ଭୁବନେଶ୍ବର: ଖୁବ୍ଶୀଘ୍ର ରାଜଧାନୀ ପାଲଟିବ ଦେଶର ସୁପ୍ରସିଦ୍ଧ, ଦକ୍ଷ ଓ ପ୍ରତିଷ୍ଠିତ ଇଂଜିନିୟର୍ଙ୍କ ଆଡ଼ାସ୍ଥଳ। ଶହ ଶହ ଇଂଜିନିୟର୍ଙ୍କ ଭିଡ଼ରେ ରାଜଧାନୀ ଆହୁରି ସମ୍ଭ୍ରାନ୍ତ ଅନୁଭୂତ ହେବ। କାରଣ ନଭେମ୍ବର ୭ରୁ ୧୦ ତାରିଖ ଯାଏ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆନ୍ ରୋଡ୍ସ୍ କଂଗ୍ରେସ’ର ୮୪ତମ ବାର୍ଷିକ ଅଧିବେଶନ। ଚଳିତ ବର୍ଷ ଓଡ଼ିଶା ଷଷ୍ଠ ଥର ପାଇଁ ଏହି ଅଧିବେଶନର ଆୟୋଜନ କରୁଥିବା ବେଳେ ଏହା ପୂର୍ବରୁ ୧୯୫୪, ୧୯୮୨, ୧୯୯୪, ୨୦୦୫ ଓ ୨୦୧୫ ମସିହାରେ ମଧ୍ୟ ଏହି ଅଧିବେଶନର ପ୍ରତିନିଧିତ୍ବ କରିସାରିଛି। ଯଦିଓ ଏହା ପୂର୍ବରୁ ୧୯୫୪ ମସିହା ଫେବ୍ରୁଆରି ମାସରେ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆଇଆର୍ସିର ୧୮ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ତେବେ ୧୯୮୨ ମସିହାର ଅଧିବେଶନ ଗୁରୁତ୍ବପୂର୍ଣ୍ଣ ଥିଲା। କାରଣ ଏହି ଅଧିବେଶନ ପରେ ରାଜଧାନୀର ଏକ ଅଞ୍ଚଳର ନାମ ସବୁଦିନ ପାଇଁ ଏହି ଅଧିବେଶନ ନାମରେ ନାମିତ ହୋଇଯାଇଥିଲା। ତାହା ଥିଲା ଆଇଆର୍ସି ଭିଲେଜ୍। ଆସନ୍ତୁ ଆଇଆର୍ସି ଅଧିବେଶନ ପୂର୍ବରୁ ଆଇଆର୍ସି ଭିଲେଜ୍ର କାହାଣୀ ଉପରେ ଟିକେ ନଜର ପକାଇ ଆଣିବା।
୧୯୮୨ ମସିହା କଥା। ଆଇଆର୍ସି ଭିଲେଜ ବୋଲି ଏକ ଅଞ୍ଚଳ ନଥିଲା ସେ ସମୟରେ। ନୂଆପଲ୍ଲୀ ମୌଜାର ଜଙ୍ଗଲ ଅଞ୍ଚଳ ଥିଲା ଏହି ସ୍ଥାନ। ବଡ଼ବଡ଼ ଗଛ ସହ ଜଙ୍ଗଲୀ ଜନ୍ତୁଙ୍କ ଆଶ୍ରୟସ୍ଥଳ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆ କରି କିଛି କିଛି ସରକାରୀ କ୍ବାର୍ଟର୍ସ ତିଆରି ହୋଇଥିଲା ମାତ୍ର। ସେହି ସମୟରେ କିଛି ସମୟ ପାଇଁ ଏହି ଅଞ୍ଚଳ ହଠାତ୍ ଭାରତର ବଡ଼ ବଡ଼ ଇଂଜିନିୟର୍ସମାନଙ୍କ ଠିକଣା ପାଲଟି ଯାଇଥିଲା। ଏହି ଐତିହାସିକ ମୂହୂର୍ତ୍ତକୁ ସବୁ ଦିନ ପାଇଁ ମନେ ରଖିବାକୁ ସ୍ଥାନର ନାମ ହୋଇଯାଇଥିଲା ‘ଆଇଆର୍ସି ଭିଲେଜ୍’।
୪୩ତମ ଆଇଆର୍ସି ଅଧିବେଶନ ରାଜଧାନୀ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ
୧୯୮୨ ମସିହାରେ ଯେତେବେଳେ ‘ଇଣ୍ଡିଆନ୍ ରୋଡ୍ସ୍ କଂଗ୍ରେସ’ର ୪୩ତମ ବାର୍ଷିକ ଅଧିବେଶନ ଆୟୋଜନ ହୋଇଥିଲା ପାଖାପାଖି ଏକ ହଜାର ଅତିଥି ଭୁବନେଶ୍ବକୁ ଆସିଥିଲେ। ଏତେ ସଂଖ୍ୟକ ଅତିଥିଙ୍କ ରହିବା ପାଇଁ ସେତେବେଳେ ରାଜଧାନୀରେ ପର୍ଯ୍ୟାପ୍ତ ହୋଟେଲ୍ର ବ୍ୟବସ୍ଥା ନଥିଲା। ନୂଆପଲ୍ଲୀରୁ ଜୟଦେବବିହାର ମଧ୍ୟରେ ଥିବା ଜଙ୍ଗଲିଆ ଅଞ୍ଚଳରେ ସେତେବେଳେ କିଛି ନୂଆ ନୂଆ ସରକାରୀ କ୍ବାର୍ଟର୍ସ ତିଆରି ହୋଇଥିଲା। ଏଣୁ ଏହିଠାରେ ହିଁ ଅତିଥିମାନଙ୍କୁ ରଖିବାର ଯୋଜନା କରାଗଲା। ନୂଆପଲ୍ଲୀ ଥାନା ପାଖରୁ ଜୟଦେବବିହାର ଶେଷ ପର୍ଯ୍ୟନ୍ତ ଯେତିକି ସରକାରୀ ଘର ଥିଲା ସେସବୁକୁ ଅତିଥି ଅଭ୍ୟର୍ଥନା ପାଇଁ ପ୍ରସ୍ତୁତ କରାଗଲା। ନୂଆ ନୂଆ ଖଟ ଓ ବିଭିନ୍ନ ଆସବାପତ୍ର ପକାଇ ଅତିଥିମାନେ ରହିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା।
ଆଇଆର୍ସିର ଅତିଥିମାନେ ଏତେ ଥିଲେ ଯେ, ସେମାନେ ପାଖାପାଖି ୭ ଦିନ ସେହି ଅଞ୍ଚଳର ପ୍ରାୟ ୨୫୦ ଘରେ ରହିଥିଲେ। ଏତେ ସଂଖ୍ୟକ ଇଞ୍ଜିନିୟର୍ ଏକାସଙ୍ଗେ ଏତେ ବଡ଼ ଅଞ୍ଚଳରେ ରହିବା ଫଳରେ ଏହା ଆଇଆର୍ସିର ଏକ ବସତି ବା ଗାଁ ଭଳି ପ୍ରତୀତ ହେଲା। ଏହା ପରଠାରୁ ଆଇଆର୍ସିର ସେଇ ଅତିଥିମାନଙ୍କୁ ସମର୍ପଣ କରି ଏହି ଅଞ୍ଚଳକୁ ‘ଆଇଆର୍ସି ଭିଲେଜ୍’ ବୋଲି କୁହାଗଲା। ‘ଆଇଆର୍ସି ଭିଲେଜ୍’ର ନାମକରଣ ପରେ ଧୀରେଧୀରେ ଏହି ଅଞ୍ଚଳରେ ବିଭିନ୍ନ ଲୋକ ଜାଗା କିଣି ଘର କରି ରହିବା ଆରମ୍ଭ କଲେ। ଦୋକାନ ବଜାର ଖୋଲିଲା, ବହୁ ଅନୁଷ୍ଠାନ ଧୀରେଧୀରେ ବିକଶିତ ହେଲା। ସ୍କୁଲ, ସ୍ବାସ୍ଥ୍ୟ କେନ୍ଦ୍ର ଆଦି ସୁବିଧା ବି ଉପଲବ୍ଧ ହେଲା। ଏବେ ଏହି ଅଞ୍ଚଳର ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ଭାବେ ମୁଣ୍ଡ ଟେକିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/irc-village-2025-11-05-12-13-27.jpg)