ଭୁବନେଶ୍ବର: କେନ୍ଦ୍ର ସରକାର ନି‌ଷ୍ପତ୍ତି ବଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚ୍‌ଡବ୍ଲ୍ୟୁସି)ରୁ ଲାବୋରେଟାରି ଟେକ୍‌ନିସିଆନ୍(ଏଲ୍‌ଟି) ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ)ପଦ ଉଚ୍ଛେଦ ହୋଇଛି। ରାଜଧାନୀରେ ଥିବା ୧୮ଟି ୟୁଏଚ୍‌ଡବ୍ଲ୍ୟୁସିରୁ ଏହି ପଦ ଉଚ୍ଛେଦ ପରେ ସ୍ବାସ୍ଥ୍ୟସେବା ଘୋର ପ୍ରଭାବିତ ହୋଇଛି। ଏଣୁ ଯେଉଁ କେନ୍ଦ୍ରରେ ଅଧିକ ଭିଡ଼ ହେଉଛି ସେଥିରୁ କେତେକ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏଲ୍‌ଟିମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ବ୍ୟବସ୍ଥା ହେଉଛି। ଏମାନଙ୍କର ଖର୍ଚ୍ଚ ବିଏମ୍‌ସି ନିଜ ପାଣ୍ଠିରୁ ବହନ କରିବାକୁ ଯୋଜନା କରିଛି। ଏଣୁ କେଉଁ କେନ୍ଦ୍ରରେ ସବୁଠାରୁ ଅଧିକ ରୋଗୀ ଆସୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ବିଏମ୍‌ସି ପ୍ରସ୍ତୁତ କରିଥିବା ଖର୍ଚ୍ଚ ଅଟକଳ ଆଧାରରେ କେଉଁ କେନ୍ଦ୍ରରେ ପୁନଃ ନିଯୁକ୍ତି ମିଳିବ ସେ ନେଇ ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। 

Advertisment

ଭୁବନେଶ୍ବରରେ ୧୮ଟି ୟୁଏଚ୍‌ଡବ୍ଲ୍ୟୁସି ରହିଛି। ଏଥିରେ ୪୫ ପ୍ରକାରର ପରୀକ୍ଷା ସୁବିଧା ରହିଥିଲା। ପ୍ରତି ସେଣ୍ଟରକୁ ଦିନକୁ ୪ଶହରୁ ୬ଶହ ରୋଗୀ ଆସୁଥିଲେ। ମାସକୁ ୩୦୦ରୁ ୩୫୦ ପରୀକ୍ଷା ହେଉଥିଲା। କିନ୍ତୁ କେନ୍ଦ୍ର ସରକାର ହଠାତ୍‌ ଗତ ଅଗଷ୍ଟ ମାସରେ ଚିଠି ଲେଖି ଏହି ପରୀକ୍ଷା କରୁଥିବା ଏଲ୍‌ଟିମାନଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ସବୁ କେନ୍ଦ୍ରରେ ପରୀକ୍ଷା ବନ୍ଦ ହୋଇ ଯାଇଥିଲା। ପରେ କିଟ୍‌ ଜରିଆରେ ଏଚ୍‌ସିଜି,ଏଚ୍‌ଆଇଭି, ସୁଗାର, ହିମୋଗ୍ଲୋବିନ୍‌ ଭଳି ୧୩ ପ୍ରକାରର ପରୀକ୍ଷା ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ପରୀକ୍ଷା କରିବାକୁ ନର୍ସିଂ ଅଫିସରମାନଙ୍କୁ ମାସେ କାଳ ପ୍ରଶିକ୍ଷଣ ଦିଆଯାଇଥିଲା। ଫଳରେ ଏହି ଏହି ସମୟରେ କୌଣସି ପ୍ରକାରର ପରୀକ୍ଷା ହୋଇ ପାରୁ ନଥିଲା। ତେବେ ‌ଡେଙ୍ଗୁ, ପେଟ୍‌ଲେଟ୍‌ କାଉଣ୍ଟ, ରେଡ୍‌ ବ୍ଲଡ୍‌ ସେଲ୍ କାଉଣ୍ଟ, ଟିବି, ଏନ୍‌ଏଏଟି ଭଳି ୨୮ଟି ପରୀକ୍ଷା‌ ପାଇଁ ନମୁନା ସଂଗ୍ରହ କରାଯାଇ ନିକଟସ୍ଥ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି)କୁ ପଠାଯାଉଛି। 

