ଭୁବନେଶ୍ବର: ୨୦୨୦-୨୧ ମସିହାରେ ଓଡ଼ିଶୀ ସଙ୍ଗୀତକୁ ଜାତୀୟ ସ୍ତରରେ ଶାସ୍ତ୍ରୀୟ ମର୍ଯ୍ୟାଦା ପ୍ରଦାନ ପାଇଁ ଜୋର୍‌ଦାର୍‌ ଦାବି ଉଠିଲା। ଏହି ଜାତୀୟ ମର୍ଯ୍ୟାଦା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର। କିନ୍ତୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରକ୍ରିୟା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଆସୁନାହିଁ ବୋଲି ତତ୍‌କା‌ଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ। ଏଥିସହ କହିଥିଲେ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରେନାହିଁ। କେନ୍ଦ୍ର ମନ୍ତ୍ରୀଙ୍କର ଏପରି ଉତ୍ତର ପରେ ଶାସ୍ତ୍ରୀୟ ପ୍ରସଙ୍ଗକୁ ନେଇ ଭିନ୍ନ ଏକ ବିତର୍କର ସୂତ୍ରପାତ ହେଲା ସତ କିନ୍ତୁ ଏହି ଜାତୀୟ ମର୍ଯ୍ୟାଦା ପ୍ରଦାନ ପ୍ରସଙ୍ଗ ଶୀତଳଭଣ୍ଡାରକୁ ଚାଲିଗଲା। 

Advertisment

ଗତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ସରକାର ରଖିଥିବା ଉତ୍ତର ଅନୁସାରେ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲେ ମଧ୍ୟ ବିଧିବଦ୍ଧ ଭା‌ବେ ଏନେଇ କୌଣସି ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ। ତେବେ କେଉଁ ଆଧାରରେ କଥକ, କୁଚିପୁଡ଼ୀ, ଓଡ଼ିଶୀ, କଥକଲ୍ଲୀ, ସତ୍ରିୟ, ମଣିପୁରୀ ଓ ମୋହିନୀଆଟମ୍‌କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଶାସ୍ତ୍ରୀୟ ନୃତ୍ୟ ଭାବେ ଘୋଷଣା କରିଛି। ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି, ଯଦି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ଦେଇପାରିବ ନାହିଁ ତେବେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଏହି ମର୍ଯ୍ୟାଦା ଉପଭୋଗ କରୁଛନ୍ତି କେମିତି? ଓଡ଼ିଶୀ ସଙ୍ଗୀତ ଏହି ମର୍ଯ୍ୟାଦା ପାଇବାରେ ଅସୁବିଧା କେଉଁଠି? 

କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ପରେ ନିରବ ରାଜ୍ୟ
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦାରେ ଅସୁବିଧା କେଉଁଠି?

ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ। ଏହାର ପ୍ରାଚୀନତା ହଜାର ହଜାର ବର୍ଷର ବୋଲି ନିଃସନ୍ଦେହ। ଓଡ଼ିଶୀ ସଙ୍ଗୀତର ସ୍ବତନ୍ତ୍ରୀ ଗାୟନଶୈଳୀ ରହିଛି, ଏହାର ତାଳ ମଧ୍ୟ ନିର୍ଦ୍ଦିଷ୍ଟ। ଛାନ୍ଦ, ଚମ୍ପୁ, ଚଉତିଶା, ଜଣାଣ, ଭଜନ ଓ ଚଉପଦୀ ଆଦି ଓଡ଼ିଶୀ ସଙ୍ଗୀତ ବର୍ଗର। ଏଶାସ୍ତ୍ରୀୟ ମାନ୍ୟତା ହାସଲ ପାଇଁ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ପ୍ରମାଣ କରିବାର ଆବଶ୍ୟକତା ରହିଥିବା ବେଳେ ଓଡ଼ିଶା ସରକାର ଗବେଷଣା, ତଥ୍ୟ ସଂଗ୍ରହ ଓ ଦସ୍ତାବିଜ୍‌ ପ୍ରସ୍ତୁତି ପାଇଁ ବିଭିନ୍ନ କମିଟି ଗଠନ କରି ଅନେକ ଗବେଷଣାଭିତ୍ତିକ ବିବରଣୀ ପ୍ରସ୍ତୁତ କରିଥିଲେ। ୨୦୨୦ ସେପ୍ଟେମ୍ବରରେ ଐତିହ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ‌ଦାବିରେ କେନ୍ଦ୍ରକୁ ଚିଠି ‌ଲେଖିଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ। ଏହାର ପ୍ରାୟ ବର୍ଷକ ପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ପରେ ଏହି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ ଗୋଟିଏ ପ୍ରକାର ଥମିଯାଇଛି। ଓଡ଼ିଶାର ଏହି ଉତ୍କର୍ଷ ସାଙ୍ଗୀତିକ ଧାରାକୁ ଜାତୀୟ ମାନ୍ୟତା ଦେବାରେ ଆଉ କାହାର ମନ ବଳୁନାହିଁ। 

ଏନେଇ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗବେଷକ କୀର୍ତ୍ତନ ପାଢ଼ୀ କହିଛନ୍ତି, ବର୍ତ୍ତମାନ ଆମକୁ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପାଇଁ ଉଦ୍ୟମ କରିବାକୁ ପଡ଼ିବ। କେଉଁ ଆଧାରରେ ଦୁଇ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦିଆଯାଇଛି ସେ ନେଇ  କେନ୍ଦ୍ର ସଙ୍ଗୀତ ନାଟକ ‌ଏକାଡେମୀକୁ ରାଜ୍ୟ ସରକାର ଚିଠି ଲେଖନ୍ତୁ।  ଯଦି ଶାସ୍ତ୍ରୀୟ ସଙ୍ଗୀତର ବର୍ଗୀକରଣ କରାଯାଇନାହିଁ, ତେବେ ସରକାରୀ କାର୍ଯ୍ୟକ୍ରମରେ କିଭଳି ପ୍ରସାରଭାରତୀରେ ଏହି ଦୁଇ ସଙ୍ଗୀତକୁ ଶାସ୍ତ୍ରୀୟ ଭାବେ ଘୋଷଣା କରାଯାଉଛି? ଫେଲୋସିପ୍‌ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏହି ଦୁଇ ସଙ୍ଗୀତକୁ ଶାସ୍ତ୍ରୀୟ କାହିଁ ଲେଖୁଛି? ଯଦି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର କୌଣସି ନିୟମ ନାହିଁ, ତେବେ ନିୟମ ତିଆରି କରାଯାଉ ବୋଲି ଦାବି କରିବାକୁ ପଡ଼ିବ।  ଓଡ଼ିଶୀ ସଙ୍ଗୀତରେ ସମାନତା ଓ ସମନ୍ବୟ ଆଣିବା ପାଇଁ  ‘ଏ ମନୋଗ୍ରାମ ଅଫ୍ ଓଡ଼ିଶୀ ମ୍ୟୁଜିକ୍’ ନାମକ ଏକ ପୁସ୍ତକ ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏଥିସହ ଓଡ଼ିଶୀ ସଙ୍ଗୀତର ବିକଶିତ ଧାରାକୁ ନେଇ ‘ଇଭୋଲ୍ୟୁସନ୍‌ ଅଫ୍‌ ଓଡ଼ିଶୀ ମ୍ୟୁଜିକ୍‌’ ବି ନିକଟ ଅତୀତରେ ପ୍ରକାଶ ପାଇଛି। ଆଗକୁ ଏହି ଦୁଇଟି ପୁସ୍ତକ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ସାହାଯ୍ୟ କରିପାରେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ କହିଛନ୍ତି, ଓଡ଼ିଶୀ ସଙ୍ଗୀତ ଆମର ଶାସ୍ତ୍ରୀୟ। ଯଦି ଆମେ ଏହାକୁ ମାନିନେବା ଓ ଚାରିଆଡ଼େ ଓଡ଼ିଶୀ ସଙ୍ଗୀତ ପରିବେଶଷ କରି ଏହାକୁ ଶାସ୍ତ୍ରୀୟ ବୋଲି ପ୍ରଚାରପ୍ରସାର କରିବା ତେବେ  ବାହାର ଲୋ‌କ ଆପେ ଏହାକୁ ଶାସ୍ତ୍ରୀୟ ମାନିନେବେ। କେହି ବି ଏ ଯାଏ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ନୁହେଁ ବୋଲି ପ୍ରଶ୍ନ ଉଠାଇନାହାନ୍ତି।  ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ ଏହିଭଳି ଭାବେ ଶାସ୍ତ୍ରୀୟ ମର୍ଯ୍ୟାଦା ଉପଭୋଗ କରୁଛନ୍ତି ବୋଲି ସେ କହିଛନ୍ତି।