‘ସମ୍ମମ’ରେ ଇରାକ ନାଗରିକଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇଛି। ଇରାକ ନାଗରିକ ଜସିମ କରିମ୍ ଫରାନ୍ ଚନାନି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗିରହିଥିଲା। ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟ୍ୟୁମର ସହିତ ଇନ୍‌ଭେସିଭ୍ ଫଙ୍ଗଲ ଫ୍ରନ୍‌ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ଜସିମ୍‌ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରିର ସିନିୟର୍ କନ୍‌ସଲଟାଣ୍ଟ ଡାକ୍ତର ରାଧାମାଧବ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ନ୍ୟୁରୋ-ଆନେସ୍‌ଥେଟିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରା ଏବଂ ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପୂଜା ଲଖୋଟିଆ ସାମିଲ ହୋଇ ଜସିମ୍‌ଙ୍କର ଅସ୍ତ୍ରୋପଚାର କରିଥିଲେ। ରୋଗ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ପଟ୍ସ ପଫି ଟ୍ୟୁମର ହେଉଛି ଏଭଳି ଏକ ସଂକ୍ରମଣ ଯାହାକି ପ୍ରାୟତଃ ଯୁବପିଢ଼ିଙ୍କ ଅପେକ୍ଷା ଶିଶୁ ଏବଂ ନାବାଳକଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ରୋଗୀଙ୍କର କପାଳର ଚର୍ମ ଲାଲ୍ ପଡ଼ିଯିବା ସହ ଆଖି ଏବଂ ଏହାର ଆଖାପାଖ ଅଂଶ ଫୁଲିଯାଇଥାଏ। ଏହାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ନାକରୁ ସିଙ୍ଘାଣି ବାହାରିବା ସହ ବନ୍ଦ ହୋଇଯାଇଥାଏ। ସଂଯୋଗବଶତଃ ଏକ ମାସ ତଳେ ଡାକ୍ତର ସାହୁ ୭୭ ବର୍ଷୀୟ ଅନ୍ୟ ଜଣେ ଇରାକୀ ନାଗରିକ ହସୁନ୍ ୱେଦ୍ ଓଗ୍‌ଲା ଅଲ୍‌-ସଦାୱି ଙ୍କର ସଫଳ ଚିକିତ୍ସା କରିଥିଲେ। ସେ ମଧ୍ୟ ବିରଳ ସ୍କଲବେସ୍ ରୋଗ ସେଣ୍ଟ୍ରାଲ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ରେ ପୀଡ଼ିତ ଥିଲେ।

ସମ୍ବନ୍ଧିତ ଖବର