ଭିଡ଼ ଥିବା କେନ୍ଦ୍ରରେ ପୁନଃନିଯୁକ୍ତ ହେବେ ଏଲ୍‌ଟି

ବିଏମ୍‌ସି ବହନ କରିବ ଖର୍ଚ୍ଚ
ଭରସାଯୋଗ୍ୟ ‌ହୋଇପାରୁନି କିଟ୍‌

ୟୁରିନ୍‌ କଲ୍‌ଚର୍‌, ଏସ୍‌ଜିପିଟି, ଏସ୍‌ଜିଓଟି, ଜିଟିଟି, ଟି-୩, ଟି-୪ ଭଳି ବାକି ୨୪ ପରୀକ୍ଷା ପାଇଁ ନମୂନା ୟୁପିଏଚ୍‌ସିକୁ ଯାଉଛି। କିନ୍ତୁ ସେଠାରେ ଏହି ସୁବିଧା ଉପଲବ୍ଧ ନଥିବାରୁ ୟୁପିଏଚ୍‌ସି ଆଉସୋର୍ସିଂ ସଂସ୍ଥା କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍‌ସ ଜରିଆରେ ପରୀକ୍ଷା କରାଉଛି। ତିନି ସେଣାରେ ପାଣି ଉଠିବା ଭଳି ପରିସ୍ଥିତି ଯୋଗୁ ‌ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଅନ୍ୟପଟେ କିଟ୍‌ ଜରିଆରେ ହେଉଥିବା ପରୀକ୍ଷା ରୋଗୀଙ୍କ ବିଶ୍ବାସ ଭାଜନ ହେଉନାହିଁ। ଫଳରେ ମାସେ କାଳ ପ୍ରଶିକ୍ଷଣ ଦେବା ପରେ ଯେଉଁ ବ୍ୟବସ୍ଥା(କିଟ୍‌ ଜରିଆରେ ପରୀକ୍ଷା) କରାଯାଇଛି ତାହା ବିଫଳ ହୋଇଛି। ଯେଉଁ ପରିମାଣରେ ପରୀକ୍ଷା ହେବା ଆଶା କରାଯାଇଥିଲା ତାହା ହେଉ ନାହିଁ। ରୋଗୀମାନେ ଥରେ ଏଭଳି ସ୍ଥିତି ଦେଖିବା ପରେ କ୍ୟା‌ପିଟାଲ୍‌ ହସ୍‌ପିଟାଲ୍‌ ମୁହାଁ ହେଉଛନ୍ତି। ସେଠାରେ ଭିଡ଼ ବଢ଼ିବା ଯୋଗୁ ସାଧାରଣ ରୋଗୀଙ୍କ ସହ ଗୁରୁତର ବି ପ୍ରଭାବିତ ହେଉଛନ୍ତି। 
ତଥ୍ୟ ମୁତାବକ, ରେଣ୍ଟାଲ କଲୋନି ସ୍ଥିତ ୟୁଏଚ୍‌ଡବ୍ଲ୍ୟୁସିକୁ ଦିନକୁ ୭୩ରୁ ୧୦୦କୁ ରୋଗୀ ଆସୁଛନ୍ତି। ଭିଏସ୍‌ଏସ୍‌ ନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦୦ରୁ ୧୪୦, ସାମନ୍ତରାପୁରକୁ ୮୦ରୁ ୯୦, ବରଗଡ଼କୁ ୭୦ରୁ ୮୦, ନିଳଦ୍ରୀବିହାରକୁ ୭୩ରୁ ୮୦, ଚକେଇସିଆଣିକୁ ୭୦ରୁ ୮୦ ଓ ଲକ୍ଷ୍ମୀସାଗରକୁ ୭୦ରୁ ୮୦ ରୋଗୀ ଦୈନିକ ଆସୁଛନ୍ତି। ବାକି ୧୦ କେନ୍ଦ୍ରରେ କେଉଁଠି ହେଲେ ବି ରୋଗୀ ସଂଖ୍ୟା ୫୦ ଟପୁ ନାହିଁ। ପୂର୍ବରୁ ଏଠାକୁ ଆସୁଥିବା ରୋଗୀ ହସ୍‌ପିଟାଲ୍‌ରେ ଭିଡ଼ ଜମାଉଛନ୍ତି। ଆକଳନ ମୁତାବକ, ଏହି ୧୮ ୟୁଏଚ୍‌ଡବ୍ଲ୍ୟୁସିରୁ ମୁହଁ ଫେରାଇ ପ୍ରାୟ ୭୨୦୦ ରୋଗୀ ପ୍ରତ୍ୟହ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଉପରେ ବୋଝ ବଢ଼ାଇଛନ୍ତି। ତେବେ ବିଏମ୍‌ସିର ଏହି ପ୍ରସ୍ତାବ ପରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।