ରସିଦ ବହି ନ ମିଳିବା ପ୍ରସଙ୍ଗ: ଖୋଳତାଡ଼ କରିବ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର: ରସିଦ ନାହିଁ କି ଟଙ୍କା ନାହିଁ। ହୋଲ୍‌ଡିଂ ଟିକସ ତଥା ଅନ୍ୟାନ୍ୟ ରାଜସ୍ବ ଆଦାୟ ବାବଦକୁ ଟ୍ୟାକ୍ସ କଲେକ୍ଟରମାନଙ୍କୁ ଦିଆଯାଇଥିବା ରସିଦ ବହି ଗାଏବ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୨୧ ହଜାର ୮ଶହ ରସିଦ୍‌ର ହିସାବ ମିଳୁନି। ଲୋକଙ୍କ ପାଖରୁ ଟଙ୍କା ଆସିଛି, ହେଲେ ବିଏମ୍‌ସି ଖାତାରେ ଜମା ହୋଇନି। ନା ଅଧିକାରୀମାନେ ତାଗିଦ କରିଛନ୍ତି ନା ସମୀକ୍ଷା ବେଳେ କର୍ତ୍ତୃପକ୍ଷ ହିସାବ ମାଗିଛନ୍ତି। ବରଂ ଲୋକାଲ ଫଣ୍ଡ ଅଡିଟ୍‌ କଲା ବେଳେ ଏହି କେଳେଙ୍କାରୀକୁ ଧରିଛନ୍ତି। ଅଡିଟ୍‌ ରିପୋର୍ଟ ଆଧାରରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କର୍ପୋରେସନ ବୈଠକରେ ଏ ନେଇ ତନାଘନା ହୋଇଛି। ଶେଷରେ ଏହାର ମୂଳ ପର୍ଯ୍ୟନ୍ତ ଯିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ଅଧିକାରୀଙ୍କ ନେତୃତ୍ବରେ ତିନି ଜୋନ୍‌ରେ ଟିମ୍‌ ଗଠନ ହେବା ସହ ଖୋଳତାଡ଼ ଆରମ୍ଭ କରିଛି ବିଏମ୍‌ସି।

କିଏ କେତେ ରସିଦ ବହି ନେଇଛି? କେତେ ଜମା ଦେଇଛି? କେତେ ବ୍ୟବହାର ହୋଇ ନାହିଁ? ମୂଳ ରସିଦ ଲୋକଙ୍କୁ ଦେବା ପରେ କେତେ କାର୍ବନ କପି ଫେରିଛି? ଏ ସବୁର ଆମୂଳଚୂଳ ହିସାବ ଆରମ୍ଭ ହୋଇଛି। ଏହି ତନାଘନା ଆରମ୍ଭ ହେବା ପରେ ରସିଦ୍‌ ବଦଳରେ ଆସିଥିବା ରାଜସ୍ବ ଅର୍ଥ ହଜମ କରି ଦେଇଥିବା କେତେକ କର୍ମଚାରୀ ଅଡ଼ୁଆରେ ପଡ଼ିଛନ୍ତି। ଏଥିରେ ନିକଟ ଅତୀତରେ ଅବସର ନେଇଥିବା ‌କେତେକ କର୍ମଚାରୀ ଥିବା ଆଶଙ୍କା କରାଯାଉଛି। ଏହି ଅପରାଧରୁ କେମିତି ବର୍ତ୍ତିବେ ସେ ନେଇ ନୂଆ ନୂଆ ଉପାୟ ଚିନ୍ତା କରୁଛନ୍ତି। ନୂଆ ରସିଦ୍‌ ବହି ଛାପି ବ୍ୟବହାର ହୋଇନଥିବା ଦର୍ଶାଇ ବିଏମ୍‌ସିକୁ ଅକ୍ଷତ ଫେରାଇ ଦେବାପାଇଁ ମସୁଧା କରୁଥିବା ଅଭିଯୋଗ ହୋଇଛି। ତେବେ ରସିଦ ବହିଗୁଡ଼ିକ ବହୁଦିନର ପୁରୁଣା ହୋଇଥିବାରୁ ନୂଆ ଛାପିଲେ ଧରାପଡ଼ିଯିବେ। ତା’ ଛଡ଼ା ଉଚିତ ସମୟରେ ଫେରାଇ ନଥିବାରୁ ତାହା ଏବେ ଗ୍ରହଣୀୟ ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଣୁ ଏବେ ଚୋର ଧରାପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଖୋଳତାଡ଼ ବେଳେ ଅନେକ ତଥ୍ୟ ପଦାକୁ ଆସିଛି। ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ୍‌ ଦୁଇ ଦୁଇ ଥର ଏହି ରସିଦ ବହି ଉପରେ ଆପତ୍ତି ଉଠାଇଛନ୍ତି। ୨୦୧୮ରୁ ଅନ୍‌ଲାଇନ୍‌ ହେବା(୨୦୨୦) ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ନାଥ, ଉମାକାନ୍ତ ନାୟକ, କ୍ଷେତ୍ରମୋହନ ଦାସ, ଭୁବନାନନ୍ଦ ପାଢ଼ୀ, ଦେବୀପ୍ରସାଦ ଦାସଙ୍କ ନାମରେ ୨୧୮ ବହି ବା ୨୧ ହଜାର ୮ଶହ ରସିଦ୍‌(ପ୍ରତ୍ୟେକ ବହିରେ ଶହେ ରସିଦ୍‌ ହିସାବରେ) ଇସ୍ୟୁ ହୋଇଛି। କିନ୍ତୁ ଏହି ବହି ବିପକ୍ଷରେ ଅର୍ଥ ବିଏମ୍‌ସି ଖାତାରେ ଜମା ହୋଇ ନାହିଁ। ୨୦୨୨ ମସିହା ଜୁଲାଇ ୨୧ ତାରିଖରେ ଦେବୀପ୍ରସାଦ ଦାସ କେନ୍ଦ୍ରାପଡ଼ା ପୌରସଂସ୍ଥାରେ ଆର୍‌ଆଇ ଭାବରେ ‌ଯୋଗ ଦେବା ପୂର୍ବରୁ କ୍ଷେତ୍ରମୋହନ ଦାସଙ୍କୁ ସମସ୍ତ ରସିଦ ବାବଦରେ ତଥ୍ୟ ଦେବା ସହ ଦାୟିତ୍ବ ହସ୍ତାନ୍ତର କରିଥିବା ରେକର୍ଡ ରହିଛି।

କିନ୍ତୁ ଅଡିଟ୍‌ଙ୍କୁ ଏ ନେଇ ତଥ୍ୟ ଦିଆଯାଇ ନାହିଁ। ଇତିମଧ୍ୟରେ କ୍ଷେତ୍ରମୋହନ ଦାସ ଅବସର ନେଇ ସାରିଲେଣି। ଅବସର ପୂର୍ବରୁ ତାଙ୍କ ଠାରୁ କାହିଁକି ହିସାବ ମଗା ଯାଇନି? ଠିକ୍‌ ସେହିଭଳି ଭୁବନାନନ୍ଦ ପାଢ଼ୀ ମଧ୍ୟ ନିକଟ ଅତୀତରେ ବା ଚଳିତ ବର୍ଷ ଅବସର ନେଇଛନ୍ତି। କିନ୍ତୁ ତାଙ୍କୁ ଦିଆଯାଇଥିବା ରସିଦ ବହିର ହିସାବ ବିଏମ୍‌ସିରେ ନାହିଁ। ୨୦୨୦ ଓ ୨୦୨୧ ମସିହା ଏଭଳି ଦୁଇ ଥର ଅଡିଟ୍‌ ରସିଦ ବହି ଉପରେ ଆପତ୍ତି ଉଠାଇ ଆସୁଥିଲେ ମଧ୍ୟ ଅବସର ପୂର୍ବରୁ ଭୁବନାନନ୍ଦଙ୍କ ଠାରୁ କାହିଁକି ହିସାବ ଅଣା ଗଲା ନାହିଁ? ଏ ସବୁକୁ ନେଇ ଟିମ୍‌ ତନାଘନା କରୁଛି। ଟିମ୍‌ର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି। ତିନି ଜୋନ୍‌ର ଜେଡ୍‌ଡିସି ଏହି ଟିମ୍‌ର ନେତୃତ୍ବ ନେଉଛନ୍ତି। ଯେତେ ଶୀଘ୍ର ସମ୍ଭବ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଯଦି ଗୋଟିଏ ରସିଦ୍‌ରେ ୧୦୦୦ ଟଙ୍କା ବି ଆଦାୟ ହୋଇଥାଏ, ତେବେ ୨ କୋଟି ୧୮ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର