ଅସୁରକ୍ଷିତ ହୋଇପଡ଼ୁଛି କି ନନ୍ଦନକାନନ? ପର୍ଯ୍ୟଟକଙ୍କୁ କାମୁଡ଼ିଦେଲା ଭାଲୁ

୩ ମାସରେ ୧୦ ଅଘଟଣ: ବନ୍ୟପ୍ରାଣୀକୁ ବିପଦ, ପର୍ଯ୍ୟଟକ ଆତଙ୍କିତ

ଭୁବନେଶ୍ବର/ବାରଙ୍ଗ: ଟୟ ଟ୍ରେନ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ। କିଛି ଦିନ ପୂର୍ବରୁ ଖୁଆଡ଼ ଭାଙ୍ଗି ବାଘ ସଫାରିକୁ ଚାଲି ଆସିଲା ବାଘ ‘ରାଜେଶ’। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ। ସେହିପରି ବାଘ ଖୁଆଡକୁ ଅଜଗର ପଶିଯିବା ପରେ ଘଣ୍ଟା ଘଣ୍ଟା ଧରି ଉଭୟ ପ୍ରାଣୀଙ୍କ ମଧ୍ୟରେ ଚାଲିଥିଲା ଲଢ଼େଇ। ବଣୁଆ ହାତୀ ବି ପା‌ଚେରି ଭାଙ୍ଗି ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରି ଉତ୍ପାତ କରିଥିଲା। ଯେଉଁଥିପାଇଁ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଲା। ଆଉ ଆଜି ସଫାରୀ ଭ୍ରମଣ ବେଳେ ଜଣେ ଗାଇଡ୍‌ଙ୍କ ହାତକୁ ଭାଲୁ କାମୁଡ଼ି ଲହୁଲୁହାଣ କରିବା ଘଟଣା ନନ୍ଦନକାନନରେ ବନ୍ୟପ୍ରାଣୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ କିଛି ପର୍ଯ୍ୟଟକ ବସ୍‌ରେ ଭାଲୁ ସଫାରି ପରିଦର୍ଶନରେ ଯାଇଥିଲେ। ସଫାରି ଭିତରେ ବସ ନିକଟକୁ ଏକ ବଡ ଭାଲୁ ଆସୁଥିବାର ଦେଖି ପର୍ଯ୍ୟଟକମାନେ ଉତ୍ସାହିତ ହୋଇପଡ଼ିଥିଲେ। ସମସ୍ତେ ନିଜ ନିଜ ସିଟରୁ ଉଠି ଭାଲୁ ଆଡ଼କୁ ଚାହିଁଥିଲେ। ପର୍ଯ୍ୟଟକଙ୍କୁ ମନୋରଞ୍ଜନର ସୁଯୋଗ ଦେବା ଲାଗି ସଫାରି ବସର ଡ୍ରାଇଭର୍‌ କିଛି ସମୟ ପାଇଁ ସେଠାରେ ବସ୍‌ଟିକୁ ଅଟକାଇଥିଲେ। ଏତିକି ବେଳେ ଭାଲୁ କିଭଳି ହାତରୁ ଖାଏ ତାହା ଦେଖିବା ପାଇଁ ଅଣସ୍ବୀକୃତିପ୍ରାପ୍ତ ଗାଇଡ୍‌ ଟୁଲୁ ବେହେରା ପର୍ଯ୍ୟଟକଙ୍କୁ କହିଥିଲେ। ବସ୍‌ରେ ଖୋଲା ଥିବା କାଚ ଝରକା ଓ ଏହାର ଅଗରେ ଲାଗିଥିବା ଜିଆଇ ତାର ଜାଲି ଭିତରେ ହାତ ଗଳାଇ ଟୁଲୁ ଭାଲୁକୁ ଖଣ୍ଡେ ପନିର ପକୋଡ଼ା ଦେଖାଇଥିଲା। ଏଥିରେ ଭାଲୁ ରାଗିଯାଇ ଗର୍ଜନ କରିବା ସହ ହାତକୁ କାମୁଡ଼ି ଧରି ବାହରକୁ ଟାଣି ନେଇଥିଲା। ପର୍ଯ୍ୟଟକମାନେ ହୋ ହଲ୍ଲା କରିବାରୁ ଭାଲୁ ଛାଡି ଦେଇଥିଲା। ମାତ୍ରର ଭାଲୁର ରାଗ ଥମି ନଥିଲା। ସେ ପୁଣି ଗର୍ଜନ କରି ବସ୍‌ ଝରକା ବାଟେ ଭିତରକୁ ଗୋଡ଼ ଗଳାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ପରିସ୍ଥିତିକୁ ଦେଖି ବସ ଚାଳକ ଖୁବ୍ ଜୋରରେ ବସ୍‌ ଚଳାଇ ଭାଲୁକୁ ଭୟଭିତ କରାଇବା ସହ ଆଗକୁ ପଳାଇ ଯାଇଥିଲେ।

ଭାଲୁ ସଫାରି ଭିତରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କର୍ତୃପକ୍ଷଙ୍କ ଚେତା ପଶୁଛି। ସଫାରି ମଧ୍ୟକୁ ଖାଦ୍ୟ ପ୍ରବେଶ ଉପରେ କଟକଣା ଲାଗିଥିଲେ ମଧ୍ୟ କିଭଳି ଖାଦ୍ୟ ଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ୍ କୁମାର କହିଛନ୍ତି ଯେ ପରିଭ୍ରମଣ ସମୟ‌‌ରେ ସଫାରି ବସ୍‌ର କାଚ ବନ୍ଦ କରିବା ସହ ବସ୍‌ରୁ ଓହ୍ଲାଇ ଭାଲୁଙ୍କ ପାଖକୁ ଯାଇ ଖାଦ୍ୟ ଦେବା ବାରଣ କରାଯାଇଛି। ତା’ପରେ ବି କିଛି ଅଣସ୍ବୀକୃତ ଗାଇଡ ଓ କର୍ମଚାରୀ ଏସବୁ ନିୟମକୁ ମାନୁ ନାହାନ୍ତି। ଏନେଇ ସଫାରି ବସ ପରିଚାଳନା ସଂସ୍ଥାର କର୍ମଚାରୀଙ୍କୁ ଡାକି ଆଲୋଚନା କରାଯିବ। ଗାଇଡ୍‌ ଜଣକ ବିରୁଦ୍ଧରେ ପଦକ୍ଷେପ ନିଆଯିବା ସହ ଚେତାବନୀ ଦିଆଯିବ। ନିୟମ କଡ଼ାକଡ଼ି ପାଳନ କରିବା ଓ ପର୍ଯ୍ୟଟକଙ୍କୁ ସଚେତନ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଇବାକୁ ଅନ୍ୟ ଗାଇଡ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ଭଲ କାମ ପାଇଁ ପୁରଷ୍କାର ଦେବାର ବ୍ୟବସ୍ଥା ହେବ।

କିଭଳି ହେବ ବିଶ୍ବସ୍ତରୀୟ?
ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ଲାଗି ସବୁ ସ୍ତରରେ ଉଦ୍ୟମ ହେଉଛି। ରାଜ୍ୟଠାରୁ କେନ୍ଦ୍ର ପର୍ଯ୍ୟନ୍ତ, ଓଡ଼ିଶାର ଏହି ପ୍ରାଣୀ ଉଦ୍ୟମର ବିକାଶ ଲାଗି ସ୍ବପ୍ନ ଦେଖାଉଥିବା ବେଳେ ବାରମ୍ବାର ଏଭଳି ଅଘଟଣ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଇଛି। ସତରେ କ’ଣ ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନ? ନା ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ନନ୍ଦନକାନନ କର୍ତୃପକ୍ଷ ବିଫଳ ହୋଇଛନ୍ତି? ବନ୍ୟପ୍ରାଣୀଙ୍କର ଉଚିତ୍‌ ଯନ୍ତ୍ର ନିଆଯାଉ ନାହିଁ କି? ବାରମ୍ବାର ଏଭଳି ଅଘଟଣ ଦ୍ବାରା ଓଡ଼ିଶା ଜାତୀୟସ୍ତରରେ ବଦନାମ ମୁଣ୍ଡାଉଛି। କେବଳ ସେତିକି ନୁହେଁ, ପର୍ଯ୍ୟଟକଙ୍କୁ ଉଚିତ୍‌ ସେବା ମିଳୁ ନ ଥିବାରୁ କିଛି ଦିନ ପୂର୍ବରୁ ଏଠାକୁ ବୁଲିବାକୁ ଆସିଥିବା କେତେଜଣ ବଙ୍ଗୀୟ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ଭିତରେ ଧାରଣାରେ ବସିଥିଲେ। ଯେଉଁଥିପାଇଁ ନନ୍ଦନକାନନ କର୍ତୃପକ୍ଷ ଟିକେଟ୍‌ ନିୟମରେ ପରିବର୍ତନ କରିଥିଲେ।

ଟୟ ଟ୍ରେନ୍‌ରେ ଲାଗିଥିଲା ନିଆଁ
ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସିଛି। ଟୟ ଟ୍ରେନ୍‌ ସେବା ପୁଣିଥରେ ଆରମ୍ଭ ହେବା ପରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବାକୁ କର୍ତୃପକ୍ଷ ବହୁ ଆଶା ରଖିଥିଲେ। ମାତ୍ର ଆରମ୍ଭରୁ ଝୁଣ୍ଟିଥିଲା ଏହି ସେବା। ପର୍ଯ୍ୟଟକ ଉପକୃତ ହେବେ କ’ଣ; ସେମାନେ ଅଳ୍ପରେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଅକ୍ଟୋବର ୧୫ରେ ଟୟ ଟ୍ରେନ୍‌ରେ ନିଆଁ ଲାଗିବାରୁ ଏଭଳି ସମସ୍ୟା ଉପୁଜିଥିଲା ଯେ ଆଜି ପର୍ଯ୍ୟନ୍ତ ତାହା ପୁଣିଥରେ କାର୍ଯ୍ୟକାରୀ ହୋଇପାରି ନାହିଁ।

ବାଘ ଘରେ କୁମ୍ଭୀର, ବାଘ-ଅଜଗର ଲଢ଼େଇ
ଅକ୍ଟୋବର ପ୍ରଥମ ସପ୍ତାହରେ ବାଘ ଖୁଆଡ଼ରେ ଅଜଗର ପଶିଯିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଲଢ଼େଇ ହୋଇଥିଲା। ଯେଉଁଥିରେ ଅଜଗର ଆହତ ହେବା ପରେ ତାହାକୁ ଚିକିତ୍ସା କରାଯାଇଛି। ଅକ୍ଟୋବର ୬ରେ ୩୩(କ) ବାଘ ଖୁଆଡ଼କୁ ମଗର କୁମ୍ଭିର ପଶିଆସିଥିଲା। ଯେଉଁଥିପାଇଁ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ପମ୍ପ ଲଗାଇ ପାଣି ଶୁଖାଇବା କୁମ୍ଭିରକୁ ଉଦ୍ଧାର କରିଥିଲେ। ସେହିପରି ଗତ ଦୁଇ ମାସ ମଧ୍ୟରେ କାମ୍ପାଚୁନ୍‌ ମାଙ୍କଡର ଅଚାନକ ମୃତ୍ୟୁ, ଭାରତୀୟ ଧୂସର ଗଧିଆ ଆହତ ହେବା, ଓଟପକ୍ଷୀର ମୃତ୍ୟୁ, ଜଳହସ୍ତୀ ପାଚେରି ଭୁଶୁଡ଼ିବା ଘଟଣା ନନ୍ଦନକାନନ ସୁରକ୍ଷାକୁ ଆଙ୍ଗୁଳି ନିର୍ଦେଶ କରୁଛି। ଏତେ ସବୁ ଘଟଣା ପରେ ବି ରାଜ୍ୟ ସରକାର ଚୁପ୍‌ ବସିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଆଗକୁ ଆହୁରି ବିପଦ ମାଡ଼ି ଆସିବା ପୂର୍ବରୁ ବ୍ୟବସ୍ଥା ସଜାଡ଼ିବାକୁ ମତପ୍ରକାଶ କରିଛନ୍ତି।

ତାରଜାଲି ଭାଙ୍ଗି ଖୁଆଡ଼ ଡେଇଁଥିଲା ବାଘ
୩୩(ଖ) ନମ୍ବର ଖୁଆଡ଼ରେ ଥିବା ବାଘ ‘ରାଜେଶ’ ତାର ଜାଲି ଭାଙ୍ଗି ବାଘ ସଫାରିକୁ ପଳାଇ ଆସିବାରୁ ନନ୍ଦନକାନନ ଭିତ‌ରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଗତ ୨୦ ତାରିଖରେ ବ୍ୟଟେରି ଚାଳିତ ଗାଡ଼ିରେ ଅବ୍ୟବସ୍ଥା ଅଭିଯୋଗ ନେଇ ବଙ୍ଗୀୟ ପର୍ଯ୍ୟଟକଙ୍କ ପ୍ରାଣୀ ଉଦ୍ୟାନ ପରିସରରେ ଧାରଣାରେ ବସିଥିଲେ। ଏହାଦ୍ବାରା ନନ୍ଦନକାନନ ଅପବାଦ ମୁଣ୍ଡାଇଥିଲା। ସେପ୍ଟେମ୍ବର ୪ରେ ବଣୁଆ ହାତୀ ପାଚେରି ଭାଙ୍ଗି ପଶିବା ଘଟଣା କର୍ତୃପକ୍ଷଙ୍କୁ ନାକେଦମ କରିଥିବା ବେଳେ ପର୍ଯ୍ୟଟକଙ୍କ ଲାଗି ବିପଦ ସୃଷ୍ଟି କରିଥିଲା। ବାଘ ସଫାରିରେ ବସ୍‌ ଫଶିବା ଘଟଣା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

ସମ୍ବନ୍ଧିତ ଖବର