ସତ ହେବ ତ କମିସନରେଟ୍‌ ପୁଲିସର ‘ଡ୍ରିମ୍‌ସ’!

ସୁଧୁରିବା ପରେ ମୁଖ୍ୟ ସ୍ରୋତରେ ୫୦

ଭୁବନେଶ୍ବର: ଦିନେ ଏମାନେ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। ଚୋରି, ଛିନ୍‌ତାଇ, ରାହାଜାନି ଓ ଡକାୟତି କରିବାକୁ ଯାଇ ଗୁଳିମାଡ଼ କରୁଥିଲେ, ବୋମା ଫିଙ୍ଗୁଥିଲେ, ଖଣ୍ଡା ଓ ଭୁଜାଲିରେ ହାଣୁଥିଲେ। ଏମିତିକି ସୁପାରି ନେଇ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରୁଥିଲେ। ସବୁ ଅପରାଧ ଘଟାଇବା ପଛରେ କାରଣ ଥିଲା ନିଶାସେବନ। ମଦ, ଗଞ୍ଜେଇ ତ ସାଧାରଣ ଓ ନିତିଦିନିଆ ନିଶା ଥିଲା। ବ୍ରାଉନ୍‌ସୁଗାର, ହେ‌ରୋଇନ୍‌, ଚରସ ଭଳି ନିଶା ଖାଇବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଯାଇ ଏମାନେ ଅପରାଧୀ ପାଲଟିଯାଇଥିଲେ। ବାରମ୍ବାର ଜେଲ୍‌ ଯାଉଥି‌‌ଲେ ଓ ଜାମିନ୍‌ରେ ଆସି ପୁଣି ଅପରାଧ ଦୁନିଆଁରେ ମିଶୁଥିଲେ। କିନ୍ତୁ ଏବେ ପରିସ୍ଥିତିରେ ସୁଧାର ଆସିଛି। କମିସନରେଟ୍‌ ପୁଲିସର ଡି ଆଡ୍‌କିସନ୍, ରିଫର୍ମେସନ୍ ଆଣ୍ଡ ଏଣ୍ଟରପ୍ରିନ୍ୟୁରିଆଲ୍ ଆସିଷ୍ଟାନ୍ସ ଫର୍ ମେକିଂ ଏ ସେଫ୍ ସୋସାଇଟି(ଡ୍ରିମ୍‌ସ) ପ୍ରକଳ୍ପ ସେମାନଙ୍କୁ ନୂଆ ଜୀବନ ଦେଇଛି। ନିଶାମୁକ୍ତ ଜୀବନଯାପନ କରି ସେମାନେ ସାମାଜିକ ମୁଖ୍ୟ ସ୍ରୋତକୁ ଫେରିଆସିଛନ୍ତି। ଆଉ ଅପରାଧ ଦୁନିଆଁର ମୁହଁ ଚାହିଁବେ ନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି। ଏହି ପ୍ରକଳ୍ପରେ ଉପକୃତ ହେବାକୁ ଯାଉଛନ୍ତି ୫୦ ଜଣ ଜଣାଶୁଣା ଯୁବକ, ଯେଉଁମାନେ ଦିନେ ସମାଜ ଆଖିରେ ଘୃଣାର ପାତ୍ର ଥିଲେ।

