ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର(ସାକ୍), ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ(ଭିଏସଏସସି) ଦ୍ୱାରା ‘ସ୍ପେସ୍ ଅନ୍ ହୁଇଲ୍’ ପ୍ରଦର୍ଶନୀ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କ୍ୟାପିଟାଲ୍ ହାଇସ୍କୁଲ୍ ପରିସରରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମହାକାଶ, ମହାକାଶ ବିଜ୍ଞାନ ସମ୍ପର୍କରେ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ମହାକାଶ ଗବେଷଣାର ଇତିହାସ, ମହାକାଶକୁ ଯାତ୍ରା, ଉପଗ୍ରହକୁ ଅବସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଓ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ।
/sambad/media/post_attachments/wp-content/uploads/2021/03/f5s64h5s6f4h65sf4h6fs4h65-750x430.jpg)
ଏଥିପାଇଁ ଇସ୍ରୋ-ସାକ୍-ଭିଏସ୍ଏସ୍ସି ତରଫରୁ ୧୧ଜଣିଆ ପ୍ରତିନିଧି ଦଳ ଫେବ୍ରୁଆରି ୧୦ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ବିଭିନ୍ନ ପର୍ଯ୍ୟାୟରେ ବୁଲି ଦେଖିପାରିବେ। ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିବ। ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ଣ ୫ଟା ଓ ୧୪ ତାରିଖରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ପ୍ରଦର୍ଶନୀକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏବଂ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରଦର୍ଶନୀ ଦେଖିବା ଲାଗି ଆସି ପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଏନେଇ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ କୁମାର ରାଉତରାୟ, ବିଏମ୍ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଡିଇଓ ବିଶ୍ୱନାଥ ତରାଇ, ବରିଷ୍ଠ ବୈଜ୍ଞାନିକ ଏଲ୍.ଏନ୍ ପାଢ଼ୀ, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ସ୍ୱେଚ୍ଛାସେବୀ ମୁତୟନ, ଟ୍ରାଫିକ୍ ପରିଚାଳନା, ବ୍ୟାରିକେଡିଂ ବ୍ୟବସ୍ଥା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।