ଭୁବନେଶ୍ୱର : ଗୋଟିଏ ଫ୍ଲାଟ୍କୁ ଦୁଇଜଣଙ୍କୁ ବିକି ଦେଇଛନ୍ତି ବିଲ୍ଡର। ଫଳରେ ଲକ୍ଷଲକ୍ଷ ଟଙ୍କା ଦେଇ ବର୍ଷବର୍ଷ ଧରି ଅପେକ୍ଷା କରିଥିବା ହିତାଧିକାରୀ ହତାଶ ହୋଇଛନ୍ତି। ଏ ନେଇ ହିତାଧିକାରୀ ରେରା(ରିୟଲ ଇଷ୍ଟେଟ୍ ରେଗୁଲେଟିଂ ଅଥରିଟି)ଙ୍କ ଦ୍ବାରସ୍ଥ ହେବା ପରେ ଦୁଇ ମାସ ମଧ୍ୟରେ ସମ୍ପୃକ୍ତ ବିଲ୍ଡର ସୁଧ ସହ ମୂଳ ରେରାରେ ଦାଖଲ କରିବାକୁ ଆଦେଶ ହୋଇଛି।
ଏହି ଅଭିଯୋଗ ଆସିଛି ବମିଖାଲ ଅଞ୍ଚଳରେ ଥିବା ବସେରା ଡିଜାଇନ୍ସ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ମନୋଜ ପଟ୍ଟନାୟକଙ୍କ ବିରୋଧରେ। ସମ୍ପୃକ୍ତ ସଂସ୍ଥାର ବମିଖାଲରେ ବସେରା ବୃନ୍ଦାବନ ନାମରେ ଏକ ପ୍ରକଳ୍ପ ରହିଛି। ଏଥିରେ ୫୫ ଲକ୍ଷ ଟଙ୍କାରେ ଏକ ୩ ବିଏଚ୍କେ ଫ୍ଲାଟ୍(ତୃତୀୟ ମହଲା, ଫ୍ଲାଟ୍ ନଂ୩୦୮) ନେବାକୁ ୟୁନିଟ୍-୩ରେ ରହୁଥିବା ଗଞ୍ଜାମର ଖଲି ମହାନ୍ତି ଗତ ୨୦୧୬ ମସିହାରେ ଚୁକ୍ତିନାମା କରିଥିଲେ। ଏଥିପାଇଁ ସେ ଦଫା ଦଫାରେ ସଂସ୍ଥାକୁ ୫୨ ଲକ୍ଷ ଟଙ୍କା ଦେଇଥିଲେ। ଏଥିରେ ବାପୁଜୀନଗର ଆହ୍ଲାବାଦ୍ ବ୍ୟାଙ୍କ୍ରୁ ୨୬ ହଜାର ଟଙ୍କାର ଋଣ ରହିଥିଲା। ହେଲେ ଏହି ଫ୍ଲାଟ୍କୁ ସଂସ୍ଥା ସଂଗ୍ରାମ କେଶରୀ ସାହୁଙ୍କୁ ୪୩ ଲକ୍ଷ ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଥିଲା।
ଏ ନେଇ ଖଲି ମହାନ୍ତି ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନ ଶୁଣିବାରୁ ଅଭିଯୋଗକାରୀ ଏସ୍ଡିଜେଏମ୍ଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସହିଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।
ଅନ୍ୟପଟେ ବ୍ୟାଙ୍କ୍ରୁ ଋଣ କରିଥିଲେ ଅଭିଯୋଗକାରୀ ଖଲି ମହାନ୍ତି। ଋଣ ପରିଶୋଧ ହୋଇନଥିବା ବେଳେ ବ୍ୟାଙ୍କ୍ର ଅଗୋଚରରେ ଫ୍ଲାଟ୍ ସଂଗ୍ରାମଙ୍କୁ ବିକି ଦେଇଥିଲା ସଂସ୍ଥା। ଋଣ କରିବା ବେଳେ ବ୍ୟାଙ୍କ୍, ସଂସ୍ଥା ଓ ଖଲି ମହାନ୍ତିଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ହୋଇଥିଲା। ଋଣ କରିଥିବା ଶ୍ରୀ ମହାନ୍ତି ପରିଶୋଧ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଲାବାଦ୍ ବ୍ୟାଙ୍କ୍ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଆଧାର କରି ଇଓଡ୍ଲ୍ୟୁ ଖଲି ମହାନ୍ତିଙ୍କୁ ୨୦୧୮ ମସିହାରେ ଗିରଫ କରିଥିଲା। ଯଦିଓ ଟଙ୍କା ଋଣ ଟଙ୍କା ସିଧାସଳଖ ବସେରା ଡିଜାଇନ୍ସ୍ ଆକାଉଣ୍ଟକୁ ଯାଇଥିବା ବ୍ୟାଙ୍କ୍ ଜାଣିଥିଲା। ଜାମିନ୍ରେ ଫେରିବା ପରେ ଶ୍ରୀ ମହାନ୍ତି ‘ରେରା’ଙ୍କ ଦ୍ବାରସ୍ଥ ହୋଇଥିଲେ। ଏବେ ସବୁ ବିଷୟକୁ ଅନୁଧ୍ୟାନ କଲା ପରେ ରେରା ଏହି ଆଦେଶ ଦେଇଛନ୍ତି। ଅନ୍ୟପଟେ ଫ୍ଲାଟ୍ଟି ଆଇନଗତ ବିବାଦରେ ଫସି ଥିବାରୁ ସଂଗ୍ରାମ କେଶରୀ ସାହୁ ମଧ୍ୟ ଠକେଇର ଶିକାର ହୋଇଛନ୍ତି। ସେ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗରେ ଆଉ ଜଣେ ଅଭିଯୁକ୍ତ ନିକଟ ଅତୀତରେ ଗିରଫ ହୋଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ସଂସ୍ଥାର ଏମ୍ଡି ମନୋଜ ପଟ୍ଟନାୟକ ଫେରାର ଥିବା ପୁଲିସ କହିଛି।