ଈଶ୍ବରଙ୍କ କୋଭିଡ୍‌ ରାଖୀ କିଟ୍‌, ସୋସିଆଲ ମିଡିଆ ଦେଇଛି ରୋଜଗାର

ରାଜସ୍ଥାନ, ଛତିଶଗଡ଼ରୁ ମିଳୁଛି ଅର୍ଡର

ଭୁବନେଶ୍ବର: କରୋନା ଖାଲି ସ୍ବାଭାବିକ ଜୀବନଧାରାକୁ ବିଗାଡ଼ି ଦେଇନି, ରୋଜଗାରର ବାଟ ବନ୍ଦ କରିଦେଇଛି। ଏହା ମଧ୍ୟରେ ଋତୁଭିତ୍ତିକ ବ୍ୟବସାୟ ବି ଫିକା ପଡ଼ିଛି। ତେବେ ଅନଲାଇନ୍‌ ବ୍ୟବସାୟ ମଉକା ଆଣି ଦେଇଛି। ଆଗକୁ ରାଖୀ ଆସୁଥିବାରୁ ସୋସିଆଲ ମିଡିଆର ସାହାରା ନେଇ କଟକ ଚାଉଳିଆଗଞ୍ଜର ଈଶ୍ବର ସାହୁ ଓ ତାଙ୍କର କିଛି ସାଥୀ ‘କୋଭିଡ୍‌ ରାଖୀ କିଟ୍‌’ ପ୍ୟାକ୍‌ ପ୍ରସ୍ତୁତ କରିଛନ୍ତି।

ଭାଇମାନଙ୍କୁ ଭଉଣୀମାନଙ୍କ ମାଧ୍ୟମରେ କିଛି ନିଆରା ଉପହାର ଭେଟି ଦେବାରେ ଯୋଗସୂତ୍ର ସାଜିଛନ୍ତି ଈଶ୍ବର। ରାଖୀ କିଟ୍‌ରେ ସବୁଠୁ ଆକର୍ଷଣୀୟ ଜିନିଷଟି ରହିଛି ମାସ୍କ୍‌। ଯେଉଁଥିରେ ଭାଇଙ୍କ ଫଟୋ ସହ ନାଁ’ର ପ୍ରିଣ୍ଟ ରହିଛି। ଏଥିସହ ଏକ ଶୁଭେଚ୍ଛା ବାର୍ତାର କାର୍ଡ, ସାନିଟାଇଜର, ଚକ୍‌ଲେଟ୍‌ ଓ ଭାଇଙ୍କ ପୂଜା ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ସିନ୍ଦୂର ରହିଛି। ଏକ ଚାବି ରିଙ୍ଗ ରହିଥିବା ବେଳେ ସେଥିରେ ଥିବା କ୍ୟୁ-ଆର୍‌ କୋର୍ଡ ଜରିଆରେ ଭଉଣୀ ନିଜ ଭାଇ ପାଖକୁ ବାର୍ତା ପ୍ରେରଣ କରିବାର କୌଶଳ ଖଞ୍ଜିଛନ୍ତି ଈଶ୍ବର ଓ ତାଙ୍କର ସହଯୋଗୀ। ଏହି କୋଭିଡ୍‌ ରାଖୀ କିଟ୍‌ ବିକ୍ରି ପାଇଁ କିଛି ବନ୍ଧୁ ସୋସିଆଲ ମିଡିଆରେ ଫେସବୁକ୍‌ ପୃଷ୍ଠା ପ୍ରସ୍ତୁତ କରିଛନ୍ତି। ଏଥିସହ ଇନଷ୍ଟାଗ୍ରାମ, ଟ୍ବିଟର‌ର ସାହାରା ନେଇ ଅର୍ଡର ମଗାଉଛନ୍ତି।

ଈଶ୍ବରଙ୍କ କହିବା ମୁତାବକ, କୋଭିଡ୍‌ ରାଖୀ କିଟ୍‌ର ମୂଲ୍ୟ ୨୭୦ ଟଙ୍କା ରଖିଛନ୍ତି। ସଂପ୍ରତି ସେମାନେ କେବଳ କଟକ ମଧ୍ୟରେ ହୋମ-ଡେଲିଭରି ଦେଉଛନ୍ତି। ଏହାବ୍ୟତୀତ ଅନ୍ୟ ସ୍ଥାନକୁ କୋରିୟର ମାଧ୍ୟମରେ ପଠାଉଛନ୍ତି। ତେବେ କେବଳ ଓଡ଼ିଶା ନୁହେଁ, ରାଜସ୍ଥାନ ଓ ଛତିଶଗଡ଼ରୁ ମଧ୍ୟ ସେମାନଙ୍କ ପାଖକୁ ଅର୍ଡର ଆସିଛି। ଅଦ୍ୟାବଧି ୧ହଜାରରୁ ଅଧିକ ଅର୍ଡର ପାଇଥିବା ବେଳେ ଏହା ସେମାନଙ୍କୁ କିଛି ରୋଜଗାର ଦେଇପାରିଛି ବୋଲି କହିଛନ୍ତି। ଈଶ୍ବର ଜଣେ ଗ୍ରାଫିକ୍‌ ଡିଜାଇନର୍‌ ହୋଇଥିବା ବେଳେ ନିକଟରେ ୩-ଡି ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ଦ୍ବାରା ପ୍ରସ୍ତୁତ ଏହି ରାଖୀ କିଟ୍‌ କେବଳ ତାଙ୍କୁ ରୋଜଗାର ଦେଇନି, ବରଂ ରୋଜଗାର ହରାଇ ଚିନ୍ତାରେ ଭାଙ୍ଗିପଡ଼ିଥିବା ଅନେକ ଯୁବକଙ୍କ ପାଇଁ ଯେ ରୋଜଗାରର ବାଟ ଅଛି, ତାହା ପ୍ରମାଣିତ କରି ଦେଖାଇଛନ୍ତି।

ସମ୍ବନ୍ଧିତ ଖବର