କଟକ : ରାଜଧାନୀର ଏକାମ୍ରକାନନ ଫାର୍ମର ଜାଗାକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକର ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଏକାମ୍ରକାନନ ପ୍ରାୟ ୫ଶହ ଏକର ଜମି ଉପରେ ରହିଥିବା ବେଳେ ଏହା ଭୁବନେଶ୍ବର ସହରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏହି ବଟାନିକାଲ ପାର୍କ ରାଜ୍ୟ ସରକାରଙ୍କ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଅଂଶବିଶେଷ। ଏକମ୍ରକାନନରେ ବହୁ ଜାତି ପ୍ରଜାତିର ଗଛ ରହିଛି। ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଏକାମ୍ର ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବାକୁ ଉଦ୍ୟାନ କୃଷି ବିଭାଗକୁ କହିଥିଲେ। ଏକାମ୍ରକାନନର ସବୁଜିମାକୁ ନଷ୍ଟ କରି ବ୍ୟବସାୟିକ କୋଠା ନିର୍ମାଣ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଜମି ହସ୍ତାନ୍ତର ନିଷ୍ପତ୍ତି ଜନସ୍ବାର୍ଥ ବିରୋଧୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ଜାଗାରେ ସରକାରଙ୍କ ବାଣିଜ୍ୟିକ ପ୍ରତିଷ୍ଠାନ ଓ ବାସଗୃହ କରିବା ପାଇଁ ଯୋଜନା ଗ୍ରହଣ ନୁହେଁ। ଏହି ଜମି ଉପରେ ଥିବା ଗଛ କାଟିବା ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡ଼ିବ। ଭୁବନେଶ୍ବର ବାସିନ୍ଦାଙ୍କ ଅଧିକାର ଉଲ୍ଲଂଘନ କରି ସରକାର ଏକାମ୍ରକାନନ ଜମି ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକାମ୍ରକାନନର ୨୦ ଏକର ଜମି ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଥିସହ ଏକାମ୍ରକାନନର ସାଟେଲାଇଟ ଫଟୋ ସରକାର ଦିଅନ୍ତୁ ଓ କେତେ ସଂଖ୍ୟକ ଗଛ ଏହି ଜମି ଉପରେ ରହିଛି, ତାହା ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ, ନଗର ଉନ୍ନୟନ ବିଭାଗ, ଉଦ୍ୟାନ କୃଷି ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବିଏମସି, ବିଡିଏ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।