ସିଧାସଳଖ ମେୟର ନିର୍ବାଚନ ପ୍ରସଙ୍ଗ: ପ୍ରତ୍ୟକ୍ଷ ନିର୍ବାଚନ ହେଲେ ଅନାସ୍ଥା ପ୍ରସ୍ତାବ ନରହୁ

ଭୁବନେଶ୍ବର : ମେୟର, ପୌରାଧ୍ୟକ୍ଷ ଯଦି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ଭଲ କଥା। କିନ୍ତୁ ଏହି ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜଡ଼ା ଯାଉ। ନଚେତ୍ ୧୯୯୨ ମସିହାରେ ଯେପରି ଥରେ ଏହାକୁ ଲାଗୁ କରି ବନ୍ଦ କରି ଦିଆଯାଇଥିଲା, ପୁଣି ସେହି ପରିସ୍ଥିତି ସୃଷ୍ଟି ହେବ ବୋଲି ଭୁବନେଶ୍ବର ମ୍ୟୁନିସପାଲିଟିର ପୂର୍ବତନ ଅଧ୍ୟକ୍ଷା କିରଣବାଳା ମଙ୍ଗରାଜ କହିଛନ୍ତି।

ବିଜୁ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇ ପୌରାଧ୍ୟକ୍ଷା ନିର୍ବାଚନ ଲଢ଼ିଥିବା କିରଣବାଳା ଭାବି ନଥିଲେ ଯେ ପ୍ରତ୍ୟକ୍ଷ ନିର୍ବାଚନ ଜିତିବାର ଦୁଇବର୍ଷ ପରେ ତାଙ୍କୁ କାର୍ଯ୍ୟକାଳ ପୂରିବା ପୂର୍ବରୁ ହଟାଇ ଦିଆଯିବ। ଶ୍ରୀମତୀ ମଙ୍ଗରାଜ ପୂର୍ବ ସ୍ମୃତିକୁ ମନେ ପକାଇ କହିଛନ୍ତି ଯେ ମୁଁ ନିର୍ବାଚନ ଜିତିବା ପରେ ଦୁଇ ବର୍ଷ ଭଲ କାମ କରିଥିଲି। କିନ୍ତୁ ହଠାତ୍ ମୋ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ମୋତେ ବିଦା କରିଦେଲେ। ଆମର ସେତେବେଳେ ୩୦ଜଣ କାଉନସିଲର୍ ଥିବା ବେଳେ କିଛି ମନ୍ତ୍ରୀଙ୍କ ଷଡଯନ୍ତ୍ର ଯୋଗୁଁ ମୋ ବିରୁଦ୍ଧରେ ୨୧ଜଣ ଭୋଟ୍ ଦେଲେ। ଆଉ ମୋତେ ପଦ ଛାଡ଼ିବାକୁ ପଡ଼ିଲା। ସ୍ଥିତି ଏପରି ହୋଇଥିଲା ଯେ ମୁଁ ଯେଉଁ ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ ଉପାଧ୍ୟକ୍ଷ କରିଥିଲି ସେ ଅଧ୍ୟକ୍ଷ ହେଲେ।

ଯଦି ଜଣେ ଲୋକଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହେଉଛନ୍ତି ତେବେ ତାଙ୍କୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ବ୍ୟବସ୍ଥା ନରହୁ। ପରୋକ୍ଷ ଭାବେ ନିର୍ବାଚିତ ହେଲେ ଯାହା, ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଯଦି ସେହି ନିୟମ ଲାଗୁ ହେବ, ତେବେ ବ୍ୟବସ୍ଥାରେ ସଂଶୋଧନ ଆଣି ଲାଭ ନାହିଁ। ଲୋକଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହେଉଥିବା ମେୟର ଓ ପୌରାଧ୍ୟକ୍ଷମାନଙ୍କୁ ଅଧିକ ସଶକ୍ତ କଲେ ‌ହିଁ ସହରର ଅଧିକ ଉନ୍ନତି ହୋଇପାରିବ ବୋଲି ଶ୍ରୀମତୀ ମଙ୍ଗରାଜ କହିଛନ୍ତି।

ସୂଚନାଯୋଗ୍ୟ, କିରଣବାଳା ଉକ୍ତ ନିର୍ବାଚନରେ କଂଗ୍ରେସ ନେତା ସୁ‌େରଶ କୁମାର ରାଉତରାୟଙ୍କୁ ହରାଇଥିଲେ। ନିର୍ବାଚନରେ ବିଜେପି ପକ୍ଷରୁ ଅମୂଲ୍ୟ ମିଶ୍ର, କମ୍ୟୁନିଷ୍ଟ ନେତା ନବ ମହାନ୍ତିି ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ସୁର
ଚେୟାରମ୍ୟାନ୍‌ ଓ ମେୟର ନିର୍ବାଚନ ହେବା ସ୍ବାଗତଯୋଗ୍ୟ। ଖୁବ୍‌ଶୀଘ୍ର ନିର୍ବାଚନ କରାଯିବା ଉଚିତ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି। ପ୍ରତ୍ୟକ୍ଷ ନିର୍ବାଚନ କରିବାକୁ ୧୦ବର୍ଷ ହେଲା ବିଧାନସଭାରେ ଦାବି କରିଆସୁଥିଲି। କାରଣ ଏହାଦ୍ବାରା ସହରବାସୀ ସିଧାସଳଖ ଅଧ୍ୟକ୍ଷ ଓ ମେୟରଙ୍କୁ ନିର୍ବାଚିତ କରିପାରିବେ। ପରୋକ୍ଷ ଭାବେ କରିବା ଦ୍ବାରା କାଉନ୍‌ସିଲର କିଣାବିକା ହୋଇ ଯାହାକୁ ବି ଅଧ୍ୟକ୍ଷ କରିଦେବେ। ମୁଁ ଭୁବନେଶ୍ବରରେ ଭୁବନେଶ୍ବର ନଗରପାଳ ଅଧ୍ୟକ୍ଷ ଭାବେ ଲଢ଼ିଥିଲି। ମାତ୍ର ୧୧ଶହ ଭୋଟ ଯୋଗୁଁ ହାରିଲି। ସେତେବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଣେ ମହିଳାଙ୍କୁ ପ୍ରଚୁର ଅର୍ଥ ବଳରେ ଜିତାଇଥିଲେ। ସେତେବେଳେ ବିଧାୟକ ନିର୍ବାଚନରେ ଲଢ଼ିଥିଲେ ଜିତିଥାନ୍ତି। ଯେହେତୁ ଏହି ନିର୍ବାଚନରେ ଜିଲ୍ଲା ପ୍ରଶାସନ ହାତରେ ସବୁ କ୍ଷମତା ରହିଥିଲା, ସରକାର ଭୋଟ୍‌ ବାକ୍ସରେ ଗଫଲତି କରି ହରାଇଦେଲେ। ତେବେ ସେତେବେଳେ ଖୁବ୍‌ କମ୍‌ ଅର୍ଥରେ ନିର୍ବାଚନ ଲଢ଼ିଥିଲି।

ସମ୍ବନ୍ଧିତ ଖବର