ବାରଙ୍ଗ/ତ୍ରିଶୁଳିଆ: ବୋଟିଂ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ କର୍ତ୍ତୃପକ୍ଷ ଅନିୟମିତତା କରିଥିବା ଅଭିଯୋଗରେ ଆଜି ନନ୍ଦନକାନନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଣେ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ। ତେବେ ଉପନିର୍ଦ୍ଦେଶକ ଡ. ସଂଜିତ୍ କୁମାର ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ସହ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ବିକ୍ଷୋଭକାରୀମାନେ ଧାରଣାରୁ ଉଠିଥିଲେ।
ଅଭିଯୋଗ ଅନୁସାରେ ଜଣେ ଠିକାଦାରଙ୍କୁ ସୁହାଇବା ଭଳି ଟେଣ୍ଡର ପ୍ରକ୍ରିୟାକୁ ପରିଚାଳନା କରାଯାଇଥିଲା। ଜଣେ କିରାଣୀ ତାଙ୍କ ସମ୍ପର୍କୀୟ ଠିକାଦାରଙ୍କୁ ସହଯୋଗ କରିବା ଲାଗି ଲୁଚାଛପାରେ ଜଉମୁଦକୁ ବଦଳାଇଛନ୍ତି ବୋଲି ସେମାନେ ନାରାବାଜି କରିଥିଲେ। ତେଣୁ ଏହି ଟେଣ୍ଡରକୁ ରଦ୍ଦ କରି ସାନି ଟେଣ୍ଡର କରାଯାଉ ବୋଲି ଦାବି ଉଠିଥିଲା। ଏହି ବିକ୍ଷୋଭରେ ଦାରୁଠେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ରାଉତରାୟ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ସଂଗ୍ରାମ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ମନୋଜ ପାହାଡ଼ସିଂ ପ୍ରମୁଖ ସାମିଲ୍ ହୋଇଥିଲେ।