ତିନି ଦିନ ଭିତରେ ପୂରା ପ୍ରକ୍ରିୟା ଶେଷ
ବିଏମ୍ସି ଇତିହାସରେ ପ୍ରଥମ, ୫ ବର୍ଷ ପାଇଁ ଠିକା ନିଯୁକ୍ତି
ଘରୋଇ ସଂସ୍ଥା ପାଇଁ ହାତଖୋଲା
ଭୁବନେଶ୍ବର : ବିଏମ୍ସିରେ ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ଛଟେଇ ପ୍ରସଙ୍ଗରେ ନୂଆ କେଳେଙ୍କାରୀ ପଦାକୁ ଆସିଛି। ଯେଉଁ ଡିଇଓମାନଙ୍କୁ ଛଟେଇ କରିଥିଲେ ସେମାନଙ୍କୁ ପଦବି ନାଁ ବଦଳାଇ ନିଯୁକ୍ତି ଦେଲେ। ମାନବ ସମ୍ବଳ ଯୋଗାଇବା ପାଇଁ ଅଲ୍ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲୋକାଲ୍ ସେଲ୍ଫ ଗଭର୍ଣମେଣ୍ଟ (ଏଆଇଆଇଏଲ୍ଏସ୍ଜି) କରିଥିବା ଆବେଦନ ଜୁନ୍ ୨୯ରେ ଗୃହୀତ ହେଲା। ସେଇ ଦିନ ସଂସ୍ଥା ସହମତି ଦେଲା। ଗୋଟିଏ ଦିନ ପରେ ନିଯୁକ୍ତି ମଧ୍ୟ ମିଳିଗଲା। ମାତ୍ର ତିନିଦିନ ଭିତରେ ଏତେ ସବୁ କାମ କାହିଁକି ହେଲା? ଠିକା ନିଯୁକ୍ତି ମିଳିବ ନାହିଁ ବୋଲି ଥରେ ସ୍ପଷ୍ଟ କରିବା ପରେ ତରବରିଆ ଭାବରେ ଏଭଳି ନିଯୁକ୍ତି କାହିଁକି? ଏ ସମସ୍ତ ପ୍ରସଙ୍ଗକୁ ବିଚାରକୁ ନେଲେ ଏହା ଭିତରେ ଏକ ବଡ଼ କେଳେଙ୍କାରୀ ରହିଥିବା ସ୍ପଷ୍ଟ ହେଉଛି।
ପିଏମ୍ଆର୍ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତ ହୋଇଥିବା ଡିଇଓମାନଙ୍କୁ ଛଟେଇ କରିବା ପରେ ୩୦ ଜଣ ଡିଇଓ ନିଯୁକ୍ତି ପାଇଁ ତତ୍କାଳୀନ କମିସନର ସରକାରଙ୍କୁ ସ୍ବୀକୃତି ମାଗିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନର ନିର୍ଦ୍ଦେଶକ ସ୍ବୀକୃତି ଦେଇନଥିଲେ। ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ କୌଣସି ପ୍ରକାରର ନିଯୁକ୍ତି ହୋଇ ପାରିବ ନାହିଁ ବୋଲି ଚିଠି ଲେଖି ସ୍ପଷ୍ଟ କରିଥିଲେ।
ଜୁନ୍ ୧ ତାରିଖରେ ଅଲ୍ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲୋକାଲ୍ ସେଲ୍ଫ ଗଭର୍ଣମେଣ୍ଟ(ଏଆଇଆଇଏଲ୍ଏସ୍ଜି) ନିର୍ଦ୍ଦେଶକ ମାନବସମ୍ବଳ ଯୋଗାଇବେ ବୋଲି ବିଏମ୍ସିକୁ ପ୍ରସ୍ତାବ ଦେଇଥିଲେ। ୨୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିବା ନୂଆ କମିସନର ବିଜୟ ଅମୃତା କୁଲାଙ୍ଗେ ୨୯ ତାରିଖରେ ଏହି ଆବେଦନ ଉପରେ ମୋହର ମାରିଲେ। ସେହି ଦିନ(ଜୁନ୍ ୨୯) ସମ୍ପୃକ୍ତ ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ବିଏମ୍ସି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ କୁମାର ସାହୁ ଚିଠି (ଲେଟର ଅଫ୍ ଆସେପ୍ଟାନ୍ସ) ଲେଖି ଆବେଦନ ଗୃହୀତ ହୋଇଥିବା ଅବଗତ କରାଇଲେ। ମାନବସମ୍ବଳ ଯୋଗାଇବା ପାଇଁ ୭ ଦିନ ଭିତରେ ସଂସ୍ଥା ବିଏମ୍ସି ସହ ଚୁକ୍ତି କରୁ ବୋଲି ମଧ୍ୟ ଲେଖିଲେ। ସେହି ଦିନ(ଜୁନ୍ ୨୯ରେ)ହିଁ ସମ୍ପୃକ୍ତ ସଂସ୍ଥା ମଧ୍ୟ ଏହି ସ୍ବୀକୃତି ପାଇ ଖୁସି ବୋଲି ବିଏମ୍ସିକୁ ଉତ୍ତର ଦେଲା। ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ସଂସ୍ଥା କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଦେଲା। ମାତ୍ର ତିନି ଦିନ ଭିତରେ ଏହି ସବୁ କାମ ଯୁଦ୍ଧକାଳୀନ ଭିତ୍ତିରେ ହେବା ବିଏମ୍ସି ଇତିହାସରେ ପ୍ରଥମ ଥର ପାଇଁ ଘଟିଥିଲା।
ଅନ୍ୟପଟେ ଏହି ଏଆଇଆଇଏଲ୍ଏସ୍ଜି ସଂସ୍ଥା କିଏ? ସେ କାହିଁକି ଜୁନ୍ ୧ ତାରିଖରେ ମାନବସମ୍ବଳ ଯୋଗାଇବା ପାଇଁ ବିଏମ୍ସିକୁ ପ୍ରସ୍ତାବ ଦେଲା? ଟେଣ୍ଡର ପ୍ରକ୍ରିୟାରେ ବିଏମ୍ସି ଏକାଧିକ ସଂସ୍ଥାରୁ କାହିଁକି ଗୋଟିଏ ଚୟନ ନ କରି ଏହି ସଂସ୍ଥାର ଆବେଦନକୁ ମଞ୍ଜୁରୀ ଦେଲା? ସଂସ୍ଥା ପଛରେ କିଏ ଅଛି ଯେ, ବିଏମ୍ସି ସମ୍ପୃକ୍ତ ସଂସ୍ଥାର ଆବେଦନକୁ ସ୍ବୀକୃତି ଦେବାକୁ ବାଧ୍ୟ ହେଲା ଓ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି ଦେଲା? ଏହି ନିଯୁକ୍ତି ପ୍ରକ୍ରିୟାରେ ଆଉ ଏକ ଅଲୋଡ଼ା ରେକର୍ଡ ହୋଇଛି। ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେବା ବେଳେ ସାଧାରଣତଃ ୧୧ମାସର ଚୁକ୍ତି କରାଯାଇ ଥାଏ। ୧୧ ମାସ ପରେ ଯଦି କାମ ସନ୍ତୋଷଜନକ ହୋଇଥାଏ ତେବେ କାର୍ଯ୍ୟ ଅବଧି ନବୀକରଣ ହୋଇପାରେ। କିନ୍ତୁ ଏହି କ୍ଷେତ୍ରରେ ବିଏମ୍ସି ବେଶ୍ ଉଦାରତା ପ୍ରକାଶ କରିଛି। କର୍ମଚାରୀମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଠିକା ନିଯୁକ୍ତି ଦିଆଯାଇଛି। ଶିକ୍ଷା ସହାୟକ ହୁଅନ୍ତୁ ବା ଅନ୍ୟ କୌଣସି ସରକାରୀ ସ୍ବୀକୃତିପ୍ରାପ୍ତ ନିଯୁକ୍ତି କ୍ଷେତ୍ରରେ ସରକାର ୫ ବର୍ଷ ପାଇଁ ନିଯୁକ୍ତି ଦେଇ ନାହାନ୍ତି। ତେବେ ଅଧିକାରୀମାନେ ଏଭଳି ଏକ ସାହସ କେମିତି କରିଛନ୍ତି? ବରିଷ୍ଠ ଆଇନଜୀବୀ ଦେବାଶିଷ ଦାସଙ୍କ କହିବା କଥା, ୫ ବର୍ଷର ଏହି ଲମ୍ବା ଅବଧି ଠିକା କର୍ମଚାରୀମାନଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ଦାବି କରିବାକୁ ବାଟ ଖୋଲିଛି। ଅଧିକାରୀମାନେ ବୋଧ ହୁଏ ଜାଣି ଜାଣି ଏଭଳି ବାଟ ରଖିଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ ଏମାନଙ୍କର ଦରମା ୧୨ହଜାର ୫ଶହ ଧାର୍ଯ୍ୟ କରାଯାଇଛି। ପ୍ରତି ବର୍ଷ ୧୦ ପ୍ରତିଶତ କିମ୍ବା ତା ଠାରୁ ଅଧିକ ବୃଦ୍ଧି କରିବା ପାଇଁ ବିଏମ୍ସି ସ୍ବୀକୃତି ପ୍ରଦାନ କରିଛି। ଏହା ଛଡ଼ା ଅନ୍ୟାନ୍ୟ ଭତ୍ତା(ଟିଏ/ଡିଏ) ମଧ୍ୟ ରହିଛି। ଏ ସମସ୍ତ ଘଟଣାର ତଦନ୍ତ ହେଲେ ଏହା ପଛରେ ଥିବା ବଡ଼ କେଳେଙ୍କାରୀ ପଦାକୁ ଆସିବ ବୋଲି କୁହାଯାଉଛି। ଏ ନେଇ ବିଏମ୍ସି କର୍ତ୍ତୃପକ୍ଷ କୌଣସି ଉତ୍ତର ରଖିବାକୁ ଚାହିନାହାନ୍ତି।