ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ କୋଟିଏ ଟଙ୍କାର ଲୁହା ପାଇପ୍‌(ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ବଡ଼ ପାଇପ୍‌) ଚୋରି କରିଥିବା ଏକ ଅନ୍ତଃରାଜ୍ୟ ରୢାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପୁଲିସ ଏହି ରୢାକେଟ୍‌ର ୩ ମୁଖିଆଙ୍କ ସମେତ ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି। ଗ୍ୟାଙ୍ଗ୍‌ର ୩ ମୁଖିଆ ହେଲେ ଚୌଦ୍ବାର ଅଞ୍ଚଳର ଜଣାଶୁଣା ଟ୍ରାନ୍‌ସପୋର୍ଟର ସନ୍ଦୀପ ଅଗ୍ରୱାଲ ଓରଫ୍ ବାବୁଲା, ମଞ୍ଚେଶ୍ବର ଥାନା ଜିଜିପି କଲୋନିର ରମେଶ ସାହୁ ଓ ଚନ୍ଦକାର ସୁଧୀର ବେହେରା ଓରଫ୍ ମଣ୍ଟୁ। ଅନ୍ୟ ୮ ଜଣ ହେଲେ ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ରହୁଥିବା ହିଞ୍ଜିଳିକାଟୁର ଶ୍ରମିକ ଠିକାଦାର ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ, ଗଞ୍ଜାମର ପପୁ ଭୂୟାଁ, ନୟାଗଡ଼ ଶରଣକୂଳର ଶ୍ରୀକାନ୍ତ ମହାରଣା, ଚନ୍ଦକା ଥାନା ହରିପୁରର ସେକ୍ ରହିମ୍‌ ଓରଫ୍ ରାଜା, କଟକ ବାଦାମବାଡ଼ି ପାଲାମଣ୍ଡପ ଅଞ୍ଚଳର ରାଜ କୁମାର ପରିଡ଼ା, ଖୋର୍ଦ୍ଧା ବାଘମାରୀର ଭାଗୀରଥି ନାୟକ, ଖୋର୍ଦ୍ଧା ସାରୁଅର କାର୍ତ୍ତିକ ସୁବୁଦ୍ଧି, କଟକର ରଶ୍ମିରଞ୍ଜନ ଦାଶ ଓରଫ୍ ଚିକୁ। ସେମାନଙ୍କଠାରୁ ନଗଦ ୨୦ହଜାର ଟଙ୍କା, ଗୋଟିଏ ମାଲବାହୀ ଅଟୋ, ଗୋଟିଏ ବୁଲେଟ୍‌ ଓ ୧୦ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଏହି ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇଛନ୍ତି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ବଡ଼ବଡ଼ ଲୁହା ପାଇପ୍‌ ବିଛାଯାଉଛି। ଜଳ ଯୋଗାଣ ପାଇଁ ମାଟି ତଳେ ପୋତା ଯାଉଥିବା ଏହି ପାଇପ୍‌ ଚୋରି କରିବାକୁ ଏହି ଗ୍ୟାଙ୍ଗ୍‌ ଲାଗିପଡ଼ିଥିଲା। ଏନେଇ ବିଭିନ୍ନ ସ୍ଥାନରୁ ମାଳମାଳ ଅଭିଯୋଗ ଆସୁଥିଲା। ବିଶେଷକରି କଟକ, କନ୍ଧମାଳ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ଥିଲା। କିନ୍ତୁ ପୁଲିସ ଏହି ଚୋରିର ଟେର୍‌ ପାଉନଥିଲା। ଲୁହା ପାଇପ୍‌ ସବୁକୁ ଛୋଟଛୋଟ ଖଣ୍ଡରେ କାଟି ଏହି ଗ୍ୟାଙ୍ଗ୍‌ ସ୍କ୍ରାପ୍‌ ଦରରେ ବିକ୍ରି କରୁଥିଲା। ଟ୍ରାନ୍‌ସପୋର୍ଟର ସନ୍ଦୀପ ଅଗ୍ରୱାଲ୍‌ ଜାଲ କାଗଜପତ୍ର କରି ସ୍କ୍ରାପ୍‌କୁ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପଠାଇଦେଉଥିଲା। କେଜି ପିଛା ୨୪ ଟଙ୍କା ଦରରେ ଲୁହା ବିକି ଦେଉଥିଲେ। ବର୍ଷକ ଭିତରେ କୋଟିଏ ଟଙ୍କାର ପାଇପ୍‌କୁ ସେମାନେ ୪୦ ଲକ୍ଷ ଟଙ୍କାରେ ବିକିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ପୁଲିସ ଏକ ମାଲବାହୀ ଅଟୋକୁ ସନ୍ଦେହରେ ଅଟକାଇଥିଲା। ସେଥିରେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ ସହ ଅନ୍ୟ ୩ ଜଣ ଥିଲେ ଏବଂ କଟା ଯାଇଥିବା ଲୁହା ପାଇପ୍‌ ଖଣ୍ଡ ଭର୍ତ୍ତି ହୋଇଥିଲା। ଥାନାକୁ ନେଇ ପଚରାଉଚରା କରିବା ପରେ ଏହି ରୢାକେଟ୍‌ର ଗୁମର ଖୋଲିଥିଲା।

ପ୍ରେମିକପ୍ରବର ଟୁଙ୍ଗୁରୁ ସାଜିଥିଲା ପାଇପ୍‌ କଟା ଠିକାଦାର
ଏହି ରୢାକେଟ୍‌ ଧରାପଡ଼ିବା ପରେ ଏକ ମଜାଦାର ତଥ୍ୟ ସାମ୍ନାକୁ ଆସିଛି। ଏକଦା ସମଗ୍ର ରାଜ୍ୟରେ ପ୍ରେମିକପ୍ରବର ଭାବେ ଚର୍ଚ୍ଚାକୁ ଆସିଥିବା ଟୁଙ୍ଗୁରୁ ଭୋଳ ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ମୁଖ୍ୟ ସଦସ୍ୟ ବୋଲି ଜଣାପଡ଼ିଛି। ୩ ମୁଖିଆ ସନ୍ଦୀପ, ରମେଶ ଓ ସୁଧୀର ପାଇପ୍‌ ଠାବ କରିବା ପରେ ଟୁଙ୍ଗୁରୁ ରାତିରେ ଫୁଲେଶ୍ବରୀ ବସ୍ତିରୁ କଟାକଟି କରିବାକୁ ଶ୍ରମିକ ନେଇ ସେଠାରେ ପହଞ୍ଚି ଯାଉଥିଲା। ସାଧାରଣତଃ ନିଛାଟିଆ ସ୍ଥାନରେ ଗଦା ହୋଇ ରହିଥିବା ବଡ଼ବଡ଼ ପାଇପ୍‌ଗୁଡ଼ିକ କଟର୍‌ରେ କାଟିବା ପରେ ଟୁଙ୍ଗୁରୁ ତା’ ମାଲବାହୀ ଅଟୋରେ ସେସବୁକୁ ଲଦି ଚନ୍ଦକା ଗୋଦାମକୁ ନେଉଥିଲା ଏବଂ ପରେ ସେଠାରୁ କଟକ ଚୌଦ୍ବାର ଚାଲାଣ କରାଯାଉଥିଲା। ଟୁଙ୍ଗୁରୁର ଏହି ଖବର ଆଜି ଭୁବନେଶ୍ବରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏକଦା ଜଣେ ବିବାହିତା ମହିଳାଙ୍କ ପ୍ରେମ ଜାଲରେ ପଡ଼ି ଫସିଥିବା ଟୁଙ୍ଗୁରୁକୁ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ସାମାଜିକ ଗଣମାଧ୍ୟମ ବାଦ୍‌ କିଛି ପ୍ରତିଷ୍ଠିତ ଗଣମାଧ୍ୟମ ଜରିଆରେ ବି ଟୁଙ୍ଗୁରୁର ପ୍ରେମ କାହାଣୀ ଘରେଘରେ ପହଞ୍ଚିଯାଇଥିଲା। ବଜାର, ହାଟ ସବୁଠି ଟୁଙ୍ଗୁରୁ ଚର୍ଚ୍ଚା ଚାଲିଥିଲା। ଏମିତିକି ଆଲବମ୍‌ ଗୀତରେ ବି ଟୁଙ୍ଗୁରୁ ବୁଲୁଥିଲା। କିନ୍ତୁ ଭିତରେ ଭିତରେ ଟୁଙ୍ଗୁରୁ ପାଲଟିଯାଇଥିଲା ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟ। ପ୍ରେମିକପ୍ରବର ଭିତରେ ଛପିଥିବା ଜଣେ ଲୁଟେରା ଧରାପଡ଼ିଯାଇଛି।