ଭୁବନେଶ୍ବର: ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କ ବାପା-ମା’ଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ ଘଟଣାରେ କମିସନରେଟ୍ ପୁଲିସ୍ ଦୁଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଅପରାଧରେ ବ୍ୟବହୃତ ବାଇକ୍କୁ ଜବତ କରିଛି। ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ତେବେ ଜବତ ବାଇକ୍ଟି ଚୋରା ବୋଲି ପୁଲିସ୍ ଜାଣିବାକୁ ପାଇଛି।
ଅପରପକ୍ଷେ ସାଗରିକା ଆଜି ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ଶନିବାର ରାତିରେ ତାଙ୍କ ବାପା-ମା’ ଆମ୍ରି ହସ୍ପିଟାଲ୍ ନିକଟ ସତ୍ୟସାଇ ଏନ୍କ୍ଲେଭରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ। ରାତି ପାଖାପାଖି ସାଢ଼େ ୮ଟାରେ ଘରକୁ ଯିବା ପାଇଁ ବାହାରିଥିଲେ। ତାଙ୍କ ବାପା ସେଠାରୁ ପ୍ରାୟ ୨୦ମିଟର ଦୂରରେ ଥିବା ପାର୍କିଂରୁ କାର୍ ଆଣିବାକୁ ଯାଇଥିବା ବେଳେ ମା’ ସମ୍ପର୍କୀୟଙ୍କ ଗେଟ୍ ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ ଜଣେ ଲୁଟେରା ବାଇକ୍ରେ ତାଙ୍କ ମା’ଙ୍କ ନିକଟକୁ ଆସି ଲୁଟ୍ ଉଦ୍ୟମ କରିଥିଲା। କାର୍ରେ ଆସୁଥିବା ତାଙ୍କ ବାପା ଏହା ଦେଖି ଲୁଟେରା ବାଇକ୍କୁ ଧକ୍କା ଦେଇଥିଲେ। ଫଳରେ ଲୁଟେରା ବାଇକ୍ ସହ ତଳେ ପଡ଼ିଯାଇଥିଲା। କିଛି ବାଟ ଦୂରରେ ଥିବା ଅନ୍ୟ ଜଣେ ଲୁଟେରା ଧାଇଁ ଆସି ଏକ ଲୁହା ରଡ୍ରେ କାର୍ କାଚକୁ ପିଟି ଦେଇଥିଲା। ଏହା ପରେ ଉଭୟ ବାଇକ୍ ଛାଡ଼ି ସେଠାରୁ ଫେରାର୍ ହୋଇଯାଇଥିଲେ। ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ବାଇକ୍କୁ ଜବତ କରିବା ସହ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।