ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ବୁଲାକୁକୁର ଗଣତି ଆରମ୍ଭ ହୋଇଛି। ସାହି ଗଳିକନ୍ଦି ବୁଲି କୁକୁର ଗଣିବାକୁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ଗଣତି ଚାଲିବ। କିନ୍ତୁ ଏହି କୁକୁର ଗଣତି ଠିକ୍ରେ ହେଉଛି ତ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିବା ଆରମ୍ଭ କଲାଣି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କେବଳ ଏହି ଚର୍ଚ୍ଚା ହେଉଛି। କାରଣ ଯେଉଁମାନେ କୁକୁର ଗଣତିରେ ନିୟୋଜିତ ଅଛନ୍ତି, ସେମାନେ ସେତେଟା ଅଭିଜ୍ଞ ନୁହଁନ୍ତି। କେବଳ ତିନିଦିନର ତାଲିମ୍ ପରେ ଏମାନେ କୁକୁର ଗଣତି ଦାୟିତ୍ବ ମୁଣ୍ଡାଇଛନ୍ତି। ସେପଟେ କୁକୁରଙ୍କୁ ଠଉରାଇବା ପାଇଁ ଏମାନଙ୍କ ପାଖରେ ଖାଦ୍ୟ ବି ରହୁନି। ସାମାନ୍ୟ ବିସ୍କୁଟ୍ଟେ ବି ଭୁବନେଶ୍ବର ମହାନଗର ନିଗମ ଏମାନଙ୍କୁ ଦେଉନି। ଖାଲି ହାତରେ ଆଖିଦେଖା ଗଣତି ଚାଲିଛି। ଏଣୁ ଯଦି କୁକୁରମାନେ କାହା ହତା ଭିତରେ ଅବା ଅନ୍ୟ କୌଣସି ଜାଗାରେ ଲୁଚି ରହୁଛନ୍ତି, ଟିମ୍ କୁକୁର ଗଣିବାରେ ଅସୁବିଧା ଭୋଗୁଛନ୍ତି। କାରଣ ଯେଉଁ କୁକୁର ପ୍ରତିଦିନ ଗୋଟିଏ ଜାଗାରେ ରହୁଥିଲେ, ଗଣିବା ଦିନ ସେଠାରେ ରହୁନାହାନ୍ତି।
ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବୁଲାକୁକୁର ଗଣତି ହେଉଛି। ୪୧୦ଜଣଙ୍କୁ କୁକୁର ଗଣତିରେ ନିୟୋଜନ କରାଯାଇଛି। ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପର୍ଭାଇଜର୍, ସାନିଟାରି ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଵାର୍ଡ ଅଫିସର ପ୍ରମୁଖ କୁକୁର ଗଣତି କରୁଛନ୍ତି। ଭୋର ୫ଟାରୁ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ହେଉଛି। ୱାର୍ଡୱାରି କେଉଁମାନେ କେତେ କିଲୋମିଟର ଅଞ୍ଚଳ ବୁଲି କୁକୁର ଗଣିବେ, ତାହା ବି ବଣ୍ଟାଯାଇଛି। ଗଣତି ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ବିଏମ୍ସି ଖର୍ଚ୍ଚ କରୁଛି। କୁକୁର କାମୁଡ଼ା କମାଇବା ସହ ଜଳାତଙ୍କ ଓ ଅନ୍ୟାନ୍ୟ ସଂକ୍ରମିତ ରୋଗ ରୋକିବା, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଆଦି କୁକୁର ଗଣତିର ପ୍ରମୁଖ ଲକ୍ଷ୍ୟ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। କିନ୍ତୁ ଗଣତି ଯେଉଁ ଢଙ୍ଗରେ ହେଉଛି, ସେଥିରୁ ବୁଲାକୁକୁରଙ୍କ ଠିକ୍ ସଂଖ୍ୟା ବାହାରିବା ନେଇ ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ଓ ରାଜଧାନୀବାସୀ କହିଲେଣି।
ୟୁନିଟ୍-୪ ଅଞ୍ଚଳର ରଜନୀକାନ୍ତ ନାୟକ କହିଛନ୍ତି, ଗତକାଲି ସକାଳେ ବିଏମ୍ସି ପକ୍ଷରୁ କିଛି ବ୍ୟକ୍ତି ତାଙ୍କ ସାହିକୁ କୁକୁର ଗଣତି କରିବାକୁ ଆସିଥିଲେ। ଆସିଲା ବେଳକୁ ଗୋଟିଏ ବି କୁକୁର ନ ଥିଲେ। ବହୁ ଖୋଜାଖୋଜି ପରେ ଗୋଟେ ବି କୁକୁର ଦେଖାଦେଲେନି। ପରେ ସେ ନିଜେ କିଛି ଖାଦ୍ୟ ଧରି କୁକୁରଙ୍କୁ ଡାକିବା ପରେ ସାହିର ଭିନ୍ନ ଭିନ୍ନ ଜାଗାରେ ରହିଥିବା କୁକୁରମାନେ ଆସି ଏକାଠି ହୋଇଥିଲେ। ଗଣିବାକୁ ଆସିଥିବା ଟିମ୍ ପରେ କୁକୁର ଗଣି ଫେରିଥିଲେ। ଶ୍ରୀ ନାୟକ କହିଛନ୍ତି, ଯେଉଁମାନେ କୁକୁର ଗଣିବାକୁ ଆସୁଛନ୍ତି, ସେମାନେ ଗଳିକନ୍ଦି ବିଷୟରେ ଭଲରେ ଜାଣିଛନ୍ତି ସତ, କିନ୍ତୁ କେଉଁ ଢଙ୍ଗରେ କୁକୁର ଗଣତି କରାଯାଏ, ସେ ବିଷୟରେ ଅନଭିଜ୍ଞ। କୁକୁରଙ୍କୁ ପ୍ରଲୋଭିତ କରିବାକୁ ହାତରେ ଖାଦ୍ୟ ରହୁନି ଏଥିରୁ କୁକୁର ଗଣତି କିଭଳି ହେଉଛି, ସହଜେ ଅନୁମେୟ ବୋଲି ଶ୍ରୀ ନାୟକ କହିଛନ୍ତି। ଅନ୍ୟମାନେ ବି ସମାନ କଥା ଦୋହରାଇଛନ୍ତି। ଏଣୁ ଏ ଦିଗରେ ଭୁବନେଶ୍ବର ମହାନଗର ନିଗମ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।