ସି-ଏଆରଏମ୍‌, ରେଡିଓଗ୍ରାଫି, ଡେଣ୍ଟାଲ ଏକ୍ସ-ରେ ସିଲ୍‌

ଏଇଆରବି ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଯାଞ୍ଚ

ଭୁବନେଶ୍ୱର: ଆଟୋମିକ ଏନର୍ଜି ରେଗୁଲେଟୋରି ବୋର୍ଡ ବା ଏଇଆର୍‌ବି ପକ୍ଷରୁ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରହିଛି। ଏଆଇଆର୍‌ବିର ୨ଜଣିଆ ଟିମ୍‌ ଆଜି କ୍ୟାପିଟାଲ ହସ୍ପିଟାଲରେ ଯାଞ୍ଚ କରିଥିଲେ। ଏଥିରେ ସେମାନେ ସି-ଏଆରଏମ୍‌, ରେଡିଓଗ୍ରାଫି, ଡେଣ୍ଟାଲ ଏକ୍ସ-ରେ ଓ ମାମୋଗ୍ରାଫି ମେସିନ୍‌ର ପଞ୍ଜୀକରଣ ନଥିବାରୁ ସେଗୁଡ଼ିକ ସିଲ୍‌ କରିଥିବା ଜଣାପଡ଼ିଛି। ଏହାସହ ସିଟି-ସ୍କାନ୍‌, କ୍ୟାଥ ଲ୍ୟାବ୍‌ ଓ ଏକ୍ସ-ରେ ପାଇଁ ତାଗିଦ୍‌ କରିଛନ୍ତି।

ଆଜି ସକାଳ ପ୍ରାୟ ୯ଟାରେ ମୁମ୍ବାଇସ୍ଥିତ ଏଇଆର୍‌ବିର ସାଇଣ୍ଟିଫିକ୍‌ ଅଫିସର(ଇ) ଆରତୀ କୁଲକର୍ଣ୍ଣି ଓ ରାଜୀବ ଲୋଚନ ସା’ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଏକ୍ସ-ରେ ଗୃହରେ ପହଞ୍ଚି ଏହାର ପଞ୍ଜୀକରଣ ଯାଞ୍ଚ କରିଥିଲେ। ଏହାସହ ମାମୋଗ୍ରାଫି ମେସିନ୍‌, ରେଡଓଗ୍ରାଫି, ସି-ଏଆରଏମ୍‌, ସିଟି-ସ୍କାନ୍‌ ଓ କ୍ୟାଥ ଲ୍ୟାବ୍‌ ଇତ୍ୟାଦିର ଯାଞ୍ଚ କରିଥିଲେ। ସି-ଏଆରଏମ୍‌, ରେଡିଓଗ୍ରାଫି, ଡେଣ୍ଟାଲ ଏକ୍ସ-ରେ ଓ ମାମୋଗ୍ରାଫି ମେସିନ୍‌ର ପଞ୍ଚୀକରଣ ନ ଥିବାରୁ ଏସବୁ ମେସିନ୍‌କୁ ସିଲ୍‌ କରାଯାଇଥିଲା। ଅପରପକ୍ଷରେ ସିଟି-ସ୍କାନ୍‌, କ୍ୟାଥ ଲ୍ୟାବ୍‌ ଓ ଏକ୍ସ-ରେ ମେସିନ୍‌ର ପଞ୍ଜୀକରଣ ଛଡ଼ା ଅନ୍ୟ କୌଣସି କାଗଜପତ୍ର ଯାଞ୍ଚ ଅଧିକାରୀ ପାଇ ନ ଥିଲେ। ତେଣୁ ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର କର୍ତୃପକ୍ଷଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ସି.ଆର ଦାସଙ୍କ କହିବାନୁଯାୟୀ, ଏକ୍ସ-ରେ, ସିଟି-ସ୍କାନ୍‌ ଓ କ୍ୟାଥ ଲ୍ୟାବ୍‌ର ପଞ୍ଜୀକରଣ ନ ଥିବାରୁ ଏଇଆରବି ପକ୍ଷରୁ ଏଥିପାଇଁ ଆବେଦନ କରିବାକୁ କୁହାଯାଇଛି। ମାସେ ମଧ୍ୟରେ ଏଥିପାଇଁ ଆବେଦନ କରାଯିବାର ସମୟ ଅବଧି ରହିଛି। ମାମୋଗ୍ରାଫି ମେସିନ୍‌ ପାଇଁ ଅପରେଟର ନ ଥିବାରୁ ମେସିନ୍‌ ଚାଲୁ ନାହିଁ।

ସମ୍ବନ୍ଧିତ ଖବର