କେନାଲ ସଫେଇରେ ଅନିୟମିତତା: କେନାଲରେ ପାଣି, ଜମିରେ ମାଡ଼ୁନି

ବାଲିପାଟଣା: ଚଳିତ ବର୍ଷ ଖରିଫ ଫସଲ ପାଇଁ କେନାଲରେ ପାଣି ଛଡ଼ାଯାଇଛି। ତେଣୁ ନିଅଣ୍ଟିଆ ବର୍ଷା ପାଇଁ ଚିନ୍ତାରେ ପଡ଼ିଥିବା ଚାଷୀ ଏବେ ଆଶ୍ବସ୍ତ ହୋଇଛି। କିନ୍ତୁ କେନାଲ ସଫେଇ କାମ ଠିକ୍‌ରେ ହୋଇ ନଥିବାରୁ ବହୁ ଜମିକୁ ପାଣି ମାଡ଼ି ପାରୁନାହିଁ। ଅଧିକ ପରିମାଣର କେନାଲ ଜଳ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ପାଇଁ ହଜାର ହଜାର ହେକ୍ଟର ଜମିରେ ବେଉଷଣ ଓ ରୁଆ ପୋତା କାମ ହୋଇ ପାରୁନଥିଲା। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇଥିଲା ଓ ଗତ ୧୦ ତାରିଖ ଦିନ ନିମାପଡ଼ା ଶାଖା କେନାଲରେ ପାଣି ଛଡ଼ା ଯାଇଛି। ଆଙ୍କୁଶପୁର କେନାଲରେ ମଧ୍ୟ ପାଣି ଆସିଛି। କେନାଲରୁ ବାହାରିଥିବା ମାଇନରଗୁଡ଼ିକରେ ପାଣି ଛଡ଼ା ଯାଇଛି। କିନ୍ତୁ ମରାମତି ଅଭାବରୁ ଦୁର୍ବଳ ବନ୍ଧ ଭାଙ୍ଗି କେନାଲ ଜଳ ନଷ୍ଟ ହେଉଛି। କେନାଲ ଭିତରେ ବଢ଼ିଥିବା ଲତା, ଅନାବନା ଗଛ କାରଣରୁ ବହୁ ସ୍ଥାନରେ ଥିବା ଘଳିଆ ବାଟ ଦେଇ ଅନାବଶ୍ୟକ ଜମିରେ ପାଣି ମାଡ଼ୁଛି। ଅଥଚ ଯେଉଁ ଜମିକୁ ଲୋକେ ମଟର ଦ୍ବାରା ପାଣି ମଡ଼ାଉଛନ୍ତି ବା ଯେଉଁ କିଆରିରେ ତଳି ମରିବାକୁ ବସିଛି, ସେହି ଜମିକୁ କେନାଲ ପାଣି ପହଞ୍ଚି ପାରୁନାହିଁ।

ସୂଚନାଯୋଗ୍ୟ, ଜଳସେଚନ ବିଭାଗ ଜୁଲାଇ ୧୬ ତାରିଖ ପରେ କେନାଲରେ ପାଣି ଛାଡ଼ିବ‌ ବୋଲି ସ୍ଥିର କରିଥିଲା। ତେବେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ୧୦ ତାରିଖରେ ପାଣି ଛଡ଼ା ଯାଇଛି। କିନ୍ତୁ ମାଇନର୍‌ଗୁଡ଼ିକର ବନ୍ଧ ବାଡ଼ ଦୁର୍ବଳ ଥିବାରୁ ପାଣି ଅନାବଶ୍ୟକ ସ୍ଥାନରେ ପହଞ୍ଚି ନଷ୍ଟ ହେଉଛି। ବାଲିପାଟଣା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁଙ୍କ କହିବା କଥା, କେନାଲ ସଫେଇ ପାଇଁ ୧୪ ତାରିଖରେ ଟେଣ୍ତର୍‌ କରାଯିବ ଓ ପରେ ପରେ ତୁରନ୍ତ କେନାଲ୍‌ ସଫେଇ କାମ ଆରମ୍ଭ ହେବ। ଚାଷୀମାନଙ୍କ ଦାବିଅନୁସାରେ, ଚଳିତବର୍ଷ କେନାଲ ସଫେଇ ଭଲରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର