ମହାମାରୀ କରୋନା କଟକଣା ଲାଗୁ ହେବା ଠାରୁ କ୍ୟାପିଟାଲ୍ ହସ୍ପିଟାଲ୍ର ଆଇସିୟୁ ବନ୍ଦ ରହିଛି। ଫଳରେ ଆଇସିୟୁ ଦରକାର ପଡ଼ୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି। ଏବେ କରୋନା ସଂକ୍ରମଣ ବେଶ୍ ହ୍ରାସ ପାଇଛି। ତେଣୁ କଟକଣା ମଧ୍ୟ ବହୁ ମାତ୍ରାରେ କୋହଳ କରାଗଲାଣି। ଘରୋଇ ହସ୍ପିଟାଲରେ ଆଇସିୟୁ ଖୋଲାଗଲାଣି। କିନ୍ତୁ କରୋନା ବାହାନା କରି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ବି ଆଇସିୟୁ ବନ୍ଦ କରି ରଖିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମ୍ବାଦ ପକ୍ଷରୁ ହୋଇଥିବା ଏକ ଜନମତରେ ଲୋକେ ତୁରନ୍ତ ଏଠାରେ ଆଇସିୟୁ ଖୋଲିବାକୁ ଦାବି କରିଛନ୍ତି।
ରୋଗୀ ମୃତ୍ୟୁମୁଖରେ ପଡ଼ିବେ
କ୍ୟାପିଟାଲ୍ ହସ୍ପିଟାଲର ଆଇସିୟୁ ତୁରନ୍ତ ଖୋଲାଯାଉ। ନଚେତ୍ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସମସ୍ୟାରେ ପଡ଼ିବେ। ରାଜଧାନୀର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଆଶୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଲେ ଗୁରୁତର ରୋଗୀ ମୃତ୍ୟୁମୁଖରେ ପଡ଼ିବେ। ଏଥିପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ।
-ବେଣୁଧର ମିଶ୍ର, ଷ୍ଟାମ୍ପ ଭେଣ୍ଡର, ଭୁବନେଶ୍ବର
କରୋନା କମିଲାଣି, ଆଇସିୟୁ ଖୋଲୁ
କ୍ୟାପିଟାଲ୍ ହସ୍ପିଟାଲ୍କୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ କାଜୁଆଲିଟିରୁ ଅନ୍ୟତ୍ର ରେଫର୍ କରି ଦିଆଯାଉଛି। ଆଇସିୟୁ ଚାଲୁଥିଲେ ଏଭଳି ଅବସ୍ଥା ହୁଅନ୍ତା ନାହିଁ। ରାଜଧାନୀରେ ଗତ କିଛି ମାସ ହେବ କରୋନା ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏଣୁ ଏଠାରେ ଆଇସିୟୁ ଖୋଲିବାରେ କୌଣସି ବାଧକ ନାହିଁ।
-ମନୋରଞ୍ଜନ ସାହୁ, ବରିଷ୍ଠ ସମାଜସେବୀ, ଭୁବନେଶ୍ବର
ରାଜଧାନୀରେ ଏପରି ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ
ରାଜଧାନୀରେ ସବୁଠାରୁ ଭଲ ସରକାରୀ ହସ୍ପିଟାଲ ହେଉଛି କ୍ୟାପିଟାଲ୍ ହସ୍ପିଟାଲ୍। ଗରିବ ଲୋକଙ୍କ ଭରସାର ସ୍ଥଳ। ଆଇସିୟୁ ଥାଇ ବି ଏଠାରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବଡ଼ ବେଦନାଦାୟକ। ଏହାକୁ ଏକ ସରକାରୀ ମେଡିକାଲ୍ କଲେଜ୍ କରିବାକୁ ଯୋଜନା କରାଯାଉଥିବାବେଳେ ଏହାର ବର୍ତ୍ତମାନର ଚିତ୍ର ଦେଖିଲେ ବଡ଼ ବ୍ୟଥିତ ହେବାକୁ ପଡ଼ୁଛି। ତୁରନ୍ତ ଆଇସିୟୁ ଖୋଲିବା ଓ ରୋଗୀଙ୍କୁ ଖର୍ଚ୍ଚାନ୍ତ ନ କରି ସେହିଠାରେ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଦିଗରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେବା ଆବଶ୍ୟକ।
-ରଶ୍ମିତା ପତି, ଗୃହିଣୀ
ରେଫର୍ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହୁଛି
ଗରିବ ଲୋକମାନେ ବଡ଼ ଆଶା କରି କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସନ୍ତି। କମ୍ ଖର୍ଚ୍ଚରେ ଭଲ ଚିକିତ୍ସା ପାଇବା ପାଇଁ ଆଶା ବାନ୍ଧି ଆସନ୍ତି। ମାତ୍ର ଏଠାରେ ଆଇସିୟୁ ଉପଲବ୍ଧ ଥାଇ ମଧ୍ୟ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଛି। ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ରହୁଛି। ଏଥିଯୋଗୁ ଘରୋଇ ହସ୍ପିଟାଲ୍ରେ ଅର୍ଥ ଖର୍ଚ୍ଚ ନ କରି ପାରି ବହୁ ରୋଗୀ ପ୍ରାଣ ହରାଉଛନ୍ତି ଓ ଅନେକ ହଇରାଣ ହରକତ ହେଉଛନ୍ତି। ଗରିବ ଲୋକଙ୍କୁ ହନ୍ତସନ୍ତ ନ କରି ସରକାର କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁ ତୁରନ୍ତ ଖୋଲିବା ଉଚିତ।
-ଯୋଗେନ୍ଦ୍ର ଭୋଇ, ଶିକ୍ଷକ
କରୋନା କେବଳ ବାହାନା
ଏବେ ରାଜ୍ୟ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ମହାମାରୀ କରୋନା ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଭଲ ବାହାନା ଯୋଗାଇ ଦେଇଛି। ଯଦି ରାଜଧାନୀର ସରକାରୀ ବଡ଼ ଡାକ୍ତରଖାନାରେ ଏଭଳି ଅବସ୍ଥା, ତେବେ ଗାଁ ଗହଳିରେ କ’ଣ ନ ହେଉଥିବ! ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କଡ଼ାକଡ଼ି ନିୟମ କରାଯିବା ସହ ସମୟ ଆସିଛି। ଗରିବ ଗୁରୁତର ରୋଗୀଙ୍କୁ ସରକାରୀ ଆଇସିୟୁ ସେବା ଯୋଗାଇବା ଉଚିତ। ସରକାର ଏହାକୁ ଗୁରୁତ୍ବର ନେବା ଉଚିତ।
-ସ୍ବାଗତ ସମ୍ବିତ ନାୟକ, ସରକାରୀ କର୍ମଚାରୀ
ଡାକ୍ତରଙ୍କୁ କିଏ ବିଶ୍ବାସ କରିବ!
ଆଇସିୟୁ ଖାଲି ଥାଇ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍କୁ ରେଫର୍ କରିବା ଏକ ସଙ୍ଗିନ୍ ପ୍ରସଙ୍ଗ। ଏଭଳି କରିବା ଜଣେ ଡାକ୍ତରଙ୍କ ପକ୍ଷେ ଠିକ୍ ନୁହେଁ। ଡାକ୍ତରମାନଙ୍କୁ ଆମେ ଦ୍ବିତୀୟ ଭଗବାନଙ୍କ ଆଖ୍ୟା ଦେଇଛୁ। ଏଭଳି କରିବା ଦ୍ବାରା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ଡାକ୍ତରମାନେ ସେମାନଙ୍କ ବିଶ୍ବାସନୀୟତା ହରାଉଛନ୍ତି।
-ସଂଜ୍ଞା ସୁଚରିତା, ଶିକ୍ଷୟିତ୍ରୀ
ଆଇସିୟୁ ବିନା କ୍ୟାପିଟାଲ୍ ହସ୍ପିଟାଲ୍ ମୂଲ୍ୟହୀନ
କ୍ୟାପିଟାଲ୍ ହସ୍ପିଟାଲ୍ ରାଜଧାନୀ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଗରିବ ଲୋକଙ୍କୁ କମ୍ ଖର୍ଚ୍ଚରେ ଚିକିତ୍ସା ସେବା ଯୋଗାଇ ଦେଉଥିବାରୁ ରାଜଧାନୀବାସୀ ବେଶ୍ ଉପକୃତ ହୋଇଥାନ୍ତି। ଘରୋଇ ହସ୍ପିଟାଲ୍ରେ ଯଦି ଆଇସିୟୁ ଖୋଲା ରହିପାରୁଛି, ତେବେ କ୍ୟାପିଟାଲ୍ ହସ୍ପିଟାଲ୍ରେ କାହିଁକି ଖୋଲାଯାଇପାରିବ ନାହିଁ! ଯଦି କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଇସିୟୁ ନ ଖୋଲିବ, ତେବେ ଏହା ଲୋକଙ୍କ ପାଇଁ ସଂପୂର୍ଣ୍ଣ ମୂଲ୍ୟହୀନ।
-କାମାକ୍ଷୀ ପ୍ରସାଦ ପଣ୍ଡା, ନୂଆପଲ୍ଲୀ
ଆଇସିୟୁ ଖୋଲିବା ଜରୁରୀ
ଦୀର୍ଘ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରର ଏକମାତ୍ର ସରକାରୀ ଡାକ୍ତରଖାନାର ଆଇସିୟୁ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ବିଶେଷ କରି ଗରିବ ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ସମ୍ବଳ ନଥିବାରୁ ସେମାନେ ଅସ୍ତ୍ରୋପଚାର ପାଇଁ ବେସରକାରୀ ଡାକ୍ତରଖାନା ଯାଇ ନପାରି ହନ୍ତସନ୍ତ ହେଉଛନ୍ତି। ତେଣୁ ଏପରି ସ୍ଥଳରେ ସରକାରୀ ଡାକ୍ତରଖାନା ଡାକ୍ତର ସୁବିଧା ସହ ଆଇସିୟୁ ସୁବିଧା ତୁରନ୍ତ ଯୋଗାଇଦେବା ଜରୁରି।
-ବନଜା ଦାଶ, ନୀଳକଣ୍ଠନଗର
ଗରିବ ଲୋକଙ୍କ ପ୍ରତି ଅନ୍ୟାୟ
ଏବେ ସବୁ ସରକାରୀ ଡାକ୍ତରଖାନାର ଅବସ୍ଥା ଏମିତି। ଡାକ୍ତରମାନେ ଆଉ ରୋଗୀ ସେବାରେ ମନ ଦେଉନାହାନ୍ତି। କରୋନା ହୋଇଯିବ ଭାବି ଦୂର୍ ଦୂର୍ ହେଉଛନ୍ତି। ଚିକିତ୍ସା କରିବାକୁ ପଡ଼ିବ ବୋଲି ଜାଣିଶୁଣି ଅଲଗା ଡାକ୍ତରଖାନାକୁ ପଠାଇ ଦେଉଛନ୍ତି। ସେହିଭଳି କରୋନା ପ୍ରଭାବ କମିଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁକୁ ବନ୍ଦ ରଖାଯାଇଛି। ଏହା ଦ୍ବାରା ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଏହା ଗରିବ ଜନସାଧାରଣଙ୍କ ପାଇଁ ଘୋର୍ ଅନ୍ୟାୟ।
-ଶ୍ରଦ୍ଧାଞ୍ଜଳି ଚୌଧୁରୀ, ଅଧ୍ୟାପିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/564sf56h4f5s6h4fs56hhhffhssf.jpg)