କମିସନରେଟ୍ ପୁଲିସ ପ୍ରୟାସରେ ଓଡ଼ିଶା ଖଣି ନିଗମର ସହଯୋଗିତା ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ କେୟାର୍‌ଙ୍କ ମିଳିତ ଭାଗୀଦାରିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କୁସଙ୍ଗ ଓ ନିଶାସେବନ ଅଭ୍ୟାସ ଦ୍ବାରା ଅପରାଧ ଜଗତରେ ଜଣାଶୁଣା ହୋଇଯାଇଥିବା ୫୦ ଜଣ ଯୁବକଙ୍କୁ ପ୍ରଥମ ଥର ପାଇଁ ଏହି ପ୍ରକଳ୍ପରେ ସାମିଲ୍‌ କରାଯାଇଛି। ସେମାନଙ୍କୁ ନିଶାସେବନରୁ ମୁକ୍ତ କରାଯିବା ସହ ମୂଲ୍ୟବୋଧ ଓ ନୈତିକ ଶିକ୍ଷା ପ୍ରଦାନ କରାଯାଇଛି। ‌ସେହିଭଳି ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ୍‌ ମଧ୍ୟ ଦିଆଯାଇଛି। ପରବର୍ତ୍ତୀ କାଳରେ ସେମାନଙ୍କୁ ବିଭିନ୍ନ ସଂସ୍ଥା ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେଇ ଦକ୍ଷତା ଭିତ୍ତିରେ ଉତ୍ପାଦନକ୍ଷମ କରିବାକୁ ଉଦ୍ୟମ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଯୁବକମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ ସେମାନେ ବି ଏକ ସମୟରେ ଭଲ ମଣିଷ ହେବାର ସ୍ବପ୍ନ ଦେଖିଥିଲେ। କିନ୍ତୁ ନିଶାସେବନ ସେମାନଙ୍କ ସ୍ବପ୍ନକୁ ଚୁରମାର୍‌ କରିଦେଲା। କ୍ଷଣିକ ସୁଖ ପାଇଁ ସେମାନଙ୍କ ଜୀବନ ବରବାଦ୍ ହୋଇଯାଇଛି। ଏବେ ଜୀବନର ବାକି ଯେତିକି କା‌ଳ ଅଛି, ସେତିକି ଭଲରେ କଟୁ ବୋଲି ଖୁସି ଅଛୁ। ଏଇ କିଛି ଦିନର ଯୋଗାଭ୍ୟାସ, ବ୍ୟାୟାମ, ପ୍ରାର୍ଥନା ଓ ନିଶାଛାଡ଼ ଯୋଗୁଁ ବହୁ ଶାନ୍ତି ମିଳୁଛି। ନିଶାମୁକ୍ତି କେନ୍ଦ୍ରରୁ ବହୁତ କିଛି ଶିଖିଲୁ।

ଅନ୍ୟପକ୍ଷରେ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏହି ଯୁବକମାନେ ମୁଖ୍ୟସ୍ରୋତରେ ସାମିଲ୍‌ ହେବା ନିଶ୍ଚିତ। ନିଶାମୁକ୍ତି କେନ୍ଦ୍ରରେ ସେମାନଙ୍କ ଜୀବନରେ ନୂଆ ସକାଳ ଆସିସାରିଛି। ତେବେ ସେମାନେ ପୁଣି ଯେମିତି କୁସଙ୍ଗରେ ନପଡ଼ିବେ, ସେଥିପ୍ରତି କଡ଼ା ନଜର ରହିବ। ସେମାନେ ନିୟମିତ ପୁଲିସ ସହ ଯୋଗାଯୋଗରେ ରହିବେ। ଏମିତିକି ବସ୍ତିରେ କାମ କରୁଥିବା ବସ୍ତି ମିତ୍ରମାନଙ୍କୁ ବି ସେମାନେ ସହଯୋଗ କରିବେ। ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଅର୍ଥନୈତିକ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ଦକ୍ଷତା ଭିତ୍ତିରେ ଉତ୍ପାଦନ କିମ୍ବା ଅନ୍ୟାନ୍ୟ କର୍ମସଂସ୍ଥାନ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ବଡ଼ କଥା ହେଉଛି, ସେମାନେ ଯେମିତି ପୂର୍ବାବସ୍ଥାକୁ ନ’ଫେରନ୍ତି, ତା’ ଉପରେ ପୁଲିସ କଡ଼ାକଡ଼ି ଭାବେ ନଜର ରଖିବ ବୋଲି ସେ କହିଛନ୍ତି। ପୁଲିସର ଏହି ସ୍ବପ୍ନକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ କିଛି ଲୋକ ସନ୍ଦେହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର