‘ଇଜ୍ ଅଫ୍ ଲିଭିଙ୍ଗ୍’ ସର୍ବେକ୍ଷଣ : ମତ ରଖିବାକୁ ବିଏମ୍‌ସିର ଅନୁରୋଧ

ଭୁବନେଶ୍ବର : ବାସୋପଯୋଗୀ ସହର ସର୍ବେକ୍ଷଣ (ଇଜ୍ ଅଫ୍ ଲିଭିଙ୍ଗ୍)ରେ ଅଧିକରୁ ଅଧିକ ନାଗରିକ ଭାଗ ନେଇ ଭୁବନେଶ୍ୱରକୁ ଆଗରେ ରଖିବା ଲାଗି ବିଏମ୍‌ସି ନିବେଦନ କରିଛି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ବାସୋପଯୋଗୀ ମାନଦଣ୍ଡଗୁଡ଼ିକ କିପରି ନିଜ ସହରରେ ଉପଲବ୍ଧ ରହିଛି, ତାହାକୁ ବିଚାର କରି ନାଗରିକମାନେ ସହରାଞ୍ଚଳ ଯୋଜନା ଓ ପରିଚାଳନାକୁ ସୁଗମ କରିବା ପାଇଁ ଏହି ସର୍ଭେରେ ଭାଗ ନେଇ ନିଜର ମତ ଦେବାକୁ ବିଏମ୍‌ସିର ଉପ-କମିସନର ଶ୍ରୀମନ୍ତ ମିଶ୍ର ଅନୁରୋଧ କରିଛନ୍ତି।

‘ଇଜ୍ ଅଫ୍ ଲିଭିଙ୍ଗ୍ ସିଟିଜେନ୍’ ଏକ ଜାତୀୟସ୍ତରୀୟ ସର୍ବେକ୍ଷଣ। ଏହା ଗତ ୧ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ନାଗରିକମାନଙ୍କ ପାଇଁ ସହରଟି କେତେ ଦୂର ବାସୋପଯୋଗୀ, ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣ କରାଯାଉଛି। ଯେଉଁଥିରେ ନାଗରିକମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଉଛି। ନାଗରିକମାନେ ଅନ୍‌ଲାଇନ୍‌ରେ http://eol2019.org/citizenfeedback କୁ ଯାଇ ନିଜ ନିଜର ମତାମତ ଦେବା ପାଇଁ ଅନୁ‌ରୋଧ କରାଯାଇଛି। ଏହି ସର୍ବେକ୍ଷଣରେ ସହରର ବିଭିନ୍ନ ଦିଗ ଯଥା ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବର୍ଜ୍ୟ ସଂଗ୍ରହ, ପାନୀୟ ଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ାଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରୀକାଳୀନ ସେବା, ରୋଜଗାରର ସୁଯୋଗ, ଆମୋଦ ପ୍ରମୋଦ ଏବଂ ଚିତ୍ତବିନୋଦନ, ବସବାସର ଖର୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ବିସ୍ତୃତ ସବୁଜିମା ଏବଂ ବିଦ୍ୟୁତ୍ ଯୋଗାଣ ଇତ୍ୟାଦି ରହିଛି। ନିଜ ମତାମତ ଦେଲା ବେଳେ ସମ୍ପୃକ୍ତ ନାଗରିକ ନିଜର ନାମ ଏବଂ ଫୋନ୍ ନମ୍ବର ଦେବା ସହ ସହରରେ ରହିଥିବା ସୁବିଧା ବାବଦରେ ନିଜର ମତାମତ ଦେବା ଆବଶ୍ୟକ। ଏଥିରେ ଥିବା ଅନେକ ବିକଳ୍ପ ମଧ୍ୟରୁ କେବଳ ନିଜ ପସନ୍ଦ ମୁତାବକ ଉତ୍ତରକୁ ନାଗରିକମାନେ ଚୟନ କରନ୍ତୁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର