ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ପ୍ରସଙ୍ଗ: ତେଜିଲା ପ୍ରତିବାଦର ସ୍ବର

ଘୋଡ଼ା ସ୍ଥାନାନ୍ତର ନହୋଇ ସୌନ୍ଦର୍ଯ୍ୟୀକରଣ ହେଉ: ଧର୍ମେନ୍ଦ୍ର
ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସର ପ୍ରତିବାଦ ସଭା
ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ନିଷ୍ପତ୍ତିକୁ ବାତିଲ୍ କରନ୍ତୁ: ପୁରୀ ବିଧାୟକ

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ ମ‌ାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା କରାଯାଇଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ରାଜ୍ୟ ସରକାର ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ଏହି ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ବିଚାର କରନ୍ତୁ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ‌େଘାଡ଼ା ସ୍ଥାନାନ୍ତର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଥିବାରୁ ଆଗାମୀ ଦିନରେ ବିଜେପି ଏ ନେଇ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଜଣାପଡ଼ୁଛି।

ଟୁଇଟରରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ୧୯୬୪ ମସିହାରେ କୋଣାର୍କ ଘୋଡ଼ା ଓ ଯୋଦ୍ଧାକୁ ଓଡ଼ିଶା ଶାସନର ପ୍ରତୀକ ରୂପେ ଗ୍ରହଣ କରାଯାଇଥିଲା। ୧୯୮୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦ୍ବାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ‌େଘାଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା। ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି। ଏହି କୀର୍ତ୍ତିରାଜି ଆମ ଐତିହ୍ୟର ପରିଚୟ। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି। ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଏହାକୁ ସୁରକ୍ଷିତ ରଖନ୍ତୁ ବୋଲି ସେ କହିଛନ୍ତି।

ଅପରପକ୍ଷେ କଂଗ୍ରେସ ଦୁଇ ଦିନ ହେଲା ବିକ୍ଷୋଭ ଜାରି ରଖିଛି। ଆଜି ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏଠାରେ ଆୟୋଜିତ ପ୍ରତିବାଦ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ; ଏହି ଘୋଡ଼ାକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଭୁବନେଶ୍ବର ସହରର ମୁଖ୍ୟଦ୍ବାରରେ ସ୍ଥାପନ କରାଯାଇଥିଲା। ଏହି ଘୋଡ଼ାଟି କେବଳ ଏକ ପଥର ନିର୍ମିତ ଆକୃତି ନୁହେଁ, ଏହା ଓଡ଼ିଶା ସରକାରଙ୍କ ଶାସନର ଚିହ୍ନ। ଏହି ଘୋଡ଼ା କଳିଙ୍ଗର ବୀରତ୍ବ ଗାଥାକୁ ବହନ କରେ।

ଏହି ସଭାରେ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ କହିଥିଲେ ଯେ, ୨୧ବର୍ଷ ହେଲା ରାଜ୍ୟବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ଦେଇପାରୁନଥିବା ସରକାର ଗତ ୫ବର୍ଷ ହେଲା ସ୍ମାର୍ଟ ସିଟି ପରିକଳ୍ପନା ନାଁରେ ଏକ ଭାଣ୍ଡାମି ଚଲାଇଛନ୍ତି। ସାରା ବିଶ୍ବରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଐତିହ୍ୟ, କଳା, ସଂସ୍କୃତିକୁ ରକ୍ଷା କରୁଥିବାବେଳେ ଓଡ଼ିଶା ସରକାର ଏହାକୁ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି। ତେଣୁ ତୁରନ୍ତ ରାଜ୍ୟ ସରକାର ଘୋଡ଼ା ସ୍ଥାନାନ୍ତର ପ୍ରସଙ୍ଗରୁ ଓହରନ୍ତୁ। ନଚେତ୍ ଆନ୍ଦୋଳନକୁ ଆହୁରି ଜୋରଦାର୍‌ କରାଯିବ। ଏହି ପ୍ରତିବାଦ ସଭାରେ କଂଗ୍ରେସ ନେତା କିଶୋର ‌ଜେନା, ମନୋରଂଜନ ଦାଶଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।

ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଛନ୍ତି। ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ମାଷ୍ଟରକ୍ୟାଣ୍ଟିନରେ ଦୀର୍ଘ ୪୨ବର୍ଷ ଧରି ଶୋଭା ପାଉଥିବା ମହାନ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ସ୍ବର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଘୋଡ଼ା ଓ ଯୋଦ୍ଧାଙ୍କ ପ୍ରସ୍ତରମୂର୍ତ୍ତି ସ୍ଥାନାନ୍ତରଣକୁ ମୁଁ ଦୃଢ଼ ବିରୋଧ କରୁଛି। ପୁରୀର ଗର୍ବ ସ୍ବର୍ଗତଃ ମହାପାତ୍ରଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତାଙ୍କୁ ସମ୍ମାନ ଜଣାଇ ଏହାର ରକ୍ଷଣାବେକ୍ଷଣ କରିବା ପରିବର୍ତେ ଏହାକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ମହାନ ଶିଳ୍ପୀଙ୍କ ପ୍ରତି ଅସମ୍ମାନ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି; ସେ ଏହି ନିଷ୍ପତ୍ତିକୁ ବାତିଲ୍‌ କରି ଏହି କଳାକୃତିର ସରଂକ୍ଷଣ ଓ ଉନ୍ନତୀକରଣ କରନ୍ତୁ। ଆମେ ବିକାଶକୁ ବିରୋଧ କରୁନୁ, କିନ୍ତୁ କୀର୍ତ୍ତିରାଜିକୁ ନଷ୍ଟ କରାନଯାଉ।

ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ନୀତି ନିର୍ଦ୍ଧାରଣ ହେଉ
ଭୁବନେଶ୍ୱର : ବରପୁତ୍ରଙ୍କ ପ୍ରତିମୂର୍ତ୍ତି ହେଉ କିମ୍ବା ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ପ୍ରତୀକ; କୌଣସି ସ୍ଥାନରେ ଏହାର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ସ୍ପଷ୍ଟ ନୀତି ହେବା ଆବଶ୍ୟକ। ଏହି ନୀତି ପାଇଁ ଉତ୍କଳ ସମ୍ମିଳନୀ ୨୦୦୭ ମସିହାରୁ ଦାବି କରି ଆସୁଛି ବୋଲି ସମ୍ମିଳନୀ ପକ୍ଷରୁ ଏହାର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି। କେଉଁ ବରପୁତ୍ରଙ୍କର କିମ୍ବା ଭାସ୍କର୍ଯ୍ୟର ପ୍ରତିମୂର୍ତ୍ତି କେବେ ଓ କେଉଁଠାରେ ପ୍ରତିଷ୍ଠା ହେବ, ଏହାର ରକ୍ଷଣାବେକ୍ଷଣ କିଏ କରିବେ, ସ୍ଥାନାନ୍ତର ପାଇଁ ଆବଶ୍ୟକ ହେଲେ କେମିତି ନିଷ୍ପତ୍ତି ନିଆଯିବ ଓ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ କେଉଁ କେଉଁ ଦିନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ଓ କିଏ କରିବେ ଏ ସମସ୍ତ ବିଷୟ ଏହି ନୀତିରେ ସ୍ପଷ୍ଟ ଭାବେ ରହିବା ଆବଶ୍ୟକ। ୨୦୦୦ ମସିହା ପୂର୍ବରୁ ରାଜଧାନୀରେ କେତେଜଣ ଜାତୀୟ ବରପୁତ୍ରଙ୍କ ସହ କେବଳ ଜଣେ ଦୁଇଜଣ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଥିଲା। ମାତ୍ର ଏବେ ଭୁବନେଶ୍ୱରରେ ଶହେରୁ ଅଧିକ ପ୍ରତିମୂର୍ତ୍ତି ସହିତ ରାଜ୍ୟରେ ହଜାରେରୁ ଅଧିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇସାରିଲାଣି। ଏଣୁ ରାଜ୍ୟରେ ପ୍ରତିମୂର୍ତ୍ତି ପାଇଁ ପ୍ରଥମେ ନୀତି ନିର୍ଦ୍ଧାରଣ ହେଉ ଓ ପରେ କୌଣସି ପ୍ରତିମୂର୍ତ୍ତି ପ୍ରତିଷ୍ଠା କିମ୍ବା ସ୍ଥାନାନ୍ତରଣ କରାଯାଉ। ମାଷ୍ଟରକ୍ୟାଣ୍ଟିନ ଛକରୁ ଐତିହ୍ୟ ଘୋଡ଼ା ପାଇଁ ନୀତି ନିର୍ଦ୍ଧାରଣ ପରେ ନିଷ୍ପତ୍ତି ନିଆଯାଉ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ଆଉ ଗହଳି କରାନଯାଉ।

ଷ୍ଟାଚ୍ୟୁ କମିଟିରେ ସ୍ଥପତି ନାହାନ୍ତି କାହିଁକି? ମୂର୍ତ୍ତି ଭାଙ୍ଗିଗଲେ କି ଦାୟୀ ରହିବ: ପଦ୍ମବିଭୂଷଣ ସୁଦର୍ଶନ ସାହୁ
ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଓ ଯୋଦ୍ଧାକୁ ସ୍ଥାନାନ୍ତର ନେଇ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି। ଆଶ୍ଚର୍ଯ୍ୟର ବିଷୟ ହେଲା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଷ୍ଟାଚ୍ୟୁ କମିଟିରେ କେହି ଜଣେ ବି ସ୍ଥପତି ନାହାନ୍ତି। ଏପରିକି ବିରଳ କାରୁକାର୍ଯ୍ୟ ହୋଇଥିବା ଘୋଡ଼ା ଓ ଯୋଦ୍ଧା ସ୍ଥାନାନ୍ତର ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ହେଁ ଏ ସଂପର୍କରେ ଷ୍ଟାଚ୍ୟୁ କମିଟି କୌଣସି ସ୍ଥପତିଙ୍କ ମତାମତ କି ପରାମର୍ଶ ଲୋଡ଼ିନି। ବିଶିଷ୍ଟ ସ୍ଥପତିଙ୍କ ରାଜ୍ୟ ଓଡ଼ିଶାରେ କ’ଣ ଜଣେ ବି ସ୍ଥପତି ସଂସ୍କୃତି ବିଭାଗକୁ ମିଳିଲେନି ବୋଲି ଏବେ ପ୍ରଶ୍ନ ଉଠିଛି। ଏ ନେଇ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧିକାରୀମାନେ ନିଜକୁ ସର୍ବେସର୍ବା ଭାବୁଛନ୍ତି। ଦୀର୍ଘ ବର୍ଷ ହେଲା ଯେଉଁ ପ୍ରସ୍ତର ମୂର୍ତ୍ତିର ଯତ୍ନ ନିଆଯାଉ ନ ଥିଲା ତାକୁ କିପରି ସ୍ଥାନାନ୍ତର କରାଯିବ, ତାହା ସ୍ଥାନାନ୍ତର ହୋଇପାରିବ କି ନାହିଁ ସେନେଇ ଆଲୋଚନା କରିନାହାନ୍ତି। ଖଣ୍ଡେଲାଇଟ୍ ପଥରରେ ନିର୍ମିତ ଏହି ପ୍ରସ୍ତର ମୂର୍ତ୍ତି କୌଣସି ପରିସ୍ଥିତିରେ ବି ସ୍ଥାନାନ୍ତର ହେବା କଥା ନୁହେଁ। ଏହାକୁ ନିୟମିତ ସଫା କରାଯାଇନି କି ଲାମିନେସନ୍ କରାଯାଇନି। ଯଦି ମୂର୍ତ୍ତି ଉଠାଇକି ସ୍ଥାନାନ୍ତର କରୁକରୁ ଭାଙ୍ଗିଯିବ ତେବେ ଏଥିପାଇଁ କିଏ ଦାୟୀ ରହିବ? ମୋର ୭୦ବର୍ଷର ଅଭିଜ୍ଞତାରୁ କହିବି ଏହା ଏକ ବିରଳ କାରୁକାର୍ଯ୍ୟ ହୋଇଥିବା ମୂର୍ତ୍ତି। ଏହାକୁ ସରକାର ସମ୍ମାନ ଦେବା ଦରକାର। ଏତେ ବଡ଼ ଛକରେ ଏହାକୁ କ’ଣ ସମ୍ମାନର ସହ ରଖାଯାଇ ପାରିବନି ଯେ ଏହାକୁ ସ୍ଥାନାନ୍ତର କରାଯିବ? ଏହି ମୂର୍ତ୍ତିକୁ କିପରି ମାଷ୍ଟରକ୍ୟାଣ୍ଟିନ ଛକରେ ସୁରକ୍ଷିତ ରଖାଯିବ ସେନେଇ ସରକାର ସ୍ଥପତିମାନଙ୍କ ପରାମର୍ଶ ନିଅନ୍ତୁ, କ’ଣ ଡିଜାଇନ୍ ହୋଇପାରିବ ସେ ପ୍ରସ୍ତାବ ମାଗନ୍ତୁ।

ଘୋଡ଼ା ସ୍ଥାନାନ୍ତର ହେଲେ ଅସୁବିଧା ନାହିଁ: ସମାଜବାଦୀ ପାର୍ଟି
ଭୁବନେଶ୍ବର : ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଗଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସମାଜବାଦୀ ପାର୍ଟି କହିଛି। ପାର୍ଟି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି କରାଯାଉଛି। ତେଣୁ କିଛି ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂଆ ପ୍ରକଳ୍ପ କରିବାର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସ୍ଥାପିତ ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ଭୁବନେଶ୍ବରର ଅନ୍ୟ ଏକ କେନ୍ଦ୍ରସ୍ଥଳ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ପାର୍ଟି ସ୍ବାଗତ କରୁଛି। ଏହାସହ ଯେଉଁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଗୋଳିଆ ପାଣିରୁ ମାଛ ଧରିବାର ଉଦ୍ୟମ କରୁଛନ୍ତି, ସେଥିରୁ ସେମାନେ କ୍ଷାନ୍ତ ହେବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି। ତେଣୁ ଏହାକୁ ବିରୋଧ ନ କରି ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ତେ ସହଯୋଗ କରିବାକୁ ସେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି।

ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ହୋଇଥିଲା ରାଜ୍ୟ ଶାସନର ପ୍ରତୀକ
ଭୁବନେଶ୍ବର : ପୂର୍ବରୁ ଅଶୋକ ସ୍ତମ୍ଭ ରାଜ୍ୟ ଶାସନର ପ୍ରତୀକ ଥିଲା। ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟ ଶାସନର ପ୍ରତୀକ ଭାବେ କୋଣାର୍କ ଘୋଡ଼ା ସ୍ଥାନିତ ହୋଇଥିଲା। ୧୯୬୪ ମସିହା ଅଗଷ୍ଟ ୩ତାରିଖରେ ଏ ନେଇ ଏକ ସଂକଳ୍ପ ପାରିତ ହୋଇଥିଲା। ସେତେବେଳେ ମନ୍ତ୍ରୀ ପରିଷଦ ଦ୍ବାରା ନିଯୁକ୍ତ ସବ୍‌କମିଟିର ପରାମର୍ଶ କ୍ରମେ କୋଣାର୍କ ଘୋଡ଼ାକୁ ଓଡ଼ିଶା ସରକାରଙ୍କ ଶାସନର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର