ଡ୍ରେନ୍‌ ନିର୍ମାଣରେ ଅନିୟମିତତା, ଅଭିଯୋଗକାରୀ ଆକ୍ରୋଶର ଶିକାର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆପଲ୍ଲୀ ଅଞ୍ଚଳରେ ଚାଲିଥିବା ଡ୍ରେନ୍ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କିନ୍ତୁ ଅନିୟମିତତାର ସମାଧାନ କରାଯିବା ବଦଳରେ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀମାନେ ଅଭିଯୋଗକାରୀଙ୍କ ଉପରେ ଦାଉ ସାଧୁଥିବା ନେଇ କଥା ଉଠିଲାଣି। ଅଭିଯୋଗକାରୀଙ୍କୁ ଅସୁବିଧାରେ ପକାଇବା ପାଇଁ କଣ୍ଟ୍ରାକ୍ଟର ଓ ବିଏମ୍‌ସିର ଯନ୍ତ୍ରୀମାନେ ଚକ୍ରାନ୍ତ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଟ୍ରାଫିକ୍ ଛକରୁ ବେହେରାସାହି ଓ ଗୋଲାପ ରିସର୍ଟ ଦେଇ ନିର୍ମାଣାଧୀନ ଡ୍ରେନ୍ ରାସ୍ତାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଚେରି ପଡ଼ିଥିଲା। ଉକ୍ତ ପାଚେରିଟି କିଛି ଫୁଟ୍ ସରକାରୀ ଜାଗା ମାଡ଼ି ଆଗକୁ କରାଯାଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପାଚେରିକୁ ବଞ୍ଚାଇବାକୁ ଯାଇ ବିଏମ୍‌ସି ଯନ୍ତ୍ରୀମାନେ ଡ୍ରେନ୍‌ର ଗତିପଥ ବଦଳାଇ ପ୍ରାୟ ୨ ଫୁଟ୍ ଘୁଞ୍ଚାଇ ରାସ୍ତା ଉପରକୁ ମଡ଼ାଇ ଆଣିଲେ। ଏହାକୁ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନେ ସେଥିପ୍ରତି କର୍ଣ୍ଣପାତ କଲେନାହିଁ। ବରଂ ଅଭିଯୋଗକାରୀମାନଙ୍କ ଘର ସମ୍ମୁଖ ରାସ୍ତାରେ ଡ୍ରେନ୍‌ର ଉଚ୍ଚତାକୁ କମାଇଦେଲେ। ଫଳରେ ଡ୍ରେନ୍‌ ଉପରେ ସ୍ଲାବ୍ ପଡ଼ିବା ପରେ ମଧ୍ୟ ରାସ୍ତାର ଉଚ୍ଚତା ଡ୍ରେନଠାରୁ ଅଧିକ ହୋଇଥିବାରୁ ସେହି ରାସ୍ତାରେ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ବିବାଦୀୟ ପାଚେରି ଓ ଉକ୍ତ ଘରର ଗେଟ୍ ସମ୍ମୁଖ ଦେଇ ଯାଇଥିବା ଡ୍ରେନର ଉଚ୍ଚତାକୁ ଅନ୍ୟ ଅଂଶଠାରୁ ଅଧିକ କରାଯାଇଛି। ସବୁ ସ୍ଥାନରେ ଡ୍ରେନ୍‌ର ଉଚ୍ଚତା ସମାନ ରହିବା ନିୟମ ରହିଥିବା ସତ୍ତ୍ବେ ପ୍ଲଟ ସମ୍ମୁଖରେ ଡ୍ରେନ୍‌ର ଉଚ୍ଚତା ବଢ଼ିବା ପଛରେ କାହା ସ୍ବାର୍ଥ ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଏହି ଡ୍ରେନ୍ ନିର୍ମାଣ ଚାଲିଥିବାବେଳେ ନୂଆପଲ୍ଲୀ ଅଞ୍ଚଳରେ ଏକ ପାଚେରି ଭୁଶୁଡ଼ି ପଡ଼ିଥିଲା। ତେଣୁ ଡ୍ରେନ୍ କାର୍ଯ୍ୟ ତଦାରଖ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ ଦଶଜଣିଆ କମିଟି ଗଠନ ହୋଇଥିଲା। ଏହି ଅନିୟମିତତା ସଂପର୍କରେ ଉକ୍ତ କମିଟିର ସଦସ୍ୟ ମନୋରଂଜନ ମହାନ୍ତିଙ୍କୁ ପଚରାଯିବାରୁ ସେ ଡ୍ରେନ୍‌କୁ ସଳଖ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି। ଅପରପକ୍ଷରେ ନିର୍ମାଣକାରୀ ସଂସ୍ଥା ବିଏମ୍‌ସିର ଏସ୍‌ଡିଓ ଓ ଯନ୍ତ୍ରୀଙ୍କ କହିବାନୁଯାୟୀ କାମ କରୁଛନ୍ତି ବୋଲି କହିଥିଲେ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ।

ସମ୍ବନ୍ଧିତ ଖବର