ଭୁବନେଶ୍ୱର: ରାଜ୍ୟର ୨୦ ଜଣ ପ୍ରତିଭାବାନ ଯୁବ ଜ୍ୟୋତିର୍ବିଜ୍ଞାନୀ ଇସ୍ରୋ ପରିଦର୍ଶନ କରିବେ। ଆଜି ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଯାତ୍ରାକୁ ଶଭାରମ୍ଭ କରିଛନ୍ତି। ଟାଟା ଷ୍ଟିଲ୍‌ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ମିଳିତ ସହଯୋଗରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ଅନେ୍ଵଷଣ କାର୍ଯ୍ୟକ୍ରମ (ୟାଟସ୍‌)ର ୨୦୧୭ ସଂସ୍କରଣରେ ସେମାନେ ବିଜେତା ହୋଇଥିଲେ। ଏହି ଛାତ୍ରଛାତ୍ରୀମାନେ ଗୁଜରାଟର ଅହମ୍ମଦାବାଦଠାରେ ଇସ୍ରୋର ମହାକାଶ ପ୍ରୟୋଗ କେନ୍ଦ୍ର ବୁଲି ଦେଖିବେ। ସେଠାରେ ଥିବା ମହାକାଶ ବିଜ୍ଞାନୀଙ୍କ ସହ ଭାବ ବିନିମୟ କରିପାରିବେ। ୟାଟସ୍‌ର ୨୦୧୭ ସଂସ୍କରଣରେ ରାଜ୍ୟର ସମସ୍ତ ଜିଲ୍ଲାର ୩୦୦ ସ୍କୁଲ୍‌ର ୩୨,୮୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୟାଟସ୍‌ର ୨୦୧୮ ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏଥରର ବିଷୟବସ୍ତୁ ହେଉଛି ‘ମହାକାଶ ଅନୁସନ୍ଧାନର କଳ୍ପନା, ଏବେଠାରୁ ପରବର୍ତୀ ୫୦ ବର୍ଷ।’ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତାଗୁଡ଼ିକରେ ସମସ୍ତ ଜିଲ୍ଲାରୁ ୨ ଜଣ ଲେଖାଏଁ ବିଜେତାଙ୍କୁ ଚୟନ କରାଯିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଚୂଡ଼ାନ୍ତ କାର୍ଯ୍ୟକ୍ରମରେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ ଜଣଙ୍କୁ ଚୟନ କରି ପୁରସ୍କୃତ କରାଯିବ। ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌ ବାଲକୃଷ୍ଣନ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଓ ଭୂଷଣ ଷ୍ଟିଲ୍‌ର ପରିଚାଳନା ନିର୍ଦେଶକ ରାଜୀବ ସିଂଘଲ ଉପସ୍ଥିତ ଥିଲେ।