ରାଜଧାନୀରେ ଆଇପିଏଲ୍ ବେଟିଂ!

ଗେଷ୍ଟହାଉସ୍‌ରେ ବ୍ୟବସାୟୀ, ବିଲ୍ଡର, ଠିକାଦାର
ଉଭୟ ଅନ୍‌ଲାଇନ୍, ଅଫ୍‌ଲାଇନ୍‌ରେ ଚାଲିଛି ଖେଳ
ଜମୁଛି ଜୁଆ ଆଡ଼ା, ଟେର୍‌ ପାଉନି ପୁଲିସ!

ଭୁବନେଶ୍ବର : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କିଛି ମାସ ବନ୍ଦ ରହିବା ପରେ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି। ଲିଗ୍ ପର୍ଯ୍ୟାୟରେ ଦଳ ଦଳ ମଧ୍ୟରେ ଖେଳ ଯେତିକି ଯେତିକି ସଂଘର୍ଷପୂର୍ଣ୍ଣ ହୋଇ ଆସୁଛି, ‌ଏହା‌କୁ ନେଇ ବେଟିଂ ବା ଜୁଆଖେଳ ସେତିକି ଜମୁଛି। ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜୋରଦାର ବେଟିଂ ଚାଲିଥିବା ଜଣାପଡ଼ିଛି। ଗେଷ୍ଟହାଉସ୍‌ ଓ କେତେକ ହୋଟେଲରେ ଏଭଳି ବେଟିଂ ଚାଲିଥିବାବେଳେ ଆଉ କିଛି ଘରେ ମଧ୍ୟ ଚାଲୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରେ ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କ ସମେତ କିଛି ଦଲାଲ୍ ରହିଛନ୍ତି। ଯେଉଁମାନେ ଅଫ୍‌ଲାଇନ୍‌ରେ ସକ୍ରିୟ ରହିଥିବା ବେଳେ ଅନ୍‌ଲାଇନ୍‌ରେ ମଧ୍ୟ ବେଟିଂ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କଟକରୋଡ୍, ନୟାପଲ୍ଲୀ, ବରମୁଣ୍ଡା, ଖଣ୍ଡଗିରି, ଖାରବେଳନଗର, ଚନ୍ଦ୍ରଶେଖରପୁର, ପଟିଆ, ହଂସପାଳ, ବାଲିଅନ୍ତା ଆଦି ଅଞ୍ଚଳରେ ହାଇ ପ୍ରୋଫାଇଲ ଆଇପିଏଲ୍ ଜୁଆ ଆଡ଼ା ଚାଲିଛି। ଏହି ସବୁ ଅଞ୍ଚଳରେ ଥିବା ଏକାଧିକ, ହୋଟେଲ, ଗେଷ୍ଟହାଉସ୍, ଭଡ଼ା ଘରେ ମେଳି ହେଉଛି। ମ୍ୟାଚ୍‌ରେ କେଉଁ ଦଳ ଜିତିବ ତା’ ଉପରେ ବେଟିଂ ଲାଗୁଛି। ଖାଲି ସେତିକି ନୁହେଁ; କେଉଁ ଖେଳାଳି ସର୍ବାଧିକ ରନ୍ କରିବ, କେତୋଟି ଛକା ମାରିବ ଓ କେଉଁ ବୋଲର କେତୋଟି ଓ୍ଵିକେଟ୍ ନେବ ସେ ନେଇ ମଧ୍ୟ ବାଜି ଲାଗୁଛି। ରାଜଧାନୀର ଛାତି ଉପରେ ଏଭଳି ବେଟିଂ ଚାଲୁଥିବା ବେଳେ ପୁଲିସ କେମିତି ଏହାର ଟେର୍ ପାଉନି ତାକୁ ନେଇ ପ୍ରଶ୍ନ ଉଠିଛି। ବେଟିଂ ସାଙ୍ଗକୁ ମଦ, ନିଶାର ଆସର ମଧ୍ୟ ଜମୁଛି। ବଡ଼ ହଲ୍, ରୁମ୍‌ରେ ଏହି ଖେଳ ଚାଲୁଛି। ବଡ଼ ଏଲଇଡି ଟିଭି ଲାଗୁଛି ସାମ୍ନାରେ ଜୁଆଡ଼ିମାନେ ବସୁଛନ୍ତି। ଯେତେବେଳେ ମ୍ୟାଚ୍ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେଉଛି ବା ନାଟକୀୟ ମୋଡ଼ ନେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି, ସେତିକିବେଳେ ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ବେଟିଂ ମାମଲାରେ ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ପୁଣେ, ଗୋଆ ସମତେ ବିଭିନ୍ନ ରାଜ୍ୟରେ ଏଭଳି ବେଟିଂ ରାକେଟ୍ ଧରାପଡ଼ିଛି। ତେଣୁ ଭୁବନେଶ୍ବରରେ ପୁଲିସ ଏଭଳି ରାକେଟ୍‌ ନିକଟରେ ପହଞ୍ଚିପାରିବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରୁ ଧରା ପଡ଼ିଥିବା ଆଇପିଏଲ୍ ବେଟିଂ ରାକେଟ୍
୨୩ ସେପ୍ଟେମ୍ବର ୨୦୨୧: ଝାରସୁଗୁଡ଼ା ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ୬.୮ ଲକ୍ଷ ଟଙ୍କା ଜବତ କରିଥିଲା।
୨୨ ଏପ୍ରିଲ ୨୦୨୧: ନବରଙ୍ଗପୁର ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ୩.୮୮ ଲକ୍ଷ ଟଙ୍କା ଜବତ ହୋଇଥିଲା।
୨୧ ଅକ୍ଟୋବର ୨୦୨୦: ବ୍ରହ୍ମପୁରରେ ବଡ଼ଧରଣର ଆଇପିଏଲ୍ ବେଟିଂ ରାକେଟ୍ ଧରାପଡ଼ିଥିଲା। ପୁଲିସ ୩୩.୬୧ ଲକ୍ଷ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା।

ରାତାରାତି ଲକ୍ଷପତି ହେବାର ନିଶା
ଜୁଆ ଆଡ଼ାରେ ଅଧିକରୁ ଅଧିକ ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କ ସମ୍ପୃକ୍ତି ଦେଖିବାକୁ ମିଳୁଛି। କିଛିଦିନ ତଳେ କଟକରୋଡରେ ଥିବା ପେଣ୍ଟାଗନ୍ ବାର୍‌ରେ ବଡ଼ଧରଣର ଜୁଆ ଆଡ଼ା ଧରାପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କରୋନା ଯୋଗୁଁ ବହୁ ବ୍ୟବସାୟୀ ବ୍ୟବସାୟରେ ବ୍ୟାପକ କ୍ଷତି ସହିଛନ୍ତି। ଏପରିକି କେତେକ ଦେବାଳିଆ ସ୍ଥିତିକୁ ଆସି ଯାଇଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ କେତେଜଣକୁ ଜୁଆ ଖେଳି ରାତାରାତି ଲକ୍ଷପତି ହେବାର ନିଶା ଘାରିଛି। ଆଉ କିଛି ବ୍ୟବସାୟୀ ଭଲ ସ୍ଥିତିରେ ଥିଲେ ମଧ୍ୟ ଜୁଆ ନିଶା ସେମାନଙ୍କୁ ଏଭଳି ଆଡ଼ାକୁ ଟାଣି ଆଣୁଛି।

ଦୁବାଇରୁ ହେଉଛି ଅପରେଟିଂ, ଆପ୍‌ରେ ଚାଲିଛି ଖେଳ
ଅଫ୍‌ଲାଇନ୍ ଅପେକ୍ଷା ଅନ୍‌ଲାଇନ୍‌ରେ ଅଧିକ ବେଟିଂ ଚାଲୁଛି। ବିଭିନ୍ନ ଗେଷ୍ଟହାଉସ, ହୋଟଲରେ ଜୁଆଡ଼ିମାନେ ଅନ୍‌ଲାଇନ୍‌ରେ ଜୁଆ ଖେଳୁଛନ୍ତି। ଏଥିପାଇଁ ବିଭିନ୍ନ ଆପ୍ ଏବଂ ଓ୍ୱେବସାଇଟ୍ ରହିଛି। ବେଟିଂ ଆପକୁ ଡାଉନଲୋଡ୍ କରି ଏଥିରେ ଆକାଉଣ୍ଟ ଖୋଲୁଛନ୍ତି। ଅଗ୍ରୀମ ଟଙ୍କା ଜମା କରିବାକୁ ପଡ଼ୁଛି। ୧୦ ଓଭରରୁ ୧୫ ଓଭର ଭିତରେ ଆରମ୍ଭ ହେଉଛି ବେଟିଂ। ମୁଖ୍ୟତଃ ଦଳର ଜୟ/ପରାଜୟ ଉପରେ ସର୍ବାଧିକ ଟଙ୍କା ଲାଗୁଥିବା ଜଣାପଡ଼ିଛି। ଏହା ବିଦେଶରୁ ବିଶେଷ କରି ଦୁବାଇରୁ ପରିଚାଳିତ ହେଉଛି। ଯାହା ଫଳରେ ଚେର ପର୍ଯ୍ୟନ୍ତ ପହଞ୍ଚିବା ପୁଲିସ ପକ୍ଷେ ସମ୍ଭବପର ହେଉ ନାହିଁ। ଗତବର୍ଷ ବ୍ରହ୍ମପୁରରୁ ଏକ ବଡ଼ଧରଣର ରାକେଟ୍ ଧରା ପଡ଼ିବା ପରେ ଦୁବାଇ ଲିଙ୍କ୍ ରହିଥିବା ଜଣାପଡ଼ିଥିଲା। କିନ୍ତୁ ପୁଲିସ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରି ନ ଥିଲା।

ତିନି ଟିମ୍ ପାଇଁ ସର୍ବାଧିକ ବାଜି
ଆଇପିଏଲ୍‌ ଲିଗ୍‌ ପର୍ଯ୍ୟାୟରେ ଚେନ୍ନାଇ ଏକ ନମ୍ବରରେ ରହି ପ୍ଲେ ଅଫ୍ ପାଇଁ ନିଜର ସ୍ଥାନ ପକ୍କା କରିସାରିଛି। ସେହିପରି ଦିଲ୍ଲୀ, ଆର୍‌ସିବି ପଛକୁ ଥିବା ବେଳେ ପ୍ଲେ ଅଫ୍ ପାଇଁ ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଚତୁର୍ଥ ସ୍ଥାନ ପାଇଁ କୋଲକାତା, ମୁମ୍ବାଇ, ରାଜସ୍ଥାନ ସଂଘର୍ଷ ଜାରି ରଖିଛନ୍ତି। ଏବେ ଚତୁର୍ଥ ସ୍ଥାନରେ କିଏ ରହିବ ତାକୁ ନେଇ ଜୋରଦାର ବେଟିଂ ଚାଲୁଛି। ସେହିପରି ଆର‌୍ସିବିର କୋହଲି, ମୁମ୍ବାଇର ରୋହିତ ଶର୍ମା, ଦିଲ୍ଲୀର ପନ୍ତ, ପଞ୍ଜାବର କେ.ଏଲ୍ ରାହୁଲ, ଚେନ୍ନାଇର ଧୋନି, ଆର୍‌ସିବିର ଏ.ବି. ଡିଭିଲିୟର୍ସ, ଚେନ୍ନାଇର ବ୍ରାଭୋ, ମୁମ୍ବାଇର ବୁମରା, ପୋଲାର୍ଡ, ହ୍ୟାଟ୍ରିକ୍ ନେଇଥିବା ଆରସିବିର ହର୍ଷଲ ପଟେଲଙ୍କ ଭଳି ପ୍ଲେୟାରଙ୍କ ଉପରେ ସର୍ବାଧିକ ବାଜି ଲାଗୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର