ଆଇଆର୍‌ସି ଭିଲେଜ ପୋଷ୍ଟ ଅଫିସ ବନ୍ଦ

କ୍ୟାପିଟାଲ ହସ୍ପିଟାଲରୁ ଜଣେ ପଜିଟିଭ୍, ଗୋଡ଼ିସାହି ଫାଣ୍ଡିରେ କରୋନା

ଭୁବନେଶ୍ୱର : ଆଇଆରସି ଭିଲେଜ ପୋଷ୍ଟ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୋଷ୍ଟ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଅଫିସକୁ ତୁରନ୍ତ ବିଶୋଧନ କରିବା ଲାଗି ବିଏମସିକୁ ଅନୁରୋଧ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ପୋଷ୍ଟ ଅଫିସର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରିବାକୁ କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। ଯଦି ଆବଶ୍ୟକ ପଡ଼େ, ଅନ୍ୟ କୋଭିଡ ହସ୍ପିଟାଲରେ ବି କରାଯାଉ। ଆବଶ୍ୟକ ହେଲେ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଭରଣା କରାଯିବ। କୋଭିଡ ମାମଲା ସମ୍ପର୍କିତ ସମସ୍ୟା ସମ୍ପର୍କରେ ବୁଝାସୁଝା କରିବା ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଚିହ୍ନଟ ହୋଇଥିବା ମହିଳା କର୍ମଚାରୀଜଣକ ଜୁଲାଇ ୧୭ରୁ ଛୁଟିରେ ଅଛନ୍ତି।

କ୍ୟାପିଟାଲ ହସ୍ପିଟାଲରୁ ଜଣେ ପଜିଟିଭ୍
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ କାର୍ଯ୍ୟ କରୁଥିବା ସୁଇପର ପଜିଟିଭ୍ ହୋଇଛନ୍ତି। ତେବେ କେତେଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଗତକାଲି ସେହି ୱାର୍ଡରୁ ଜଣେ ଆଟେଣ୍ଡାଣ୍ଟ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଂପୃକ୍ତ ସୁଇପରଜଣକ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କି ତାହା ପରେ ଜଣାପଡ଼ିବ ବୋଲି କୁହାଯାଇଛି।

ଗୋଡ଼ିସାହି ଫାଣ୍ଡିରେ କରୋନା
ବାରଙ୍ଗ : ବାରଙ୍ଗ ଥାନା ପୁଲିସକୁ ଗୋଡ଼ାଉଛି କରୋନା ସଂକ୍ରମଣର ଭୟ। ନିକଟରେ ବାରଙ୍ଗ ଥାନା ହାଜତରେ ଅଟକ ଥିବା‌ ଅବସ୍ଥାରେ ଜଣେ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ଗୋଡ଼ିସାହି ଫାଣ୍ଡିର ଜଣେ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ବାରଙ୍ଗ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କରୋନା ଭୟ ଖେଳି ଯାଇଛି। ସେହିଭଳି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବହୁ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।

ସୂଚନାନୁସାରେ ଏହି ଥାନା ଅଧୀନ ଗୋଡ଼ିସାହି ଫାଣ୍ଡିର ଜଣେ ଏଏସ୍ଆଇ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ତାଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଥାନା ହାଜତରେ ଅଟକ ଥିବା ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବାରଙ୍ଗ ଥାନାକୁ ସାଇନିଟାଇଜ୍‌ କରାଯାଇଥିଲା। ପରେ ପରେ ୨୭ ଜଣ ପୁଲିସ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ରିପୋର୍ଟ ମିଳିନାହିଁ। କିନ୍ତୁ ଆଜି ଗୋଡ଼ିସାହି ଫାଣ୍ଡିରୁ ଏଏସ୍ଆଇ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଫାଣ୍ଡିକୁ ସାନିଟାଇଜ୍ କରାଯାଇଛି। ଏଥିସହ ୭ଜଣ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଛି ବୋଲି ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ସେହିଭଳି ଏବେ ବ୍ଲକ କାର୍ଯ୍ୟାଳୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବେଲଗଛିଆରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ। ଉକ୍ତ ବ୍ୟକ୍ତିଜଣକ ନିକଟରେ ବ୍ଲକକୁ ଏକ କାର୍ଯ୍ୟରେ ଆସିଥିଲେ। ସେଥିପାଇଁ ବ୍ଲକ ପରିସରକୁ ସିଲ୍‌ କରାଯାଇଛି ବୋଲି ବିଡିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର