ରାସ୍ତାରୁ ହଟିଲା ଲୁହା ବାରିକେଡ୍‌: ସାଇକେଲ୍‌ କରିଡ଼ରରେ ଗଡ଼ିଲାନି ସାଇକେଲ୍‌

ଲଗାଇଥିଲା ବିଏସ୍‌ସିଏଲ୍‌, ହଟାଇଲା ପୂର୍ତ୍ତ ବିଭାଗ, ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

ଚନ୍ଦ୍ରଶେଖରପୁର: ୨୦୧୮ରେ ପୁରୁଷ ହକି ବିଶ୍ବକପ୍‌ ବେଳେ ସହରର ୩ଟି ରୁଟ୍‌ରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ କରାଯାଇ ନାଲି ରଙ୍ଗ ଲଗାଯାଇଥିଲା। ମାତ୍ର ୪ ବର୍ଷ ଭିତରେ ବହୁତ କିଛି ବଦଳି ଯାଇଛି। ସେତେବେଳର ସାଇକେଲ୍‌ ଟ୍ରାକ୍‌ ଆଉ ନାହିଁ। ରାସ୍ତାରୁ ରଙ୍ଗ ଉଡ଼ିଗଲାଣି। ସାଇକେଲ୍‌ ଟ୍ରାକ୍‌ରେ କାର୍‌, ଅଟୋ, ବାଇକ୍‌ ଗଡ଼ୁଛି। ପାର୍କିଂ ହେଉଛି। କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ସାଇକେଲ୍‌ ଟ୍ରାକ୍‌ କାମରେ ଲାଗିପାରି ନ ଥିବା ବେଳେ ପଟିଆ ଛକରୁ ଶିଖରଚଣ୍ଡି ପାହାଡ଼ ପର୍ଯ୍ୟନ୍ତ ହୋଇଥିବା ସାଇକେଲ୍‌ କରିଡରରେ ଦିନେ ବି ହେଲେ ଗୋଟିଏ ସାଇକେଲ୍‌ ଗଡ଼ି ପାରିଲା ନାହିଁ। ବରଂ ସରକାରୀ ବାବୁଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ଏବେ ହିନସ୍ତା ଭୋଗୁଛନ୍ତି। ଦୁର୍ଘଟଣା ବଢ଼ିଛି। ‌ସ୍କୁଲ ପିଲାମାନେ ଅସୁବିଧାର ସମ୍ମୁଖୀନ ହେବା ନେଇ ଅଭିଯୋଗ ଆସିବା ପରେ ଏବେ କରିଡର ହଟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଟିଆ ଛକରୁ ଇନ୍‌ଫୋସିଟ୍‌ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଲୁହା ବାଡ଼ ଦିଆଯାଇ କରାଯାଇଥିବା ସାଇକେଲ୍‌ କରିଡରକୁ ହଟାଇ ଦିଆଯାଇଛି। ପରବର୍ତୀ ପର୍ଯ୍ୟାୟରେ ଇନ୍‌ଫୋସିଟ୍‌ରୁ ଶିଖରଚଣ୍ଡି ପର୍ଯ୍ୟନ୍ତ ରାସ୍ତାରେ ଲାଗିଥିବା ଲୁହା ବାଡ଼ ହଟାଯିବ ବୋଲି କୁହାଯାଇଛି। ମାତ୍ର କେବେ ହଟିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।

ପ୍ରଦୂଷଣମୁକ୍ତ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ସାଇକେଲ୍‌ ଟ୍ରାକ୍‌ରେ ଯେପରି କେବଳ ସାଇକେଲ୍‌ ଗଡ଼ିବ; ସେଥିପାଇଁ କରୋନା ସମୟରେ ୨୦୨୦ ଶେଷ ଆଡ଼କୁ ଶିଖରଚଣ୍ଡୀ ପାଦଦେଶରୁ ପଟିଆ‌ ଛକ ପର୍ଯ୍ୟନ୍ତ ରାସ୍ତାରେ ସ୍ବତନ୍ତ୍ର ସାଇକେଲ୍‌ କରିଡର୍‌(ରାସ୍ତା ମଝିରେ ଲୁହା ବାଡ଼) କାମ ଆରମ୍ଭ ହୋଇଥିଲା। ୨୦୨୧ ଜାନୁଆରିରେ ଏହି କରିଡର କାମ ଶେଷ ହେବା ପରେ ପ୍ରଥମେ ପ୍ରଥମେ ସମସ୍ତେ ଏହାକୁ ପ୍ରଶଂସା କରିବା ସହ ସାଇକେଲ୍‌ ଚାଳକଙ୍କ ଲାଗି ବେଶ୍‌ ସହାୟକ ହେବ ବୋଲି କହିଥିଲେ। ମାତ୍ର କରୋନା ପରବର୍ତୀ ପରିସ୍ଥିତିରେ ସ୍କୁଲ, କଲେଜ ଖୋଲିବା ପରେ ପରିସ୍ଥିତି ଅଣାୟତଃ ହୋଇଯାଇଥିଲା। ଏଭଳି କରିଡର ଦ୍ବାରା ରାସ୍ତା ସଙ୍କୁଚିତ ହେବା ସହ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଦୁର୍ଘଟଣା ବଢ଼ିବା ସହ ଲୁହା ବାରିକେଡ୍‌ରେ ପିଟି ହୋଇ ବହୁ ଗାଡ଼ି ଚାଳକ ଆହତ ହୋଇଥିବା ଅଭିଯୋଗ ହୋଇଥିଲା।

ଶିକ୍ଷାନୁଷ୍ଠାନ ସମୟରେ ରାସ୍ତାରେ ପ୍ରବଳ ଭିଡ଼ ହେବାରୁ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ କିଛି ମାସ ତଳେ ସ୍ଥାନୀୟ କର୍ପୋରେଟରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ ସାଇକେଲ୍‌ କରିଡର ଦ୍ବାରା ୪ କିମି ଲମ୍ବର ଏହି ରାସ୍ତା ବହୁ ପରିମାଣରେ ସଙ୍କୁଚିତ ହୋଇଛି। ତିନି ଥାକିଆ ରାସ୍ତା ଏବେ ଦୁଇ ଥାକିଆରେ ପରିଣତ ହୋଇଛି। ଗୋଟିଏ ଦିଗରୁ ଯାଉଥିବା ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା କଷ୍ଟକର ହୋଇପଡ଼ୁଛି। ସାଇକେଲ୍‌ ଟ୍ରାକ୍‌ ପାଇଁ ବାରିକେଡ୍‌ ହୋଇଥିବାରୁ ଏହି ରାସ୍ତା ଅନ୍ୟମାନଙ୍କ ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଛି। ଏହି ସାଇକେଲ୍‌ କରିଡର କୌଣସି କାମରେ ଆସୁ ନାହିଁ। ରାସ୍ତାକୁ ସୁନ୍ଦର କରିବାକୁ ୨୦୦ରୁ ଅଧିକ ଫୁଲକୁଣ୍ଡ ରଖାଯାଇଥିଲେ ମଧ୍ୟ କେବେ କି ସେଥିରେ ଗୋଟିଏ ବି ଫୁଲ ଗଛ ଲଗାଯାଇ ନ ଥିଲା। ଇନ୍‌ଫୋସିଟି ଛକରୁ ପଟିଆ ଛକ ରାସ୍ତା ପର୍ଯ୍ୟନ୍ତ ଲାଗିଥିବା ଲୁହା ବାଡ଼କୁ ଦୁବୃର୍ତ୍ତ କାଟି ନେଇଗଲେଣି। ଲୁହା ନାହିଁ କି ତାରଜାଲି ନାହିଁ। ରାସ୍ତାରେ କେବଳ ନାଲିରଙ୍ଗ ବୋଳା ଟ୍ରାକ୍‌ କେଉଁଠି କେମିତି ରହିଛି। ତାହାକୁ ହଟାଇ ଦେଲେ କିଛି ଅସୁବିଧା ନାହିଁ। ବରଂ ଭିଡ଼ କମିବ।

ଅଭିଯୋଗ ପରେ ସ୍ଥାନୀୟ କର୍ପୋରେଟରମାନେ ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ନିଆଯାଇଛି। ଯୁଦ୍ଧାକଳୀନ ଭିତ୍ତିରେ ପଟିଆରୁ ଇନ୍‌ଫୋସିଟି ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଲୁହା ବାଡ଼ କଢ଼ାଯାଇଛି। ସାଇକେଲ୍‌ ବାରିକେଡ୍‌ ମଝିରେ ପୋତାଯାଇଥିବା ଖୁଣ୍ଟଗୁଡ଼ିକୁ ବି ହଟାଇ ଦିଆଯାଇଛି। ଏହାଦ୍ବାରା ରାସ୍ତା ଓସାରିଆ ହେବା ସହ ଗାଡ଼ି ଚଳାଚଳରେ ଆଉ କୌଣସି ଅସୁବିଧା ହେଉ ନାହିଁ। ତେବେ ଶିଖରଚଣ୍ଡି ପାଦଦେଶରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଥିବା ସାଇକେଲ୍‌ କରିଡର ହଟାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାରେ ଏକାଧିକ ମ୍ୟାନେଜ୍‌ମେଣ୍ଟ କଲେଜ ସାଙ୍ଗକୁ କର୍ପୋରେଟର ଅଫିସ୍‌ ରହିଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର