ସିବିଏସ୍‌ଇ ପରୀକ୍ଷାରେ ପିଲାଙ୍କ ମାର୍କ କମିବା ପ୍ରସଙ୍ଗ: ଆଗକୁ ଆସିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ

ସ୍କୁଲ କର୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌, ସିବିଏସ୍‌ଇ ନିର୍ଦେଶକ ଓ ଡିଇଓଙ୍କୁ ତଦନ୍ତ ନିର୍ଦେଶ

ଅଭିଭାବକ ମହାସଂଘ ଗଢ଼ିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଅଭିଭାବକ

ଭୁବନେଶ୍ବର : ସିବିଏସ୍‌ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ କମାଇବା ନେଇ ପଟିଆସ୍ଥିତ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ ନାଁରେ ଅଭିଯୋଗ ଆସିବା ପରେ ରାଜ୍ୟ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଓଏସ୍‌ସିପିସିଆର)ଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ସେପଟେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ମଧ୍ୟ ଏ‌ ନେଇ ମୁହଁ ଖୋଲିଛି। ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଲାଗି ମହାସଂଘ ଦାବି କରିଛି। ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ ସହ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିବା ମାର୍କର ତଦନ୍ତ କରିବାକୁ ମହାସଂଘ ପକ୍ଷରୁ ସିବିଏସ୍‌ଇ ନିର୍ଦେଶକଙ୍କୁ ନିବେଦନ କରାଯାଇଛି।

ଗୁରୁବାର ‘ସମ୍ବାଦ’ରେ ପ୍ରକାଶିତ ‘ଜାଣିଶୁଣି ପିଲାଙ୍କ ମାର୍କ କାଟିଦେଲେ’ ଶୀର୍ଷକ ଖବରକୁ ନେଇ ଆଜି ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତନାଘନା କରିଛନ୍ତି। ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଓ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ସହ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ଆୟୋଗ ପକ୍ଷରୁ ସିବିଏସ୍‌ଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ୭ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ ଏହି ଘଟଣା ଅତି ସମ୍ବେଦନଶୀଳ। ପରୀକ୍ଷାରେ ମାର୍କ କମିଲେ ଶିଶୁ ମାନସିକ ଭାରସାମ୍ୟ ହରାଇବା ସହ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରନ୍ତି। ସେମାନଙ୍କ ସୁରକ୍ଷା ନେଇ କଥା ଉଠିଥିବାରୁ କମିସନ ହସ୍ତକ୍ଷେପ କରିଛନ୍ତି। ରିପୋର୍ଟ ମିଳିବା ପରେ ତାହାକୁ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ ଓଡ଼ିଶା‌ ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ଘଟଣା ସାମ୍ନାକୁ ଆସିବା ପରେ ଆମେ ଏକ ଫ୍ୟାକ୍ଟ ଫାଇଣ୍ତିଂ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛୁ। ସିବିଏସ୍‌ଇ କର୍ତୃପକ୍ଷ ସ୍କୁଲକୁ ବାରମ୍ବାର ପିଲାଙ୍କ ନମ୍ବର ଫେରାଇବାରୁ ପରୀକ୍ଷା ଫଳରେ ବିଭ୍ରାଟ ହେବା ନେଇ ଆଶଙ୍କା ପ୍ରକାଶ କରୁଥିଲୁ। ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ ଘଟଣା ପଦାକୁ ଆସିବା ପରେ ଏହାର ସତ୍ୟତା ଜଣାପଡ଼ିଛି। ଅଭିଭାବକ ଯେଉଁ ଅଭିଯୋଗ କରିଛନ୍ତି, ସେଥିରେ ସତ୍ୟତା ରହିଥିବା ଜଣାପଡ଼ିଛି। ସବୁ ସ୍କୁଲରେ ଏଭଳି ମାର୍କ ଜାଲିଆତି ହୋଇଛି। ଏହାକୁ ଧରିବାର ଆବଶ୍ୟକତା ରହିଛି। ସ୍କୁଲ କର୍ତୃପକ୍ଷଙ୍କ ଚିହ୍ନା ପରିଚିତ ପିଲାଙ୍କ ମାର୍କ ବଢ଼ାଯାଇଛି। ତେଣୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ। ସମସ୍ତ ସ୍କୁଲକୁ ରିପୋର୍ଟ ମଗାଯାଉ। ‘ମନି ଫର୍‌ ମାର୍କ’ ସ୍କାମ୍‌ରେ ବଡ଼ବଡ଼ ଲୋକ ସାମିଲ ରହିଥିବାରୁ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମର ବିଶ୍ବାସ।

ସେହିପରି ଆଜି ବି ସିବିଏସ୍‌ଇ ଭୁବନେଶ୍ବର କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଭିଡ଼ ଲାଗିଥିଲା। ମାର୍କିଂ ଆଧାରରେ ବଡ଼ଧରଣର ଜାଲିଆତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। କେତେଜଣ ଅଭିଭାବକ କହିଛନ୍ତି ଯେ ସିବିଏସ୍‌ଇ ଓ ସ୍କୁଲ କର୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ପୂର୍ବ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଥିଲେ ମଧ୍ୟ ବୋର୍ଡ ମୂଲ୍ୟାୟନରେ ମାର୍କ କାଟି ଦିଆଯାଇଛି। ଏହାଦ୍ବାରା ଛାତ୍ରଛାତ୍ରୀ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ରାଜ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।

ସମ୍ବନ୍ଧିତ ଖବର