ରସଂଗରେ ଆଗେଇ ପାରିବେ। ୧୦ ବର୍ଷ ଜେଲ ଦଣ୍ଡ ଥିବା ଦଫାରେ ଗିରଫ ପୂର୍ବରୁ ଡିଏସପିଙ୍କ ଅନୁମତି ଆବଶ୍ୟକ। ଇଲେକ୍ଟ୍ରୋନିକ୍ସ ସାକ୍ଷ୍ୟ ପ୍ରମାଣର ଗ୍ରହଣୀୟତାର ସରଳୀକରଣ କରାଯାଇଛି। ଆଇନର ଆମୂଳଚୁଳ ପରିବର୍ତ୍ତନ ନ ହୋଇଥିଲେ ମଧ୍ୟ ସାଂପ୍ରତିକ ପରିସ୍ଥିତି, ନୂଆକରି ମୁଣ୍ଡ ଟେକିଥିବା ବିଭିନ୍ନ ଅପରାଧିକ ମାମଲାକୁ ନିୟନ୍ତ୍ରିତ କରିବା, ପୁଲିସର କ୍ଷମତାର ଅପବ୍ୟବହାରକୁ ବନ୍ଦ କରିବା, ଛୋଟ ଅପରାଧରେ ଜେଲ ଦଣ୍ଡ ବ୍ୟତୀତ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଦୋଷୀକୁ ନିୟୋଜିତ କରି ସେମାନଙ୍କୁ ଜୀବନର ମୂଳସ୍ରୋତକୁ ଫେରାଇ ଆଣିବା ଆଦି ବ୍ୟବସ୍ଥା ରହିଛି। ଏହି ଆଇନର କାର୍ଯ୍ୟକାରୀ, ଅନୁଶୀଳନ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏହି ଆଇନର ଗଭୀରତମ ଦିଗକୁ ଯିବା ପାଇଁ ଅଧିକ ସମୟ ପାଇଥାନ୍ତେ ଯଦି ଆଉ କିଛି ମାସ ପରେ ଏହା କାର୍ଯ୍ୟକାରୀ ହୋଇଥାନ୍ତା।
ଦେବସ୍ନାନ ଦାସ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

 ବିଳମ୍ବିତ ନ୍ୟାୟ ଦେଖିବାକୁ ମିଳିବନି
ଆଇନ ଓ ବିଚାର ପ୍ରକ୍ରିୟାରେ ପରିବର୍ତ୍ତନର ବହୁ ଦିନ ହେବ ଆବଶ୍ୟକତା ଥିଲା। ନୂଆ ଆଇନରେ ଏତଲା ପଞ୍ଜୀକରଣ ପ୍ରସଂଗ ସହଜ ହୋଇଛି। ଜଣେ ବ୍ୟକ୍ତି ଭାରତର ଯେ କୌଣସି ସ୍ଥାନରେ ରହି ଅନ୍ୟ ସ୍ଥାନରେ ଘଟିଥିବା ଅପରାଧ ପାଇଁ ଏତଲା ଦେଇ ପାରିବେ। ଅପରାଧିକ ମାମଲାରେ ଜବତ କରାଯାଉଥିବା ସଂପତ୍ତି ବାଜ୍ୟାପ୍ତି ବା ମୁକ୍ତ କରିବା ପ୍ରସଂ‌ଗରେ ଆଇନଗତ ପ୍ରକ୍ରିୟା ସରଳ ହୋଇଛି। ତାରିଖ ପରେ ତାରିଖ ଘଟଣା ଆଉ ପ୍ରାୟ ଦେଖିବାକୁ ମିଳିବ ନାହିଁ। ନୂଆ ଆଇନରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମାମଲାର ଫଏସଲା ଓ ରାୟ ପ୍ରକାଶ ପାଇଁ ବ୍ୟବସ୍ଥା ରହିଛି। ଏହି ନୂଆ ଆଇନ ଲୋକାଭିମୁଖୀ ଓ ପ୍ରଗତିଶୀଳ। ସାଧାରଣ ଜନତା, ଆର୍ଥିକ ଦୃ‌ଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ନ୍ୟାୟ ପ୍ରଦାନରେ ବି‌ଶେଷ ଭାବେ ସହାୟକ ହେବ।
ସତ୍ୟବ୍ରତ ମହାନ୍ତି
ପୂର୍ବତନ ସଂପାଦକ, ହାଇକୋର୍ଟ ବାର୍ ଆସୋସିଏସନ୍

ସମ୍ବନ୍ଧିତ ଖବର